ବାରିପଦାରେ ଲଭ୍ ଜିହାଦ୍‌-କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ

ବାରିପଦାରେ ଲଭ୍ ଜିହାଦ୍‌
କୋର୍ଟ ମ୍ୟାରେଜ ପୂର୍ବରୁ ବର, ବରଯାତ୍ରୀକୁ ଟେକିନେଲା ପୋଲିସ
ବାରିପଦା, ୧୬/୬: ମୟୁରଭଞ୍ଜ ଜିଲା ବାରିପଦା ସହରରେ ମଙ୍ଗଳବାର ଦିନ ଏକ ‘ଲଭ୍ ଜିହାଦ୍ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକଙ୍କୁ ନ ଜଣାଇ ଜଣେ ହିନ୍ଦୁ ଯୁବତୀଙ୍କୁ କୋର୍ଟ ମ୍ୟାରେଜ୍ କରିବାକୁ ଆସିଥିବା ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକ ଏବଂ ତାଙ୍କ ସହ ଆସିଥିବା ବରଯାତ୍ରୀଙ୍କୁ କୋର୍ଟ ପରିସରରେ ଅଟକ ରଖାଯିବା ସହ ପୋଲିସକୁ ହସ୍ତାନ୍ତର କରାଯାଇଛି। ସୂଚନା ମୁତାବକ, ରାଇରଙ୍ଗପୁର ଇଚିଡ଼ା ଅଞ୍ଚଳର ଉକ୍ତ ଭିନ୍ନ ସମ୍ପ୍ରଦାୟର ଯୁବକ ଜଣକ ବାରିପଦାର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ରାଇରଙ୍ଗପୁର ଅଞ୍ଚଳର ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ସହ କୋର୍ଟ ପରିସରକୁ ଆସିଥିଲେ। ଏ ସମ୍ପର୍କରେ ଖବରପାଇ ସ୍ଥାନୀୟ ଲୋକ ଓ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତାମାନେ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ବାରିପଦା ଟାଉନ୍ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବର ଓ କନ୍ୟାଙ୍କ ସହ ଦୁଇଜଣ ବରଯାତ୍ରୀଙ୍କୁ ଥାନାକୁ ଆଣିଛି। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୋଲିସ ସମସ୍ତଙ୍କୁ ଅଟକ ରଖ୍ ପଚରାଉଚରା ଜାରି ରଖୁଛି। ବିବାହ ପାଇଁ ଆସିଥିବା ଯୁବତୀଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ଯୁବକଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୟୂରଭଞ୍ଜରେ ଏଭଳି ସଂଗଠିତ ‘ଲଭ୍ ଜିହାଦ’ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ।
-ଧରିତ୍ରୀ -୧୭ ଜୁନ ୨୦୨୬

Leave a Reply

Your email address will not be published. Required fields are marked *