ଯାତ୍ରୀ ସୁରକ୍ଷାରେ ସୁଧାର ପାଇଁ ରେଳ ବଗିରେ ଲାଗିବ ସିସିଟିଭି କ୍ୟାମେରା

ସବୁ ଟ୍ରେନ୍‌ ବଗିରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି । ପରୀକ୍ଷାମୂଳକ ଭାବରେ ଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହାଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଏବଂ ସଂଗଠିତ ଅପରାଧୀ ଦଳଙ୍କ ଠାରୁ ସରଳ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିବ । କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁ ବଗି ଦ୍ୱାର ନିକଟରେ ଥିବା ସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ସିସିଟିଭି କ୍ୟାମେରା ସଂଯୋଗ କରାଯିବ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂହ ବିଟ୍ଟୁ ଲୋକୋମୋଟିଭ୍ ଏବଂ ବଗିରେ ସିସି ଟିଭି କ୍ୟାମେରା ସଂଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ୧୨ ଜୁଲାଇ, ୨୦୨୫ ଶନିବାର ଦିନ ଅନୁଷ୍ଠିତ ଏହି ବୈଠକରେ ରେଳ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

୩୬୦ ଡିଗ୍ରୀ ବ୍ୟାପକ କଭରେଜ୍

ରେଳ ଅଧିକାରୀମାନେ ବୈଠକରେ କହିଥିଲେ, ଉତ୍ତର ରେଳବାଇର ଲୋକୋ ଇଞ୍ଜିନ୍ ଏବଂ ବଗିରେ କ୍ୟାମେରା ଲଗାଇବାର ସଫଳ ପରୀକ୍ଷଣ କରାଯାଇଛି। ଏହାକୁ ଆଧାର କରି କେନ୍ଦ୍ର ରେଳମନ୍ତ୍ରୀ ସମସ୍ତ ୭୪ ହଜାର ବଗି ଏବଂ ୧୫ ହଜାର ଲୋକୋମୋଟିଭ୍‌ରେ ସିସି ଟିଭି କ୍ୟାମେରା ଲଗାଇବାକୁ ଅନୁମତି ଦେଇଛନ୍ତି। ପ୍ରତ୍ୟେକ ରେଳ ବଗିରେ ୪ଟି ଡୋମ୍ ସିସି ଟିଭି କ୍ୟାମେରା ଲଗାଯିବ। ପ୍ରତ୍ୟେକ ପ୍ରବେଶ ପଥରେ ୨ଟି ଏବଂ ପ୍ରତ୍ୟେକ ଲୋକୋମୋଟିଭ୍‌ରେ ୬ଟି ସିସି ଟିଭି କ୍ୟାମେରା ଲାଗିବ। ଏଥିରେ ଲୋକୋମୋଟିଭ୍‌ର ଆଗ, ପଛ ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଲେଖାଏଁ କ୍ୟାମେରା ରହିବ। ପ୍ରତ୍ୟେକ କ୍ୟାବ୍‌ରେ (ଆଗ ଏବଂ ପଛ) ଗୋଟିଏ ଡୋମ୍ ସିସି ଟିଭି କ୍ୟାମେରା ଲଗାଯିବ ଏବଂ ଡେସ୍କରେ ୨ଟି ମାଇକ୍ରୋଫୋନ୍ ଲଗାଯିବ।

ଆଧୁନିକ ସମସ୍ୟା ପାଇଁ ଆଧୁନିକ ନିରୀକ୍ଷଣ

ଅଧିକାରୀମାନେ କହିଥିଲେ, ସର୍ବୋତ୍କୃଷ୍ଟ ମାନର ଏବଂ ଏସଟିକ୍ୟୁସି ପ୍ରମାଣିତ ସିସିଟିଭି କ୍ୟାମେରାଗୁଡ଼ିକ ଲଗାଯିବ । କେନ୍ଦ୍ର ରେଳମନ୍ତ୍ରୀ ସର୍ବୋତ୍ତମ ଉପକରଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ରେଳ ଅଧିକାରୀମାନଙ୍କୁ ୧୦୦ କିଲୋମିଟରରୁ ଅଧିକ ବେଗରେ ଏବଂ କମ୍ ଆଲୋକ ପରିସ୍ଥିତିରେ ଚାଲୁଥିବା ଟ୍ରେନ୍ ଗୁଡ଼ିକର ଉଚ୍ଚମାନର ଫୁଟେଜ୍ ରେକର୍ଡ କରିବା ନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଇଣ୍ଡିଆଏଆଇ ମିଶନ୍ ସହିତ ସହଯୋଗରେ ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଥିବା ତଥ୍ୟ ଉପରେ ଏଆଇର ବ୍ୟବହାର ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ।

ତଥ୍ୟ ଗୋପନୀୟତା ଉପରେ ଗୁରୁତ୍ୱ

ବଗିଗୁଡ଼ିକର ସାଧାରଣ ଗତିବିଧି କ୍ଷେତ୍ରରେ କ୍ୟାମେରା ଲଗାଇବାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଉନ୍ନତ କରିବା। ଗୋପନୀୟତାକୁ ଧ୍ୟାନରେ ରଖି, ଏହି କ୍ୟାମେରାଗୁଡ଼ିକ ଅପରାଧିକ ତତ୍ତ୍ୱମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ ସାହାଯ୍ୟ କରିବ। ଭାରତୀୟ ରେଳବାଇର ଆଧୁନିକୀକରଣ ପ୍ରୟାସ ଏକ ନିରାପଦ, ସୁରକ୍ଷିତ ଏବଂ ଯାତ୍ରୀ-ଅନୁକୂଳ ଯାତ୍ରା ଅଭିଜ୍ଞତା ପ୍ରତି ଏହାର ପ୍ରତିବଦ୍ଧତାକୁ ନିରନ୍ତର ଭାବେ ବ୍ୟକ୍ତ କରି ଆସୁଛି ।

Leave a Reply

Your email address will not be published. Required fields are marked *