ନୂଆଦିଲ୍ଲୀ: ଭାରତର ବିମାନ ସେବା କ୍ଷେତ୍ରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ- ଏଆଇ୧୭୧ (ବୋଇଂ ୭୮୭-୮ ଡ୍ରିମ୍ଲାଇନର) ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ୍ ମଧ୍ୟରେ ନିକଟସ୍ଥ ବି.ଜେ. ମେଡିକାଲ କଲେଜ ହଷ୍ଟେଲ ଉପରେ ଖସିପଡ଼ି ଜଳିଯାଇଥିଲା। ଏଥିରେ ୧୨ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୨୪୨ ଜଣ ଯାତ୍ରା କରୁଥିବାବେଳେ ଜଣେ ଯାତ୍ରୀ ରମେଶ ବିଶ୍ୱାସକୁମାର ଦୁର୍ଘଟଣାର ଶେଷ ମୁହୂର୍ତ୍ତରେ ଡେଇଁ ଜୀବନ ବଞ୍ଚାଇପାରିଛନ୍ତି। ଘଟଣାରେ ମେଡିକାଲ କଲେଜ ହଷ୍ଟେଲର ବହୁ ଛାତ୍ର ପ୍ରାଣ ହରାଇଥିବାବେଳେ ଅନେକେ ଗୁରୁତର ଆହତ ହୋଇଛନ୍ତି। ବିମାନଟି ଖଣ୍ଡବିଖଣ୍ଡିତ ହୋଇ ହଷ୍ଟେଲ ଓ ଏହାର ଚାରିପାଖରେ ପଡ଼ିଥିବାବେଳେ ସେହି ଭିତରୁ ଅନ୍ୟ ଯାତ୍ରୀଙ୍କୁ ଜୀବନ୍ତ ଖୋଜା ଯାଇପାରିନାହିଁ। ଶେଷ ହସ୍ତଗତ ତଥ୍ୟ ଅନୁଯାୟୀ, ଅହମଦାବାଦ ସିଭିଲ ହସ୍ପିଟାଲକୁ ମୋଟ ୨୬୫ଟି ମୃତଦେହ ଆସିଥିବା ଡିସିପି କାନନ ଦେଶାଇ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ମଧ୍ୟରେ ବିମାନ ଯାତ୍ରୀ, ହଷ୍ଟେଲ ଛାତ୍ର ଓ ସ୍ଥାନୀୟ ଲୋକେ ଥିବା କୁହାଯାଉଛି। ଅନେକ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ‘ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ’ ଏହାର ତଦନ୍ତ ଚଳାଇଛି। ଅନେକ ସୁରକ୍ଷା ବୈଶିଷ୍ଟ୍ୟ ଥିବା ବୋଇଂ ୭୮୭-୮ ଡ୍ରିମ୍ଲାଇନର ବିମାନର ଏହା ପ୍ରଥମ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି।