ମହାମହିମଙ୍କୁ ଅପମାନ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ କରିଛି ବିଜେପି । କଂଗ୍ରେସ ଅଧ୍ୟକ୍ଷ, ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ନାଁର ଭୁଲ ଉଚ୍ଚାରଣ କରି ମହିଳା, ଦଳିତ ଓ ଆଦିବାସୀ ବର୍ଗକୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୌରବ ଭାଟିଆ ।
ଅଭିଯୋଗ ପରେ ଖଡଗେ ଏହାକୁ ଟଙ୍ଗ୍ ସ୍ଲିପ କହି ସଫେଇ ଦେଇଥିବା ବେଳେ ଜାଣିଶୁଣି ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ଏପରି କହିଥିବା ଅଭିଯୋଗ କରିଛି ବିଜେପି । ଶୀର୍ଷ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ କଂଗ୍ରେସର ସଂକୀର୍ଣ୍ଣ ଜାତିବାଦୀ ଓ ସମ୍ବିଧାନ ବିରୋଧୀ ଚିନ୍ତାଧାରାର ପ୍ରମାଣ ବୋଲି କହିଛନ୍ତି ବିଜେପି ମୁଖପାତ୍ର । ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ନାମ ଉଚ୍ଚାରଣ କରିବାକୁ ଯାଇ ମୁରମା ଓ ପୂର୍ବତନ ରାଷ୍ଟ୍ରପତିଙ୍କୁ କୋଭିଡ ବୋଲି କହିଥିଲେ କଂଗ୍ରେସ ଅଧ୍ୟକ୍ଷ ।
ଗତ ଫେବୃଆରୀରେ ବଜେଟ୍ ଅଧିବେଶନର ପ୍ରଥମ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅପମାନ ଜନକ ଶବ୍ଦ ବ୍ୟବହାର କରିଥିଲେ । ରାଷ୍ଟ୍ରପତିଙ୍କ ଭାଷଣକୁ ସମାଲୋଚନା କରିବା ସହ ତାଙ୍କୁ ‘ବିଚାରୀ ମହିଳା’ ବୋଲି କହିଥିଲେ । ସୋନିଆଙ୍କ ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମତୀ ଗାନ୍ଧୀଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା ସର୍ବୋଚ୍ଚ ସାମ୍ବିଧାନିକ ପଦର ମର୍ଯ୍ୟାଦା ପ୍ରତି ବିରୋଧୀଙ୍କ ଅବମାନନାକୁ ଦର୍ଶାଉଛି ବୋଲି କହିଥିଲେ। ବିରୋଧୀମାନେ ନିଜର ସାମନ୍ତବାଦୀ ମାନସିକତାରେ ପଛୁଆ ବର୍ଗ ଓ ମହିଳା ସଶକ୍ତୀକରଣକୁ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆସିଥିବା ପରିବର୍ତ୍ତନକୁ ଉପହାସ କରିବାକୁ ପସନ୍ଦ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା କହିଥିଲେ ।