ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଚର୍ଚ୍ଚା ହେଉଛି ଯେ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦାରୀଙ୍କୁ ଖୁବ୍‌ଶୀଘ୍ର ଇସ୍ତଫା ଦେବାକୁ କୁହାଯାଇପାରେ ଏବଂ ତାଙ୍କ ସ୍ଥାନରେ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କୁ ଦାୟିତ୍ୱ ଦିଆଯାଇପାରେ। ଏଥି ସହ ବିଲାୱଲ ଭୁଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ନେଇ ଚର୍ଚ୍ଚା ଚାଲିଛି। ପାକିସ୍ତାନରେ ଥିବା ସଂସଦୀୟ ବ୍ୟବସ୍ଥା ବଦଳରେ ପାକ୍ ସେନା ସମର୍ଥନରେ ରାଷ୍ଟ୍ରପତି ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି।   ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ (ପିଏମ୍ଏଲ୍ଏନ୍) ସେନାମୁଖ୍ୟ ମୁନିର ଓ ଜର୍ଦାରୀଙ୍କ ମଧ୍ୟରେ ବଢ଼ୁଥିବା ସମୀକରଣକୁ ବିରୋଧ କରିବା ଆରମ୍ଭ କରିଛି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ତାଙ୍କ ପିଏମ୍‌ଏଲ୍‌ଏନ୍‌ ଦଳ ସମ୍ଭାବ୍ୟ ପରିବର୍ତ୍ତନକୁ ବିରୋଧ କରୁଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ରାଷ୍ଟ୍ରପତି ବ୍ୟବସ୍ଥା ଆସିଲେ କେବଳ ଶେହବାଜଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବ ନାହିଁ, ବରଂ ପିଏମ୍‌ଏଲ୍‌ଏନ୍‌ ଓ ସରିଫ ପରିବାର ମଧ୍ୟ ପାକିସ୍ତାନ ରାଜନୀତିରେ ନିଜର ପ୍ରାସଙ୍ଗିକତା ହରାଇବେ। ତେଣୁ ବିଲାୱଲଙ୍କ ଉତ୍‌ଥାନକୁ ରୋକିବା ପାଇଁ ପିଏମ୍‌ଏଲ୍‌ଏନ୍‌ ପାକିସ୍ତାନ ସେନାର ବିଭିନ୍ନ ଗୋଷ୍ଠୀ ସହ ଯୋଗାଯୋଗରେ ରହିଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ଆସିଫ୍ ଅଲ୍ଲୀ ଜର୍ଦାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଆଧାରରେ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁଯାୟୀ, ଜର୍ଦାରୀ ସର୍ତ୍ତ ରଖିଛନ୍ତି ଯେ ଯଦି ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କୁ ଏକ ବଡ଼ ପଦବି ମିଳେ, ତା’ହେଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ।  

Leave a Reply

Your email address will not be published. Required fields are marked *