୫୬ ବର୍ଷ ଆତଙ୍କର ହେଲା ଅନ୍ତ-ଶେଷ ନିଶ୍ବାସ ନେଲା ମାଓବାଦ 

ଭୁବନେଶ୍ବର:  ମାଓବାଦୀଙ୍କ ଖେଳ ଖତମ୍ । ନିପାତ ହେଲେ ନକ୍ସଲ ! ଶେଷ ନିଶ୍ବାସ ନେଲା ମାଓବାଦ ! ୫୬ ବର୍ଷ ଆତଙ୍କର ହେଲା ଅନ୍ତ । ୨୦ ହଜାର ମୁଣ୍ଡ ନେଇଛନ୍ତି ମାଓବାଦୀ ।କଣ୍ଟ ପୂରିଲା, ଆଉ ମିଳିବନି ତ୍ରାହି ।

ଆଉ ଉଡ଼ିବନି ଟାଓ୍ଵାର କି ଲ୍ୟାଣ୍ଡମାଇନ୍ ବିସ୍ଫେୋରଣରେ ଛାରଖାର ହେବନି ଯବାନଙ୍କ ଗାଡ଼ି । ଜଙ୍ଗଲରୁ ଶୁଭିବନି ଗୁଳିଗୁଳାର ଗର୍ଜନ କି ଉପାନ୍ତ ଇଲାକାରୁ ଆସିବନି ମାଓମାଦୀ ଗଳାକାଟି ହତ୍ୟା କରିଥିବାର ଖବର । ମାଟି ତଳେ ମାଓବାଦୀ ମୃତ୍ୟୁ ବିଛାଇଥିବାର ଡର ବି ଆଉ ରହିବନି । ନକ୍ସଲଙ୍କ ସବୁ ନିର୍ମମ, ନିଷ୍ଠୁର, ନୃଶଂସ ଓ ବର୍ବରତାଭରା କାଣ୍ଡରେ ଲାଗିଲା ବ୍ରେକ୍ । ସଫା ହେଲେ ମାଓବାଦୀ, ଶେଷ ନିଶ୍ବାସ ନେତା ମାଓବାଦ । ବର୍ଷେ କି ଦୁଇ ବର୍ଷ ନୁହେଁ ପୂରା ୫୬ ବର୍ଷ ବିତିଗଲା ଜୀବନ-ମୃତ୍ୟୁର ଛକାପଞ୍ଝା ଭିତରେ । ନକ୍ସଲଙ୍କୁ ଡରିମରି ଜୀବନ ବିତାଉଥିଲେ ଜନତା ଆଉ ଏପଟେ ଘଞ୍ଚ ଅରଣ୍ୟରେ ୫୬ ଇଞ୍ଚର ଛାତି ଦେଖାଇ ୫୬ ବର୍ଷର ଲାଲ୍ ସାମ୍ରାଜ୍ୟକୁ ଧୂଳିସାତ୍ କଲେ ସୁରକ୍ଷାକର୍ମୀ । 

୩୧ ମାର୍ଚ୍ଚ ୨୦୨୬ ଥିଲା ନକ୍ସଲ ସରେଣ୍ଡରର ଶେଷ ଦିନ । ଅର୍ଥାତ ଏବେ ଅସ୍ତ୍ର ଛାଡ଼ ନହେଲେ ଗୁଳି ଖାଅ । ଡେଡଲାଇନ୍ ପୂରିଥିବାରୁ ଏବେ ଲୁଚି ଯାଇଥିବା ନକ୍ସଲ ଡେଥଜୋନକୁ ଆସିଛନ୍ତି । ମାନେ ଆଉ ନକ୍ସଲଙ୍କୁ ନିସ୍ତାର ଦିଆଯିବନି । ଭାରତରେ ନକ୍ସଲବାଦ ଶେଷ ନିଶ୍ବାସ ତ୍ୟାଗ କରିଛି ବୋଲି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ରଖିଥିବା ବେଳେ ବସ୍ତରରୁ ନକ୍ସଲବାଦ ସଫା ହୋଇଥିବା ସେ କହିଥିଲେ । ଦେଶ ଲମ୍ବା ସମୟ ଧରି ନକ୍ସଲବାଦରେ ପୀଡ଼ିତ ଥିଲା । ବାମପନ୍ଥୀ ବିଚାରଧାରା ପାଇଁ ନକ୍ସଲବାଦ ବ୍ୟାପିଲା । ମାତ୍ର ମୋଦୀଙ୍କ ଶାସନରେ ଦେଶ ମାଓମୁକ୍ତ ହୋଇପାରିଲା ବୋଲି ଶାହ ଦମ୍ଭର ସହ କହିଥିବା ବେଳେ ଅପରେସନ୍ ମାଓମୁକ୍ତର ପୂରା ଶ୍ରେୟ ଯବାନ ଏବଂ ପୁଲିସକୁ ଦେଇଥିଲେ । 

ବର୍ଷ ବର୍ଷ ଧରି ନକ୍ସଲମାନେ ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଅନ୍ଧାରରେ ରଖିଥିଲେ । ନକ୍ସଲବାଦ ଦେଶର ବିକାଶରେ ଏକ ବଡ଼ ବାଧା ଥିଲା । ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ନକ୍ସଲଙ୍କ ପ୍ରଭାବରେ ପ୍ରାୟ ୨୦ କୋଟି ନାଗରିକ ପ୍ରଭାବିତ ହୋଇଥିଲେ । ଦେଶରେ ନକ୍ସଲବାଦ ୨୦ ହଜାରରୁ ଅଧିକ ଜୀବନ ନେଇଛି । ଯେଉଁଥିରେ ୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଛନ୍ତି। ଓଡ଼ିଶାରେ ୧୪୨ ଜଣ ପୁଲିସଙ୍କ ସମେତ ୨୩୯ ଜଣ ସୁରକ୍ଷାକର୍ମୀଙ୍କ ପ୍ରାଣହାନୀ ହୋଇଛି ଏବଂ ମାଓବାଦୀଙ୍କ ଗୁଳିରେ ୩୫୯ ସାଧାରଣ ନାଗରିକ ପ୍ରାଣହରାଇଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ରଣନୀତି ଏବଂ ସୁରକ୍ଷାକର୍ମୀଙ୍କ ଘନଘନ ଅପରେସନ ପାଇଁ ଆସି ଦେଶ ମାଓମୁକ୍ତ ହୋଇଛି ବୋଲି କହିଛନ୍ତି ଶାହ ।

Leave a Reply