ଗୋମାଂସ ବୋଝେଇ ଗାଡ଼ି ଜବତ, ଦୁଇ କୋର୍ଟଚାଲାଣ

ଗୋମାଂସ ବୋଝେଇ ଗାଡ଼ି ଜବତ, ଦୁଇ କୋର୍ଟଚାଲାଣ
ରସୁଲପୁର,: ୬ ଅପ୍ରେଲ ଭୋର ସମୟରେ କୋଲକାତା ଯାଉଥିବା ଏକ ଗୋମାଂସ ବୋଝେଇ ଟାଟାଏସି ଗାଡ଼ିକୁ କୁଆଖିଆ ପୁଲିସ ଜବତ କରିଛି। କେନ୍ଦ୍ରାପଡ଼ାରୁ କୋଲକାତା ଅଭିମୁଖେ ଏହି ଗୋମାଂସ ଚାଲାଣ ହେଉଥିଲା। ଭୋର ପ୍ରାୟ ୫ଟା ବେଳେ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ ନେତୃତ୍ବରେ ପୁଲିସ ଟିମ୍ ୧୬ନଂ ଜାତୀୟ ରାଜପଥର କୁଆଖିଆ ବଜାରରେ ଥିବା ଓଭରବ୍ରିଜ ଉପରେ ତଲାସି କରିଥିଲେ। ଏହି ସମୟରେ ଏକ ଟାଟାଏସି (ଡବ୍ଲ୍ୟୁବି୨୫ଏସ୍ ୧୩୭୩) କୁ ଅଟକାଇ ତନଖି କରିବାରୁ ସେଥିରେ ମାଂସ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ପୁଲିସ ଗାଡିକୁ ଜବତ କରି ଥାନାକୁ ନେଇଥିଲା । ଗୋମାଂସ ବ୍ୟବସାୟୀ ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣା ଜିଲ୍ଲା ମିନାଖା ଥାନା ଚୈତୋଲ ଗ୍ରାମର ମନିରୁଲ ଗାଜି (୩୨), ଓ ଗାଡ଼ିର ଡ୍ରାଇଭର ହସନବାଗ ଥାନା ଅଞ୍ଚଳର ଆଜିଜୁଲ ଗାଜି (୨୭)ଙ୍କୁ ଗିରଫ କରାଯାଇଛି। ପରେ ରସୁଲପୁର ତହସିଲଦାର ସିଦ୍ଧାର୍ଥ ବେହେରାଙ୍କ ଉପସ୍ଥିତିରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ୟୋତିରଞ୍ଜନ ମହାନ୍ତି ଉକ୍ତ ମାଂସ ପରୀକ୍ଷା କରି ଗୋମାଂସ ବୋଲି ନିଶ୍ଚିତ କରାଇଥିଲେ । ଏହି ଘଟଣାରେ କୁଆଖିଆ ଥାନାରେ ଏକ ମାମଲା ୧୫୭/୨୬ ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

Leave a Reply