୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ ସଂଘ କାର୍ଯ୍ୟାଳୟ ‘କେଶବ ଭବନ’ (ମାଣିକତଲା) କୋଲକାତାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିଛନ୍ତି।
ସରକାର୍ଯ୍ୟବାହ ଜୀ କୋଲକାତାଠାରେ ଆୟୋଜିତ ସମାରୋହରେ ସ୍ୱାଧୀନତା ଦିବସର ଏହି ପୁଣ୍ୟ ପ୍ରଭାତରେ ଭାରତକୁ ବିଶ୍ୱଗୁରୁ କରିବାର ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ସ୍ୱାଧୀନତା ଦିବସ ଆମ ପାଇଁ ଅତ୍ୟନ୍ତ ପବିତ୍ରତା, ସ୍ୱାଭିମାନ ଓ ପ୍ରେରଣା ଦେଉଥିବା ଦିବସ। ଭାରତ ଏକ ଅମର, ଶାଶ୍ୱତ ଓ ଗୌରବଶାଳୀ ରାଷ୍ଟ୍ର। ବହୁ ଶତାବ୍ଦୀର ପରାଧୀନତା ପରେ ଆମକୁ ସ୍ୱାଧୀନତା ମିଳିଛି। ବଙ୍ଗଳା ସମେତ ସମଗ୍ର ଭାରତର ଅନେକ ସ୍ୱାଧୀନତା ସଂଗ୍ରାମୀ ନିଜ ପ୍ରାଣର ଆହୁତି ଦେଇଛନ୍ତି।
ଭାରତର ଅଖଣ୍ଡତା ଓ ଏକାତ୍ମତାକୁ ଅକ୍ଷୁଣ୍ଣ ରଖିବା, ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ପୂର୍ଣ୍ଣ ବିକାଶ ପାଇଁ ନିଜର ପ୍ରଚେଷ୍ଟା, ପରିଶ୍ରମ ଓ ଯୋଗଦାନ ଦେବା ଏବଂ ବିଶ୍ୱ ସମ୍ମୁଖରେ ଏକ ଶ୍ରେଷ୍ଠ ରାଷ୍ଟ୍ର ଭାବରେ ଭାରତକୁ ଠିଆ କରିବା ପାଇଁ ସବୁମତେ ପ୍ରୟାସ କରିବା—ଏହା ଆଜିର ଭାରତୀୟମାନଙ୍କର ଦାୟିତ୍ୱ।
ବିଗତ କିଛି ସମୟ ହେବ ଭାରତ ବିଶ୍ୱ ଦରବାରରେ ନିଜର ନାମକୁ ଆଲୋକିତ କରିଛି। ଆମେ ଧୀରେ ଧୀରେ ଏକ ସଶକ୍ତ ରାଷ୍ଟ୍ର ଭାବରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ କେବଳ ଆଗକୁ ବଢ଼ୁନାହୁଁ, ବରଂ ବିଶ୍ୱ ଆଗରେ ଉଦାହରଣ ପ୍ରସ୍ତୁତ କରିବାର କ୍ଷମତା ମଧ୍ୟ ରଖୁଛୁ। ତେଣୁ ଭାରତର ଜନସାଧାରଣ ‘ବସୁଧୈବ କୁଟୁମ୍ବକମ୍’ର ମନୋଭାବ ନେଇ, ନିଜ ସ୍ୱାଧୀନତାକୁ ଅନ୍ୟ ଦେଶଗୁଡ଼ିକ ପାଇଁ ଏକ ଆଦର୍ଶ, ଏକ ଉଦାହରଣ ଏବଂ ସେମାନଙ୍କ ସମର୍ଥନ ଓ ସହଯୋଗର ଏକ ଦୃଷ୍ଟାନ୍ତ କରିବା ଉଚିତ।
ଆମେ ସମସ୍ତେ ଭାରତ ମାତାଙ୍କ ସନ୍ତାନ। ଆଜିର ଦିନରେ ସ୍ୱାଧୀନତାର ଭୂମିକାକୁ ସଠିକ୍ ଭାବରେ ବୁଝିବାର ଆବଶ୍ୟକତା ରହିଛି, ଆମ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଦେଶଭକ୍ତମାନଙ୍କୁ ମନେ ପକାଇବା ଏବଂ ଭାରତକୁ ସଂଗଠିତ, ସାମାଜିକ ଓ ଆର୍ଥିକ ରୂପରେ ଆହୁରି ଉନ୍ନତ କରିବା ପାଇଁ ସଂକଳ୍ପବଦ୍ଧ ହେବା ଆବଶ୍ୟକ।