ଯାଜପୁର ଜିଲାରେ ଲଭ ଜିହାଦ୍ ଅଭିଯୁକ୍ତ ଫେରାର, ହିନ୍ଦୁ ସଂଗଠନର ପ୍ରତିବାଦ
ସିଂହପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ସୁଧ ଗୋବିନ୍ଦା ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରକୁ ମମତା ଯୋଜନାରେ ନାମ ପଞ୍ଜୀକରଣ କରିବାକୁ ଯାଇଥିବା ଜଣେ ନାବାଳିକା ଲଭ ଜିହାଦର ଶିକାର ହୋଇ ଗର୍ଭବତୀ ହୋଇଥିବା ଘଟଣା ଗତ ୧୮ତାରିଖରେ ପ୍ରଘଟ ହୋଇଥିଲା। ଏହି ଘଟଣାରେ ଆବଶ୍ୟକ ସୂଚନା ପାଇବା ସତ୍ତ୍ୱେ ସିଡିପିଓ ଥାନାରେ କୌଣସି ଅଭିଯୋଗ କରି ନଥିଲେ। ଅପରପକ୍ଷେ ତାଙ୍କୁ ଏ ସଂପର୍କରେ ପଚାରିବାକୁ ଯାଇଥିବା ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଭଳି ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା
ତାଙ୍କୁ ଭେଟିଥିବାବେଳେ ସେମାନଙ୍କୁ ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିନ୍ଦୁ ସଂଗଠନର କାର୍ଯ୍ୟକର୍ତ୍ତା ଧାରଣା ଦେଇଥିଲେ। ସୂଚନା ଅନୁସାରେ, ସଂପୃକ୍ତ ନାବାଳିକା ଗର୍ଭବତୀ ଥିବା ସଂପର୍କରେ ଅଙ୍ଗନବାଡ଼ି କର୍ମୀ ଦମୟନ୍ତୀ ରଥ ଘଟଣା ବିଷୟରେ ବିଭାଗୀୟ ଅଧିକାରିଣୀ ଦଶରଥପୁର ସିଡିପିଓ ଶାନ୍ତିଲତା ସେଠୀଙ୍କୁ ଅବଗତ କରିଥିଲେ ମଧ୍ୟ ସିଡିପିଓ ଶ୍ରୀମତୀ ସେଠୀ କୌଣସି ପଦକ୍ଷେପ ନେଇ ନଥିଲେ। ତେବେ ପରଦିନ ଜିଲା ଚାଇଲ୍ଡ ଲାଇନ କାର୍ଯ୍ୟକର୍ତ୍ତା ସୁଧ ଗୋବିନ୍ଦା ଗ୍ରାମରୁ ସମ୍ପୃକ୍ତ ଗର୍ଭବତୀ ନାବାଳିକାକୁ ଉଦ୍ଧାର କରି ଜିଲା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ରହଣି କେନ୍ଦ୍ରରେ ଥଇଥାନ କରିବା ସହିତ ଘଟଣାରେ ସମ୍ପୃକ୍ତ ଯୁବକ ସେକ୍ ମୁସ୍ତାକଙ୍କ ବିରୋଧରେ ପୁଲିସ ନିକଟରେ ଏତଲା କରିବାକୁ ଦଶରଥପୁର ସିଡିପିଓ ଶାନ୍ତିଲତା ସେଠୀଙ୍କୁ ପରାମର୍ଶ ଦେଇଥିଲେ। ସିଡିପିଓ ତାହା କରିନଥିଲେ। ଯାହାର ସୁଯୋଗରେ ଅଭିଯୁକ୍ତ ଯୁବକ ସେକ୍ ମୁସ୍ତାକ ଘଟଣା ପ୍ରଘଟ ହେବା ପରେ ସାଉଦି ଫେରାର ହୋଇଯାଇଥିବା ଆଲୋଚନା ହୋଇଥିଲା। ସୂଚନା ପାଇ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଭଳି ହିନ୍ଦୁ ସଂଗଠନ ପକ୍ଷରୁ ଅରବିନ୍ଦ ଦାସ, ମୃତ୍ୟୁଞ୍ଜୟ ପଟ୍ଟନାୟକ, ଦେବୀ ପ୍ରସାଦ ପାଣି, ଗୌତମ ପ୍ରସାଦ ସାହୁ, ପ୍ରଭାତ କୁମାର ମଲ୍ଲିକ, ଅମିୟ କୁମାର ମହାନ୍ତି, ଅନିଲ କୁମାର ଦାସଙ୍କ ନେତୃତ୍ୱରେ ପ୍ରତିନିଧ୍ୱ ମଣ୍ଡଳୀ ବୁଧବାର ପୂର୍ବାହ୍ନ ୧୧ଟାରେ ଦଶରଥପୁର ସିଡିପିଓ ଶ୍ରୀମତୀ ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟ ଭେଟି ମାମଲାରେ ଅଭିଯୁକ୍ତ ଯୁବକକୁ ସିଡିପିଓ ସୁରକ୍ଷା ଦେଉଥିବା ଅଭିଯୋଗ ଆଣିଥିଲେ। ସିଡିପିଓ ଶ୍ରୀମତୀ ସେଠୀ ଗାଳିଗୁଲଜ କରିବା ସହ ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଖବର ପାଇ ଦଶରଥପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ଅତିରିକ୍ତ ଜିଲାପାଳ ଯୁଷ୍ଠିର ନାୟକଙ୍କ ନିର୍ଦେଶକ୍ରମେ ବିଡିଓ ଆକାଶ ପଟ୍ଟନାୟକ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଗର୍ଭବତୀ ଘଟଣାରେ ଅଭିଯୁକ୍ତ ଯୁବକ ବିରୋଧରେ ଏତଲା କରାଯାଇଛି ବୋଲି କହି ଏତଲା ସମ୍ପର୍କିତ କପି ପ୍ରଦାନ କରିଥିଲେ । ପରେ ସିଡିପିଓ ଶ୍ରୀମତୀ ସେଠୀ ଧାରଣାକାରୀ ହିନ୍ଦୁ ସଂଗଠନ କାର୍ଯ୍ୟକର୍ତ୍ତାଙ୍କ ନିକଟକୁ ଆସି କ୍ଷମା ମାଗିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।