ପନ୍ନା ଧାୟଙ୍କ ବଳିଦାନ ଭାରତୀୟ ଇତିହାସର ସବୁଠାରୁ ଗୌରବମୟ ଏବଂ ହୃଦୟ ବିଦାରକ ଅଧ୍ୟାୟ ମଧ୍ୟରୁ ଗୋଟିଏ। ଏହି କାହାଣୀ କେବଳ କର୍ତ୍ତବ୍ୟ ପ୍ରତି ସମର୍ପଣ ବିଷୟରେ ନୁହେଁ, ବରଂ ନିଜ ରାଷ୍ଟ୍ରର ଭବିଷ୍ୟତ ପାଇଁ ଜଣେ ମାଆଙ୍କ ସର୍ବୋତ୍ତମ ବଳିଦାନ ବିଷୟରେ ଅଟେ ।
ଷୋଡ଼ଶ ଶତାବ୍ଦୀର ମେୱାଡରେ, ଯେତେବେଳେ ରାଣା ସାଙ୍ଗାଙ୍କ ପୁଅ, ଉଦୟ ସିଂହଙ୍କୁ ତାଙ୍କ ସମ୍ପର୍କୀୟ, ବନବୀର ଙ୍କ ଠାରୁ ବିପଦ ଥିଲା , ପନ୍ନା ଧାୟ ତାଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ ନେଇଥିଲେ। କ୍ଷମତା ପ୍ରତି ତାଙ୍କ ଲାଳସାରେ ପ୍ରେରିତ ହୋଇ, ବନବୀର ଶୋଇଥିବା ରାଜକୁମାରଙ୍କୁ ହତ୍ୟା କରିବା ପାଇଁ ରାଜପ୍ରାସାଦରେ ପ୍ରବେଶ କରିଥିଲେ।
ଯେତେବେଳେ ପନ୍ନା ଧାୟ ବନବୀରଙ୍କ ଯୋଜନା ବିଷୟରେ ଜାଣିପାରିଲେ, ସେ ତୁରନ୍ତ ରାଜକୁମାର ଉଦୟ ସିଂହଙ୍କୁ ଏକ ଟୋକେଇରେ ଲୁଚାଇ ରଖି ନିରାପଦରେ ତାଙ୍କୁ ରାଜପ୍ରାସାଦରୁ ବାହାର କରିଦେଲେ। ବନବୀରଙ୍କୁ ବିଭ୍ରାନ୍ତ କରିବା ପାଇଁ, ସେ ତାଙ୍କର ଏକମାତ୍ର ପୁଅ ଚନ୍ଦନକୁ ଉଦୟ ସିଂହଙ୍କ ଶଯ୍ୟାରେ ଶୁଆଇଥିଲେ ।
ଯେତେବେଳେ ହତ୍ୟାକାରୀ ବନବୀର କଠୋର ଭାବରେ ପଚାରିଲେ, “ଉଦୟ କେଉଁଠି?”, ପନ୍ନା ନିଜର କମ୍ପିତ ହାତରେ ତାଙ୍କ ନିଜ ପୁଅକୁ ଇଙ୍ଗିତ କଲେ। ବନବୀର ତାଙ୍କ ଆଖି ଆଗରେ ଚନ୍ଦନ କୁ ହତ୍ୟା କରିଥିଲା । ପନ୍ନାଙ୍କ ହୃଦୟ ଭାଙ୍ଗି ଯାଉଥିଲା, କିନ୍ତୁ ସେ ନୀରବ ରହିଲେ ଯେପରି ମେୱାଡର ପ୍ରକୃତ ପ୍ରକାଶ ଲିଭି ନ ଯାଏ।
ପନ୍ନା ଧାୟ ପ୍ରମାଣ କଲେ ଯେ ଦେଶ ଏବଂ ପ୍ରଭୁଙ୍କ ସ୍ୱାର୍ଥ ନିଜ ପରିବାରଠାରୁ ଅଧିକ। ଯଦି ପନ୍ନା ସେହି ବଳିଦାନ ଦେଇ ନଥାନ୍ତେ, ତେବେ ମେୱାଡ ରାଜବଂଶ ଶେଷ ହୋଇଯାଇଥାନ୍ତା ଏବଂ ଆମେ ମହାରାଣା ପ୍ରତାପଙ୍କ ପରି ଜଣେ ସାହସୀ ଯୋଦ୍ଧା କେବେ ପାଇ ନଥାନ୍ତୁ।
ପନ୍ନା ଧାୟଙ୍କ ବଳିଦାନ ଯୁଗ ଯୁଗ ଧରି ମାନବଜାତିକୁ “ସ୍ଵ ” ଠାରୁ ଉପରେ ” ସର୍ବ ” କୁ ରଖିବାକୁ ପ୍ରେରଣା ଦେଇ ଚାଲିବ। ଇତିହାସରେ, ପନ୍ନା ଧାୟଙ୍କ ନାମ ତ୍ୟାଗ ଏବଂ ସମର୍ପଣର ସମାର୍ଥକ ହୋଇଗଲା।