ଭାରତ କାହାର ଜମି ଚାହେଁ ନାହିଁ, କିନ୍ତୁ ନିଜ ଅଞ୍ଚଳର ଅଖଣ୍ଡତା ରକ୍ଷା ପାଇଁ ଯେକୌଣସି ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ

ଡ.ଆମ୍ବେଦକରନଗର: ପାକିସ୍ତାନ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସଶସ୍ତ୍ର ବାହିନୀକୁ ଦୀର୍ଘ ସଂଘର୍ଷ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି।  ମଧ୍ୟପ୍ରଦେଶର ଡ.ଆମ୍ବେଦକରନଗର ସ୍ଥିତ ସୈନ୍ୟ ଛାଉଣୀରେ ଆୟୋଜିତ ‘ରଣ ସଂବାଦ ୨୦୨୫’ ସମ୍ମିଳନୀରେ ସେ କହିଛନ୍ତି ଯେ, ଅଣପ୍ରତ୍ୟାଶିତ ଭୂ-ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନାକୁ ସ୍ୱଳ୍ପକାଳୀନ ସଂଘର୍ଷ ଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ। ରାଜନାଥ ସ୍ପଷ୍ଟ କରିଛନ୍ତି ଯେ, ଭାରତ କାହାର ଜମି ଚାହେଁ ନାହିଁ, କିନ୍ତୁ ନିଜ ଅଞ୍ଚଳର ଅଖଣ୍ଡତା ରକ୍ଷା ପାଇଁ ଯେକୌଣସି ସୀମା ଅତିକ୍ରମ କରିବାକୁ ପ୍ରସ୍ତୁତ।  ‘ଅପରେସନ ସିନ୍ଦୂର’ର ସଫଳତା ପାଇଁ ରାଜନାଥ ତିନି ସେନାର ପ୍ରଶଂସା କରିଛନ୍ତି, ଏହାକୁ ସ୍ୱଦେଶୀ ମଞ୍ଚ, ଉପକରଣ ଓ ଅସ୍ତ୍ରଶସ୍ତ୍ରର ସଫଳତାର ଉଜ୍ଜ୍ୱଳ ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। ଏହି ଅଭିଯାନ ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାର ସାହସ ଓ ତୀବ୍ରତାକୁ ପ୍ରଦର୍ଶନ କରିଛି। ସିଂହ କହିଛନ୍ତି, ଏହା ପ୍ରଯୁକ୍ତି-ଚାଳିତ ଯୁଦ୍ଧର ଏକ ଅଦ୍ଭୁତ ନିଦର୍ଶନ।

‘ରଣ ସଂବାଦ ୨୦୨୫’ରେ ତିନି ସେନାର ଅଧିକାରୀମାନେ ପ୍ରତିରକ୍ଷା କ୍ଷେତ୍ରର ବର୍ତ୍ତମାନ ଓ ଭବିଷ୍ୟତ ଚ୍ୟାଲେଞ୍ଜ ଏବଂ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଛନ୍ତି। ଏହି ସମ୍ମିଳନୀରେ କେତେକ ମିଳିତ ସିଦ୍ଧାନ୍ତ ମଧ୍ୟ ପ୍ରକାଶ କରାଯାଇଛି। ସେନା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମର ଯୋଜନା ‘ଅପରେସନ ସିନ୍ଦୂରର’ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରସ୍ତୁତ ହୋଇଥିଲା। ଆତ୍ମନିର୍ଭରତାକୁ ଅଗ୍ରାଧିକାର ଦେଇ ରାଜନାଥ କହିଛନ୍ତି, ଭାରତ ଏହି ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି, କିନ୍ତୁ ଆଗକୁ ଆହୁରି ବାଟ ଚାଲିବାକୁ ବାକି ଅଛି।  ଜାତୀୟ ସୁରକ୍ଷା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ କେବଳ ସେନା ନୁହେଁ, ସମଗ୍ର ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *