ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧୋତ୍ସବ ଏବଂ ବଳିଦାନ ଦିବସ

କନ୍ଧମାଳ: ଆଜି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ଶ୍ରାଦ୍ଧୋତ୍ସବ ଏବଂ ବଳିଦାନ ଦିବସ ପାଳନ କରାଯାଉଛି। ସହରରେ ଭବ୍ୟ ଆୟୋଜନ କରିବା ସହ ବିରାଟ ସ୍ମୃତି ସଭା ରଖାଯାଇଛି। ଫୁଲବାଣୀର ଏ.ଜେ.ଓ. ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ସ୍ମୃତି ସଭାର ଆୟୋଜନ କରାଯାଇଛି।

ଏହି ସଭାରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ନେତୃତ୍ୱବୃନ୍ଦ, ଜଳେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ, ଚକାପାଦ ଆଶ୍ରମ ପରିଚାଳକ ସ୍ୱାମୀ କୃଷ୍ଣାନନ୍ଦ ପୁରୀ, ଏହା ସହିତ ବହୁ ସାଧୁସନ୍ଥ, ସ୍ୱାମୀଜୀଙ୍କ ବହୁ ଶ୍ରଦ୍ଧାଳୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଥମେ ସହରରେ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବିରାଟ ଶୋଭାଯାତ୍ରା ହେବ। ଏହି ଶୋଭାଯାତ୍ରାରେ ସମସ୍ତ ଅତିଥିମାନେ ଉପସ୍ଥିତ ରହି ମିଳିତ ଭାବରେ ସମସ୍ତେ ଶୋଭାଯାତ୍ରାରେ ସଭାସ୍ଥଳୀକୁ ଯିବେ ଏବଂ ସେଠାରେ ଆନୁଷ୍ଠାନିକ ଭାବରେ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ସ୍ମୃତି ଚାରଣ ଏବଂ ଜୀବନୀ ଉପରେ ଆଲୋଚନା କରାଯିବ।

ଏ ନେଇ ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା ସଭାପତି ପ୍ରମୋଦ ପାଣିଗ୍ରାହୀ ଏବଂ ଜଳେଶପଟ୍ଟା କନ୍ୟାଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ଦେଖି ଜିଲ୍ଲା ପୋଲିସ ପକ୍ଷରୁ ଫୁଲବାଣୀ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆବଶ୍ୟକତା ଅନୁସାରେ ପୋଲିସ ମୋତୟନ କରାଯାଇଛି।

ପ୍ରମୋଦ ପାଣିଗ୍ରାହୀ (ସଭାପତି, ବିଶ୍ୱ ହିନ୍ଦୁ ପରିଷଦ, କନ୍ଧମାଳ): “ଅଷ୍ଟାଦଶତମ ଶ୍ରାଦ୍ଧ ଦିବସ… ଆଉ ତାଙ୍କର ମଧ୍ୟ ଜନ୍ମ ଶତାବ୍ଦୀ, ଜନ୍ମ ଶତାବ୍ଦୀ ପାଇଁ ଅନୁଗୋଳରେ ତାଙ୍କର ଉଦ୍‌ଘାଟନ କାର୍ଯ୍ୟକ୍ରମ ସରିଛି। କନ୍ଧମାଳ ପାଇଁ ସ୍ୱାମୀଜୀ ବଳିଦାନ ଦେଇଛନ୍ତି, ତେଣୁ ତାଙ୍କର ସ୍ମରଣରେ ଆଜି ଏହି ଶ୍ରାଦ୍ଧୋତ୍ସବ ବା ବାର୍ଷିକ ଶ୍ରାଦ୍ଧୋତ୍ସବ ଏବଂ ବଳିଦାନ ଦିବସ। ଆଜି ଏହି କାର୍ଯ୍ୟକ୍ରମ ପାଇଁ ଆମର କନ୍ଧମାଳ ଜିଲ୍ଲାର ସମସ୍ତ ହିନ୍ଦୁ ସଂଗଠନ ଏଥିରେ ସହଯୋଗ କରୁଛନ୍ତି।”

ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀ (ମୁଖ୍ୟ ପରିଚାଳକ, ଜଳେଶପଟ୍ଟା ଆଶ୍ରମ): “ବାସ୍ତବରେ ସ୍ୱାମୀଜୀଙ୍କର ଏହି ୧୦୦ ବର୍ଷ ପୂର୍ତ୍ତି ଉଦ୍ଦେଶ୍ୟରୁ ମହୋତ୍ସବ ମନେଇବା, ସ୍ୱାମୀଜୀଙ୍କର କୃତି ଏବଂ ବ୍ୟକ୍ତିତ୍ୱ, କ’ଣ କ’ଣ କରିଛନ୍ତି ତାଙ୍କ ଜୀବନକାଳ ଭିତରେ ସମାଜ ପାଇଁ, ତାକୁ ମନେ ପକେଇବା ଆମର ଉତ୍ତରଦାୟିତ୍ୱ ଅଛି। ଆମେ କାମ କରିବା ସ୍ୱାମୀଜୀ ଯାହା ଚାହୁଁଥିଲେ। ଚର୍ଚ୍ଚ ମୁକ୍ତ କନ୍ଧମାଳ, ଚର୍ଚ୍ଚ ମୁକ୍ତ ଓଡ଼ିଶା। ଆଉ ତାକୁ ଆମେ ଚରିତାର୍ଥ କରିବା ପାଇଁ ତପସ୍ୟା କରିବା। ସମସ୍ତଙ୍କୁ ଶିକ୍ଷା, ସମସ୍ତଙ୍କୁ ସ୍ୱାସ୍ଥ୍ୟ, ସମସ୍ତଙ୍କୁ ସ୍ୱାବଲମ୍ବନ, କୃଷି ଏବଂ ବୈଭବପୂର୍ଣ୍ଣ ଦେଶ ଏବଂ ରାଜ୍ୟର ଉନ୍ନତି, ଓଡ଼ିଶା ଆହୁରି ବୈଭବପୂର୍ଣ୍ଣ ହେଉ, ଭାରତ ବୈଭବପୂର୍ଣ୍ଣ ହେଉ, ପୂର୍ଣ୍ଣ ବୈଭବ ଆଡ଼କୁ ଯାଉ ଦେଶ, ସମସ୍ତେ ମିତ୍ର ଭାବରେ ରୁହନ୍ତୁ। ଏହି କାମନା କରିକି ଆଜିର କାର୍ଯ୍ୟକ୍ରମ।”

Leave a Reply

Your email address will not be published. Required fields are marked *