ଭାରତ ପରେ ଇସ୍ରାଏଲରେ ସ୍ଥାପିତ ହେବାକୁ ଯାଉଛି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି। ଗତ ସପ୍ତାହରେ ଛତ୍ରପତିଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଇସ୍ରାଏଲ କନସଲ ଜେନେରାଲ ୟାନିଭ ରେଭାଚ୍ ଏ ସମ୍ପର୍କରେ ଜଣାଇଥିଲେ। ଏନେଇ ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଭାରତୀୟଙ୍କୁ, ଇସ୍ରାଏଲ ଲୋକଙ୍କ ସହିତ ଯୋଡ଼ିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ସରକାର ଏହି ପ୍ରୟାସରେ ଇସ୍ରାଏଲକୁ ଆବଶ୍ୟକୀୟ ସହଯୋଗ କରିବ। ହେଲେ କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି? ମହାରାଷ୍ଟ୍ର-ଇସ୍ରାଏଲ ମଧ୍ୟରେ କ’ଣ କୌଣସି ସମ୍ପର୍କ ରହିଛି।
ଇସ୍ରାଏଲ କନସଲ ଜେନେରାଲ ଛତ୍ରପତିଙ୍କ ରାଜ୍ୟାଭିଷେକ ଦିବସରେ ସମ୍ପ୍ରତି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଥିଲେ। ଏନେଇ ସେ କହିଥିଲେ, ଆମେ ଛତ୍ରପତି ଶିବାଜୀ ମହାରାଜଙ୍କ ଭାରତ ପ୍ରତି ଅବଦାନକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରୁଛୁ। ଆମର ଧାରଣା ହେଉଛି ମହାରାଜଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରି ଇସ୍ରାଏଲକୁ ପଠାଇବା। ଏହା ମାଧ୍ୟମରେ ଭାରତୀୟ, ଇସ୍ରାଏଲ ଲୋକଙ୍କ ସହିତ ଯୋଡ଼଼ିହେବ। ଆମେ ଏହାକୁ ଇସ୍ରାଏଲର ଏକ ପ୍ରମୁଖ ସହରକୁ ନେବାକୁ ଯୋଜନା କରୁଛୁ।
ଏହି ଐତିହ୍ୟ ସ୍ମାରକୀ ନିର୍ମାଣ କରିବା ପାଇଁ, ଇସ୍ରାଏଲ ଐତିହାସିକ ପ୍ରସଙ୍ଗ, କଳାତ୍ମକ ପରାମର୍ଶ ଏବଂ ଡିଜାଇନ୍ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହଯୋଗ ଲୋଡ଼ିଛି। ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ଏଥିରେ ସେ କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଇସ୍ରାଏଲରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି ଇସ୍ରାଏଲ-ଭାରତ ମଧ୍ୟରେ ଘନିଷ୍ଠ ସମ୍ପର୍କର ଏକ ଶକ୍ତିଶାଳୀ ପ୍ରତୀକ ହେବ। ମହାରାଷ୍ଟ୍ର ଏବଂ ଭାରତୀୟ ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ଐତିହାସିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏପରି ଏକ ସ୍ମାରକୀ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ। ଯାହାଙ୍କ ବଂଶଧରଙ୍କ ମଧ୍ୟରୁ ଅନେକ ଆଜି ଇସ୍ରାଏଲୀ ସମାଜରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି।