କଣ୍ଟେନର୍‌ରେ ମୃତ ଗୋ-ଚାଲାଣ ଘଟଣାଫେରାର୍ କଣ୍ଟେନର୍ ଡ୍ରାଇଭର୍ ଗିରଫ

କଟକ-ଜଗତପୁର: ଗୋ’ଚାଲାଣ ଘଟଣାରେ ଫେରାର ଥିବା କଣ୍ଟେନର୍ ଡ୍ରାଇଭରକୁ ଜଗତପୁର ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା କଟକ ସଦର ଥାନା ଉତ୍ତମାପୁର ଗ୍ରାମରେ ରହୁଥିବା ଆନ୍ଧ୍ରପ୍ରଦେଶ, ଗୁଣ୍ଟୁର ଜିଲ୍ଲା, ନାଲାପାଡ଼ୁ ଥାନା ଅଞ୍ଚଳର ସୟଦ୍ ଖ୍ରୀଜା ରିଜୁଆନ୍(୨୭)। ଗତ ଶନିବାର ଠାରୁ ଅଭିଯୁକ୍ତ ଜଣକ ପୁଲିସକୁ ଚକମା ଦେଇ ଫେରାର୍ ହୋଇଯାଇଥିଲା। ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ଵର ପଟୁ ଏକ କଣ୍ଟେନର୍‌ ୧୬ନଂ ଜାତୀୟ ରାଜପଥ ଦେଇ ଆସି ଗୁଜରପୁରସ୍ଥିତ ଏକ ପେଟ୍ରୋଲ୍ ପମ୍ପ୍ ନିକଟରେ ଅଟକିଥିଲା। ବଜରଙ୍ଗ ଦଳ, ହିନ୍ଦୁ ମହାସଂଘ, ବିଶ୍ବ ହିନ୍ଦୁ ପରିଷଦ ସମେତ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତାଙ୍କ ଉଦ୍ୟମରେ ପୁଲିସ ଉପସ୍ଥିତିରେ ଗାଡ଼ି ଯାଞ୍ଚ କରାଯାଇଥିଲା । ଏହି ସମୟରେ କୌଶଳ କ୍ରମେ କଣ୍ଟେନର୍ ଡ୍ରାଇଭର ସମେତ ଏସକର୍ଟ ଦେଉଥିବା ୭ରୁ ୮ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଉକ୍ତ କଣ୍ଟେନର୍ ତଲାସୀ ୮ ମୃତ ଗୋରୁଙ୍କୁ ଉଦ୍ଧାର କରିଥିଲା। ମୃତ ଗୋରୁଙ୍କ ବ୍ୟବଚ୍ଛେଦ ପରେ ସାତବାଟିଆସ୍ଥିତ ମହାନଦୀ ପଠାରେ ପୋତାଯାଇଥିଲା। ଆଜି ଅପରାହ୍ନରେ ଅଭିଯୁକ୍ତ ସୟଦକୁ କୋର୍ଟ ଚାଲାଣ କରାଯାଇଥିବା ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *