କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅଧୀନ ବରିପାଳ ପଞ୍ଚାୟତରେ ଅବସ୍ଥିତ ଖଜୁରିପଦା, ପାହାଡ଼ଘେରା ଏକ ଛୋଟ ଆଦିବାସୀ ଗାଁ। ମାତ୍ର ୫୦ଟି ପରିବାର, କିନ୍ତୁ ୩୫ରୁ ଅଧିକ ସରକାରୀ ଚାକିରିଆଙ୍କୁ ସୃଷ୍ଟି କରି ଏହି ଅଖ୍ୟାତ ପଲ୍ଲୀ ଆଜି ସଂଘର୍ଷ, ସଂକଳ୍ପ ଓ ସଫଳତାର ଜୀବନ୍ତ ଦୃଷ୍ଟାନ୍ତ ସାଜିଛି। ଏହି ଗାଁ କେବଳ ନିଜ ଭାଗ୍ୟ ବଦଳାଇନି, ବଦଳାଇଛି ଚିନ୍ତାଧାରା, ଜୀବନ ଜିଇଁବାର ଧାରା ଓ ଆଗାମୀ ପିଢିର ସ୍ୱପ୍ନ। ଆଜି ବଖାଣୁଛି ଅନେକ ସଫଳତାର କାହାଣୀ।
ଏକଦା ଏହି ଗାଁର ପରିଚୟ ଥିଲା ନିଶା। ସନ୍ଧ୍ୟା ହେଲେ ଗାଁରେ ଜମୁଥିଲା ମଦ ଆସର। ନିଶାରେ ବୁଡ଼ି ରହୁଥିଲେ ଅନେକ ପୁରୁଷ। କାହାର ସଂସାର ଉଜୁଡ଼ିଯାଉଥିଲା ତ କାହାର ପିଲା ଅଭାବ ଓ ଅନିଶ୍ଚିତତା ଭିତରେ ଛଟପଟ ହେଉଥିଲେ। ଅନେକ ମହିଳା ନିଜ ଆଖି ଆଗରେ ସ୍ୱାମୀଙ୍କୁ ହରାଇଛନ୍ତି। କେତେ ଘରରୁ ବାପାଙ୍କ ସ୍ନେହଛାୟା ନିର୍ବାପିତ ହୋଇଯାଇଛି। ମଦ କେବଳ ଶରୀରକୁ ନୁହେଁ, ପରିବାରର ହସ ଓ ଭବିଷ୍ୟତକୁ ମଧ୍ୟ ନଷ୍ଟ କରିଦେଇଥିଲା। ହେଲେ ସେଇ ଅନ୍ଧାର ଭିତରୁ ଜନ୍ମ ନେଇଥିଲା ଏକ ନୂଆ ସ୍ୱପ୍ନ। ଗାଁର କିଛି ଯୁବକ ନିଷ୍ପତ୍ତି ନେଲେ ଆଉ ନିଶା ନୁହେଁ, ଏବେ ହେବ ଶିକ୍ଷାର ଲଢ଼େଇ। ଦାରିଦ୍ର୍ୟ ଛାଇ ହୋଇ ରହିଥିଲା। ସୁବିଧା ନଥିଲା ପାଠ ପଢ଼ିବାକୁ।
ତଥାପି ହାର ମାନି ନଥିଲେ ସେମାନେ। କଷ୍ଟକୁ ସାଥୀ କରି ବହିକୁ ଅସ୍ତ୍ର କରିଥିଲେ। ଆଉ ଆଜି ସେହି ପ୍ରୟାସର ଫଳ ସ୍ୱରୂପ ଗାଁରୁ ବାହାରିଛନ୍ତି ୩୫ରୁ ଅଧିକ ସରକାରୀ ଚାକିରିଆ। କିଏ କେନ୍ଦ୍ର ସରକାର ଅଧୀନରେ କାମ କରୁଛନ୍ତି ତ କିଏ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତ ହୋଇଛନ୍ତି। ଏହି ଗାଁର ବାବୁରାମ ମୁନ୍ଦିଆ ପୁଲିସ ସବଇନ୍ସ୍ପେକ୍ଟର ଭାବେ କାର୍ଯ୍ୟରତ। ସହରରେ ଚାକିରି କରୁଥିଲେ ମଧ୍ୟ ନିଜ ଭିଟାମାଟିକୁ ଛାଡ଼ିନାହାନ୍ତି। ଟିକେ ଛୁଟି ମିଳିଲେ ଗାଁକୁ ଚାଲିଆସନ୍ତି, ଆଉ ଗାଁର ପିଲାମାନଙ୍କୁ ସଫଳତାର ମନ୍ତ୍ର ବାଣ୍ଟନ୍ତି। ଶିକ୍ଷା ଜୀବନର ଗତିପଥ ବଦଳାଇଦେଇଛି ବୋଲି ସେ କହିଛନ୍ତି। ଏହି ସଫଳତା କେବଳ ଚାକିରି ପାଇବାର କାହାଣୀ ନୁହେଁ, ଏହା ହେଉଛି ଗୋଟିଏ ଗାଁର ଚେତନା ଜାଗୃତିର କାହାଣୀ। ଯେଉଁଠି କେବେ ନିଶା ଥିଲା ପରିଚୟ, ସେଠି ଆଜି ଶିକ୍ଷା ହୋଇଛି ଗର୍ବ।