ଆଜି ସୁନାବେଶ

ସୁନାବେଶ ପାଇଁ ପୁରୀରେ ସକାଳୁ ପ୍ରବଳ ଭିଡ଼। ଗତକାଲି ରାତିରୁ ହିଁ ବହୁ ସଂଖ୍ୟାରେ ଭକ୍ତଙ୍କର ସୁଅ ଛୁଟିଛି। ସୁନାବେଶ ପାଇଁ ବଡ଼ଡାଣ୍ଡ ଓ ରଥପାଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବଡଦାଣ୍ଡର ଉଭୟ ପାର୍ଶ୍ଵରେ ବ୍ୟାରିକେଡ କରାଯାଇଥିବା ବେଳେ ଏତେ ଭିଡ଼ ହୋଇଛି ଯେ ସକାଳୁ ମାର୍କେଟ ଛକ ଠାରୁ ଧାଡ଼ିରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସେପଟେ ସହର ମଧ୍ୟକୁ ପ୍ରବେଶ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଯାଇଛି । ଟ୍ରାଫିକ୍ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ମାଳତୀପାଟପୁର ଓ ବାଟଗାଁରେ ଲୋକଙ୍କୁ ଏକ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିପାରେ । ଯାନବାହନର ପାସ୍ ବାତିଲ କରାଯାଇଛି । ଅର୍ଥାତ୍ ପାସ୍ ଥିଲେ ବି କୌଣସି ଯାନବାହନକୁ ସହର ମଧ୍ୟକୁ ପ୍ରବେଶ ଅନୁମତି ନାହିଁ। ସହରର ସାହି, ବଡ଼ଦାଣ୍ଡ ସଂଲଗ୍ନ ଗଳି ସବୁ ସିଲ୍ କରାଯାଇଛି। ବଡ଼ଦାଣ୍ଡକୁ ଗାଡ଼ି ପ୍ରବେଶ ନିଷେଧ କରାଯାଇଛି।

ଅନ୍ୟପଟେ ଆଜି ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବଡ ତଢ଼ାଉ ବେଶ ବା ସୁନାବେଶ। ରଥ ଉପରେ ଏହି ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ । ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି ଏବଂ ଅନେକ ପ୍ରକାର ମାଳି ସହ ମହଣ ମହଣ ସୁନାରେ ଝଟକିବେ ଦାରୁ ଦିଅଁ । ସକାଳୁ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ ,ତଡ଼ପଲାଗି ହୋଇ ମହାପ୍ରଭୁଙ୍କର ଚାଲିଛି ଅବକାଶ ନୀତି । ଅପରାହ୍ନ ୫ ଟାରୁ ୬ ଟା ଭିତରେ ସୁନାବେଶ ହେବେ ଶ୍ରୀଜୀଉ । ପରେ ରାତ୍ର ୧୦ଟାରୁ ୧୧ ଟା ମଧ୍ୟରେ ସୁନାବେଶ ମଇଲମ ହେବ । ଆଜି ମଧ୍ୟ ହରିଶୟନ ଏକାଦଶୀ । ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ରହିଛି ।

Leave a Reply

Your email address will not be published. Required fields are marked *