ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଆକ୍ସମ୍-୪ ମିସନର ଅବଧି ୪ ଦିନ ବୃଦ୍ଧି ପାଇଛି। ଫଳରେ ଶୁଭାଂଶୁ ଶୁକ୍ଳା ଓ ତାଙ୍କ ସହକର୍ମୀମାନେ ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ପୃଥିବୀକୁ ଫେରିବେ ନାହିଁ। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ) ଅନୁଯାୟୀ ମହାକାଶଚାରୀମାନେ ଅତିକମ୍‌ରେ ଜୁଲାଇ ୧୪ ପର୍ଯ୍ୟନ୍ତ ଅଭିଯାନ ଜାରି ରଖିବେ। ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ଳାଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ ନେଇ କୌଣସି ସୂଚନା ଦେଇନାହିଁ। ଟେକ୍ସାସସ୍ଥିତ ମହାକାଶ କମ୍ପାନି ହ୍ୟୁଷ୍ଟନ୍ ସ୍ପେସ୍ ଦ୍ୱାରା ପରିଚାଳିତ ଏହି ଐତିହାସିକ ଅଭିଯାନରେ ଶୁକ୍ଳାଙ୍କ ସହ ଆମେରିକାର ବରିଷ୍ଠ ମହାକାଶଚାରୀ ପେଗି ହ୍ୱିଟ୍ସନ୍, ପୋଲାଣ୍ଡର ମିସନ ବିଶେଷଜ୍ଞ ସାଓସ୍‌ ଉଜନାସ୍କି ଓ ହଙ୍ଗେରୀର ଚତୁର୍ଥ ମିସନ ବିଶେଷଜ୍ଞ ଟିବୋର୍ କାପୁ ରହିଛନ୍ତି।

ସ୍ୱାସ୍ଥ୍ୟ, ପଦାର୍ଥ ବିଜ୍ଞାନ ଓ ମହାକାଶ ପ୍ରଯୁକ୍ତି ବିଦ୍ୟା ସମେତ ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ପରୀକ୍ଷଣ କରିବା ପାଇଁ ଏହି ୪ ମହାକାଶଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୪ଟି ଦେଶର ସମ୍ପୃକ୍ତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି ଅଭିଯାନ ଜୁନ୍ ୨୬ରୁ ଆରମ୍ଭ ହୋଇଥିଲା। ଅଂଶଗ୍ରହଣକାରୀ ରାଷ୍ଟ୍ରଙ୍କ ବ୍ୟତୀତ ୩୧ଟି ଦେଶ ଆକ୍ସ-୪ ମିସନରେ ଯୋଗଦାନ ଦେଇଛନ୍ତି। ଇଏସ୍ଏ କହିଛି, ତାରିଖ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଏବଂ ଏହା ଡ୍ରାଗନ୍ ମହାକାଶଯାନର ପୁନରୁଦ୍ଧାର ଉପରେ ନିର୍ଭର କରେ। ପ୍ରଥମେ ଜୁଲାଇ ୧୦ ତାରିଖରେ ଦଳ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବାର ଥିଲା, କିନ୍ତୁ ଇଏସ୍ଏ ସ୍ପଷ୍ଟ ସମୟସୀମା ବିନା ସ୍ଥଗିତ ଘୋଷଣା କରିବା ପାଇଁ ଏହା ନିଜ ୱେବ୍‌ସାଇଟ୍‌ରେ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦର୍ଶାଇଛି।

Leave a Reply

Your email address will not be published. Required fields are marked *