କୋଲକାତା: ୧୯୯୩ ମସିହାରେ କୋଲକାତାର ବହୁବଜାରେ ହୋଇଥିବା ବିସ୍ପୋରଣରେ ୬୯ ଜଣ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରସିଦ୍ ଖାନକୁ ମୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ଗୁରୁବାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
୧୯୯୩ ମସିହାରେ କୋଲକାତାର ଜନଗହଳିପୂର୍ଣ୍ଣ ବହୁବଜାର ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଭୂମିକା ପାଇଁ ଖାନକୁ ଭାରତୀୟ ଦଣ୍ଡ ସଂହିତା, ବିସ୍ଫୋରକ ପଦାର୍ଥ ଅଧିନିୟମ ଏବଂ ବର୍ତ୍ତମାନ ରଦ୍ଦ ହୋଇଥିବା ଆତଙ୍କବାଦୀ ଓ ବିଘଟନକାରୀ କାର୍ଯ୍ୟକଳାପ (ନିବାରଣ) ଅଧିନିୟମ (ଟାଡା) ଅନୁଯାୟୀ ୨୦୦୧ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ବିସ୍ଫୋରଣରେ ୬୯ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ୧୯୯୩ରେ ଗିରଫ ହେବା ପରଠାରୁ ଖାନ ଜେଲରେ ଅଛି।
ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନିକଟରେ ଦିଲ୍ଲୀ ହାଇକୋଟଙ୍କ ଜୁନ୍ ୫ ରାୟ ବିରୋଧରେ ଆବେଦନର ଶୀଘ୍ର ଶୁଣାଣି କରିବାକୁ ରାଜ୍ୟ ସରକାରଙ୍କ ଓକିଲ ଅନୁରୋଧ କରିଥିଲେ। ସେ ଯୁକ୍ତି ବାଢ଼ିଥିଲେ ଯେ, ଏହି ମାମଲା ଏକ ଗୁରୁତର ଆତଙ୍କବାଦୀ ଅପରାଧ ଏବଂ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (ଏସ୍ଏସ୍ଆର୍ବି) ଦ୍ୱାରା ତାଙ୍କ କ୍ଷମା ଆବେଦନକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରାଯିବା ସତ୍ତ୍ୱେ ହାଇକୋର୍ଟ ଖାନକୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।