ଚଣ୍ଡୀଗଡ଼ରେ ବବର ଖାଲସାର ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାଶ; ଅସ୍ତ୍ରଶସ୍ତ୍ର ସହ ବବର ଖାଲସାର ୩ ଆତଙ୍କବାଦୀ ଗିରଫ

ପୁଲିସ ପାକିସ୍ତାନ ସମର୍ଥିତ ଖାଲିସ୍ତାନୀ ଆତଙ୍କୀ ମଡ୍ୟୁଲ୍ର ପର୍ଦ୍ଦାଫାଶ କରିଛି। ପୁଲିସ ଚଣ୍ଡୀଗଡ଼ରେ ବବର ଖାଲସାର ତିନି ଜଣ ଆତଙ୍କବାଦୀଙ୍କୁ ବିପୁଳ ପରିମାଣର ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଛି। ଅନ୍ୟପଟେ ଅମୃତସରରେ ଡ୍ରୋନ୍ ଜରିଆରେ ଆସିଥିବା ୧୦ଟି ପିସ୍ତୋଲ ମଧ୍ୟ ଜବତ କରାଯାଇଛି।
ଗତକାଲି ରାତିରେ ଚଣ୍ଡୀଗଡ଼ ପୁଲିସ ସେକ୍ଟର-୪୩ ଆନ୍ତଃରାଜ୍ୟ ବସ୍ ଷ୍ଟାଣ୍ଡ ପଛପଟୁ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୫ କିଲୋ ଜେଲାଟିନ୍ ଛଡ଼, ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରି ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ପୁଲିସ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯାହାଙ୍କର ସମ୍ପର୍କ ‘ବବର ଖାଲସା ଇଣ୍ଟରନ୍ୟାସନାଲ୍’ ନାମକ ପ୍ରତିବନ୍ଧିତ ଖାଲିସ୍ତାନୀ ସଂଗଠନ ସହିତ ରହିଛି। ଏହି ଆତଙ୍କବାଦୀମାନେ ବିଦେଶରେ ଥିବା ସତନାମ ସିଂହ ଓରଫ୍ ସତ୍ତା ନାମକ ଆତଙ୍କବାଦୀର ନିର୍ଦ୍ଦେଶରେ କାମ କରୁଥିଲେ।
ଅଭିଯୁକ୍ତମାନଙ୍କ ପରିଚୟ ତରନତାରନ ନିବାସୀ ଲଭପ୍ରୀତ ସିଂହ (୧୯), ଜସନପ୍ରୀତ ସିଂହ ଓରଫ୍ ଜସନଦୀପ (୨୧) ଏବଂ ଅମୃତସର ନିବାସୀ ପ୍ରଭପ୍ରୀତ ସିଂହ ଓରଫ୍ ପ୍ରଭ (୧୯) ଭାବେ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ଗୁପ୍ତ ସୂଚନା ଆଧାରରେ ରବିବାର ଅପରାହ୍ଣରେ ଅପରେସନ ସେଲ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବ୍ୟାଗ୍ ଯାଞ୍ଚ ବେଳେ ଟିଫିନ୍ ବକ୍ସରେ ସନ୍ଦିଗ୍ଧ ଆଇଇଡି (IED) ମିଳିଥିଲା। ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଫୋରେନ୍ସିକ୍ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ସାମଗ୍ରୀକୁ ଜବତ କରିଥିଲେ। ଯାଞ୍ଚ ସମୟରେ ଆଇଇଡି ସକ୍ରିୟ ନଥିବା ଜଣାପଡ଼ିଥିଲା।
ପରେ ବ୍ୟାଗ୍ରୁ ପ୍ରାୟ ୫ କିଲୋ ଜେଲାଟିନ୍ ଛଡ଼, ଡେଟୋନେଟର, ରିମୋଟ୍ ପରିଚାଳିତ ଉପକରଣ, ପିସ୍ତୋଲ, ମ୍ୟାଗଜିନ୍ ଏବଂ ୫ଟି ଜୀବନ୍ତ ଗୁଳି ଜବତ ହୋଇଥିବା ପୁଲିସ ସ୍ପଷ୍ଟ କରିଛି। ପୁଲିସ ସେକ୍ଟର-୩୬ ଥାନାରେ ବିସ୍ଫୋରକ ପଦାର୍ଥ ଆଇନର ଧାରା ୪(b) ଏବଂ ୫ ଅଧୀନରେ ମାମଲା ରୁଜୁ କରିଛି।
ମାମଲାର ଆଗାମୀ ତଦନ୍ତ ଚଣ୍ଡୀଗଡ଼ ପୁଲିସର ଅପରେସନ ସେଲ୍ କରୁଛି। କେନ୍ଦ୍ରୀୟ ଏଜେନ୍ସି ସହିତ ସମନ୍ୱୟ ରକ୍ଷା କରି କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ପରେ ଗିରଫ ଅଭିଯୁକ୍ତଙ୍କୁ ଜେରା ମାଧ୍ୟମରେ ସମ୍ପୂର୍ଣ୍ଣ ନେଟୱର୍କର ସୂତ୍ର ଖୋଜିବାକୁ ଚେଷ୍ଟା କରାଯିବ। ପୁଲିସ ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଏକ ବଡ଼ ସମ୍ଭାବ୍ୟ ଆତଙ୍କବାଦୀ ବିପଦକୁ ଏଡ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ମାମଲାରେ ଗିରଫ ଅଭିଯୁକ୍ତମାନଙ୍କର କାର୍ଯ୍ୟକଳାପ, ବିଦେଶୀ ସମ୍ପର୍କ, ସମ୍ଭାବ୍ୟ ଲକ୍ଷ୍ୟ ଏବଂ ନେଟୱର୍କ ସହ ଜଡ଼ିତ ଅନ୍ୟ ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।
ଅମୃତସରରେ ୧୦ଟି ପିସ୍ତୋଲ ସହ ୨ ଚାଲାଣକାରୀ ଗିରଫ
ପଞ୍ଜାବକୁ ନିଶା ଓ ଅସ୍ତ୍ରଶସ୍ତ୍ର ମୁକ୍ତ କରିବା ଅଭିଯାନ ଅଧୀନରେ କାଉଣ୍ଟର ଇଣ୍ଟେଲିଜେନ୍ସ (ସିଆଇ) ଅମୃତସର ବେଆଇନ ଅସ୍ତ୍ର ଚାଲାଣ ନେଟୱର୍କର ପର୍ଦ୍ଦାଫାଶ କରିଛି। ଟିମ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୦ଟି ଅତ୍ୟାଧୁନିକ ପିସ୍ତୋଲ, ମ୍ୟାଗଜିନ୍ ଏବଂ ୧୦ଟି ଜୀବନ୍ତ ଗୁଳି ଜବତ କରିଛି। ପୁଲିସ ଅନୁଯାୟୀ, ଅଭିଯୁକ୍ତମାନେ ବିଦେଶରେ ଥିବା ହ୍ୟାଣ୍ଡଲରଙ୍କ ସହ ସମ୍ପର୍କରେ ଥିଲେ ଏବଂ ସୀମା ପାର୍ରୁ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପାଇଥିଲେ।
ପଞ୍ଜାବ ଡିଜିପି ଗୌରବ ଯାଦବ ସୂଚନା ଦେଇଛନ୍ତି ଯେ, ଗିରଫ ଅଭିଯୁକ୍ତମାନେ ହେଲେ ତରନତାରନ ଜିଲ୍ଲା ହବେଲିଆଁ ଗ୍ରାମର ଗୁରପ୍ରୀତ ସିଂହ (ପିତା: ଇକବାଲ ସିଂହ) ଏବଂ ଗୁରପ୍ରୀତ ସିଂହ (ପିତା: ଗୁଲଜାର ସିଂହ)।
ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ୧ଟି ପିସ୍ତୋଲ ଏବଂ ଗୋଟିଏ .30 ବୋର ପିସ୍ତୋଲ ସାମିଲ ଅଛି। ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟବହୃତ ହେଉଥିବା ବଜାଜ ପ୍ଲାଟିନା ମୋଟରସାଇକେଲ (PB-38-C-1658) କୁ ମଧ୍ୟ ପୁଲିସ ଜବତ କରିଛି।
ସିଆଇ ଅମୃତସରକୁ ସୂଚନା ମିଳିଥିଲା ଯେ ଦୁଇ ଅଭିଯୁକ୍ତ ବିଦେଶରେ ଥିବା ସେମାନଙ୍କ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ଭାରତ-ପାକିସ୍ତାନ ସୀମା ନିକଟସ୍ଥ ହବେଲିଆଁ ଗ୍ରାମ ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ରର ଖେପ୍ ଗ୍ରହଣ କରିସାରିଛନ୍ତି। ସେମାନେ ଏହି ଅସ୍ତ୍ରଶସ୍ତ୍ର ପଞ୍ଜାବର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ଯାଉଥିଲେ। ସୂଚନା ପାଇବା କ୍ଷଣି ପୁଲିସ ଟିମ୍ ଅମୃତସର-ଆଟାରୀ ଜାତୀୟ ରାଜପଥର ଖାସା ଗ୍ରାମ ନିକଟରେ ନାକାବନ୍ଦୀ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। ତଲାସୀ ସମୟରେ ସେମାନଙ୍କ ନିକଟରୁ ୧୦ଟି ପିସ୍ତୋଲ, ମ୍ୟାଗଜିନ୍ ଏବଂ ଜୀବନ୍ତ ଗୁଳି ଜବତ କରାଯାଇଥିଲା।