ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୋର୍ଟ ଅଫ୍ ସ୍ପେନର ରେଡ ହାଉସରେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାରଙ୍କୁ ସାକ୍ଷାତ କରିଛନ୍ତି । ସାମ୍ପ୍ରତିକ ନିର୍ବାଚନରେ ବିଜୟ ପରେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ତାଙ୍କୁ ଦିଆଯାଇଥିବା ଭବ୍ୟ ସ୍ୱାଗତ ପାଇଁ ମଧ୍ୟ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉଭୟ ନେତା କୃଷି, ସ୍ୱାସ୍ଥ୍ୟସେବା ଓ ଔଷଧ, ଡିଜିଟାଲ୍ ରୂପାନ୍ତରଣ, ୟୁପିଆଇ, ଦକ୍ଷତା ବିକାଶ, ସଂସ୍କୃତି, କ୍ରୀଡା ଏବଂ ପାରସ୍ପରିକ ଜନ-ସମ୍ପର୍କ ସମେତ ସମ୍ଭାବ୍ୟ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଛନ୍ତି । ବିକାଶ କ୍ଷେତ୍ରରେ ସହଯୋଗ ହେଉଛି ଭାରତ-ତ୍ରିନିଦାଦ ଏବଂ ଟୋବାଗୋ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ପ୍ରଧାନମନ୍ତ୍ରୀ ବିସେସାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ତ୍ରିନିଦାଦ ଏବଂ ଟୋବାଗୋର ଐତିହାସିକ ଗସ୍ତ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ଦ୍ୱିପାକ୍ଷିକ ସମ୍ପର୍କକୁ ପୁନଃ ଉଜ୍ଜୀବିତ କରିବ ।
ଉଭୟ ନେତା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ । ସେମାନେ ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଇବର ସୁରକ୍ଷା ଭଳି ସମସାମୟିକ ଚ୍ୟାଲେଞ୍ଜର ମୁକାବିଲା ନିମନ୍ତେ ଅଧିକ ସହଯୋଗ ଆହ୍ୱାନ କରିଥିଲେ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଜନସାଧାରଣଙ୍କୁ T&T ଦ୍ୱାରା ପ୍ରଦାନ କରାଯାଇଥିବା ଦୃଢ଼ ସମର୍ଥନ ଏବଂ ଏକତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଉଭୟ ନେତା ସମସ୍ତ କ୍ଷେତ୍ର ତଥା ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଦୋହରାଇଥିଲେ । ସେମାନେ ବିଶ୍ୱର ଦକ୍ଷିଣ ଭାଗରେ ଥିବା ଦେଶମାନଙ୍କ ମଧ୍ୟରେ ଅଧିକ ସଂହତି ଏବଂ ଭାରତ-CARICOM ସହଭାଗୀତାକୁ ସୁଦୃଢ଼ କରିବା ଦିଗରେ ଏକାଠି କାମ କରିବାକୁ ସହମତ ହୋଇଥିଲେ ।
ଆଲୋଚନା ପରେ, ଫାର୍ମାକୋପିଆ, ଦ୍ରୁତ ପ୍ରଭାବୀ ପ୍ରକଳ୍ପ, ସଂସ୍କୃତି, କ୍ରୀଡା, କୂଟନୈତିକ ତାଲିମ ଏବଂ ହିନ୍ଦୀ ତଥା ଭାରତୀୟ ଅଧ୍ୟୟନ ପାଇଁ ଆଇସିସିଆର ଚେୟାର କ୍ଷେତ୍ରରେ ଛଅଟି ବୁଝାମଣାପତ୍ର ଆଦାନପ୍ରଦାନ କରାଯାଇଥିଲା । ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଅନେକ ଘୋଷଣା କରାଯାଇଥିଲା, ଯେଉଁଥିରେ T&Tରେ ଭାରତୀୟ ବଂଶୋଦ୍ଭବଙ୍କ ଷଷ୍ଠ ପିଢ଼ିକୁ ଓସିଆଇ କାର୍ଡ ପ୍ରଦାନ ଅନ୍ତର୍ଭୁକ୍ତ । ଫଳାଫଳଗୁଡ଼ିକର ତାଲିକା ଏଠାରେ ଦେଖାଯାଇପାରିବ ।
ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ କମଳା ପର୍ସାଦ-ବିସେସାରଙ୍କୁ ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ତ୍ରିନିଦାଦ ଏବଂ ଟୋବାଗୋର ଐତିହାସିକ ଗସ୍ତ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିଛି ।