ପୁରୀ: ଶୃଙ୍ଖଳିତ ଭାବରେ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୁକ୍ରବାର ବରିଷ୍ଠ ଅଧିକାରୀଙ୍କ ସହ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥାର ଟିକିନିଖି ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ, ଏସପି ପ୍ରତୀକ ସିଂହ ଓ ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ।
ପୂର୍ବରୁ ନୀତି ସବ କମିଟି, ଛତିଶା ନିଯୋଗ, ପରିଚାଳନା କମିଟିରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀମନ୍ଦିରରେ ସମସ୍ତ ନୀତି କାନ୍ତି ସୁରୁଖୁରୁରେ ଚାଲିଛି। ସେବାୟତଙ୍କ ସହଯୋଗରେ ଆସନ୍ତା ଦେବସ୍ନାନ ପୂର୍ଣ୍ଣମୀ ନୀତି ମଧ୍ୟ ସୁରୁଖୁରୁରେ ହେବ ବୋଲି ଆଶା ରଖାଯାଇଛି। ପହଣ୍ଡି , ଜଳ ଲାଗି କିଭଳି ଠିକ୍ ହେବ, ହାତୀ ବେଶ ଅକ୍ଷୁର୍ଣ୍ଣ ରହିବ ସେନେଇ ଗୁରୁତ୍ବ ଦିଆଯାଇଛି। ବିଶେଷ କରି ମହାପ୍ରଭୁଙ୍କ ହାତୀ ବେଶ କିଭଳି ଭକ୍ତ ଶ୍ରଦ୍ଧାଳୁ ଭଲ ଭାବରେ ଦେଖିପାରିବେ ସେ ଦିଗରେ ଅଧିକ ଗୁରୁତ୍ଵ ଦିଆଯାଉଛି।
ସିଂହଦ୍ବାରରେ ପ୍ରବେଶ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ
ସେହିଭଳି ସ୍ନାନ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କିଛି କଟକଣା ଲଗାଯାଇଛି। ସ୍ନାନ ଯାତ୍ରା ଦିନ ଶ୍ରଦ୍ଧାଳୁମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ପରେ ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ। ସେହିପରି ବଡ଼ଦାଣ୍ଡରେ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ବ୍ୟାରିକେଡ଼ର କିଛି ଅଂଶ ଖୋଲା ରହିବ ଫକରେ ବ୍ୟାରିକେଡରେ ଥିବା ଭକ୍ତ ମଧ୍ୟ ବଡ଼ଦାଣ୍ଡରେ ଥାଇ ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିପାରିବେ। ଶୃଙ୍ଖଳିତ ସ୍ନାନଯାତ୍ରା, ରଥଯାତ୍ରା ନୀତି କାନ୍ତି ସୁରୁଖୁରୁରେ ସମ୍ପାଦନ ପାଇଁ ସବୁ ସେବାୟତ ସହଯୋଗ କରିବେ।