ଜୁଲାଇ ୪ରୁ ଦିଲ୍ଲୀରେ ଅନୁଷ୍ଠିତ ହେବ ତିନି ଦିନିଆ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ
ନୂଆଦିଲ୍ଲୀ:- ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଚଳିତ ବର୍ଷ ଦେଶର ରାଜଧାନୀ ଦିଲ୍ଲୀରେ ଆଗାମୀ ବିକ୍ରମ ସମ୍ବତ୍ ୨୦୮୨ ଆଷାଢ଼ ଶୁକ୍ଳ ନବମୀ, ଦଶମୀ ଏବଂ ଏକାଦଶୀରେ ଅର୍ଥାତ୍ ୪, ୫ ଏବଂ ୬ ଜୁଲାଇ୨୦୨୫ରେ ଆୟୋଜିତ ହେବ । ଏହି ବୈଠକ ଦିଲ୍ଲୀର ‘କେଶବ କୁଞ୍ଜ’ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।
ସାରା ଦେଶର ସମସ୍ତ ପ୍ରାନ୍ତ ପ୍ରଚାରକ, ସହ-ପ୍ରାନ୍ତ ପ୍ରଚାରକ, କ୍ଷେତ୍ର ପ୍ରଚାରକ ଏବଂ ସହ-କ୍ଷେତ୍ର ପ୍ରଚାରକ ବୈଠକରେ ଉପସ୍ଥିତ ରହିବେ। ସଂଘର ସଂଗଠନ ରଚନାରେ ମୋଟ ୧୧ଟି କ୍ଷେତ୍ର ଏବଂ ୪୬ଟି ପ୍ରାନ୍ତ ସୃଷ୍ଟି କରାଯାଇଛି। ସଂଘ ପ୍ରେରିତ ବିବିଧ ସଂଗଠନର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ। ଗତ ମାର୍ଚ୍ଚ ମାସରେ ପ୍ରତିନିଧି ସଭା ବୈଠକ ପରେ ସାରା ଦେଶରେ ଏପ୍ରିଲ, ମେ ଏବଂ ଜୁନ୍ ମାସରେ ସଂଘର ବିଭିନ୍ନ ସ୍ତରର ପ୍ରଶିକ୍ଷଣ ବର୍ଗ ସମାପ୍ତ ହେବା ପରେ ଆଗାମୀ ଯୋଜନାର କାର୍ଯ୍ୟାନ୍ୱୟନର ରୂପରେଖ ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।
ସଂଘର ସଦ୍ୟ ସମାପ୍ତ ହୋଇଥିବା ପ୍ରଶିକ୍ଷଣ ବର୍ଗର ବୃତ୍ତ ଏବଂ ସମୀକ୍ଷା, ଆଗାମୀ ଶତାବ୍ଦୀ ବର୍ଷ ପାଇଁ ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଯୋଜନାର କାର୍ଯ୍ୟାନ୍ୱୟନ, ୨୦୨୫-୨୬ ବର୍ଷ ପାଇଁ ସରସଂଘଚାଳକଜୀଙ୍କ ପ୍ରବାସ ଯୋଜନା ଭଳି ବିଷୟଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ସଂଘ ଶତାବ୍ଦୀ ବର୍ଷ (୨୦୨୫-୨୬) ର କାର୍ଯ୍ୟକ୍ରମ ଆଗାମୀ ବିଜୟା ଦଶମୀ ଅର୍ଥାତ୍ ୦୨ ଅକ୍ଟୋବର ୨୦୨୫ ରୁ ଆରମ୍ଭ ହୋଇ ଆସନ୍ତା ବର୍ଷ ବିଜୟାଦଶମୀ ୨୦୨୬ ପର୍ଯ୍ୟନ୍ତ ଜାରି ରହିବ।
ସରସଂଘଚାଳକ ଡକ୍ଟର ମୋହନଜୀ ଭାଗବତ, ସର କାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀ, ସମସ୍ତ ସହ-ସରକାର୍ଯ୍ୟବାହ ଡ. କୃଷ୍ଣ ଗୋପାଳ ଜୀ, ସି.ଆର. ମୁକୁନ୍ଦ ଜୀ, ଅରୁଣ କୁମାର ଜୀ, ରାମଦତ୍ତ ଜୀ, ଆଲୋକ କୁମାର ଜୀ, ଅତୁଲ ଲିମାଇ ଜୀଙ୍କ ସମେତ ସମସ୍ତ ଅଖିଳ ଭାରତୀୟ କାର୍ଯ୍ୟ ବିଭାଗର ପ୍ରମୁଖ ଓ ସହପ୍ରମୁଖ ଏବଂ କାର୍ଯ୍ୟକାରିଣୀର ସଦସ୍ୟମାନେ ଏହି ବୈଠକରେ ଯୋଗଦେବେ। ସରସଂଘଚାଳକ ଜୀ ବୈଠକ ପାଇଁ ୨୮ ଜୁନରେ ଦିଲ୍ଲୀରେ ପହଞ୍ଚିବେ।