ଆତ୍ମନିର୍ଭର ଭାରତ, ସ୍ୱାବଲମ୍ବୀ ଭାରତ ତଥା ସଶକ୍ତ ଭାରତ ନିର୍ମାଣ ନିମନ୍ତେ ରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥାକୁ ଗତି ଦେବା ପାଇଁ ଆମେ ଓଡ଼ିଶାର ସମସ୍ତ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପ୍ରତିବଦ୍ଧ ଅଟୁ

ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ପ୍ରାଦେଶିକ ସମ୍ପାଦକ ସମ୍ମିଳନୀ ଉଦ୍‌ଯାପିତ
ଆଜିର ପରିବର୍ତ୍ତିତ ପରିସ୍ଥିତିରେ ଆମର ବିଦ୍ୟାଳୟ ଓ ବିଦ୍ୟାଳୟ ଶିକ୍ଷା ଯୁଗାନୁକୂଳ ହେବା ଆବଶ୍ୟକତା ରହିଛି । ଶିକ୍ଷା ଶାଶ୍ୱତ, ସନାତନୀ ଓ ଚିରନ୍ତନୀ ଅଟେ । ଶିକ୍ଷାର ଲକ୍ଷ୍ୟ, ଜୀବନର ଲକ୍ଷ୍ୟ ସମାଜ କଲ୍ୟାଣକାରୀ ଓ ମାନବ କଲ୍ୟାଣକାରୀ ହେଉ ।
ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି, ଓଡ଼ିଶାଙ୍କ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରାଦେଶିକ ସମ୍ପାଦକ ସମ୍ମିଳନୀ ସମାପିତ ହୋଇଯାଇଅଛି । ଏଥିରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ମାନନୀୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମନିର୍ଭର ଭାରତ, ସ୍ୱାବଲମ୍ବୀ ଭାରତ ତଥା ସଶକ୍ତ ଭାରତ ନିର୍ମାଣ ପାଇଁ ରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥାକୁ ଗତି ଦେବା ପାଇଁ ଆମେ ଓଡ଼ିଶାର ସମସ୍ତ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ପ୍ରତିବଦ୍ଧ ଅଟୁ । ବିଦ୍ୟାଳୟ ପରିଚାଳନା ପାଇଁ ଆସୁଥିବା ବିଭିନ୍ନ ସମସ୍ୟାଗୁଡ଼ିକୁ ସଫଳତାର ସହିତ ମୁକାବିଲା କରିବା ଏଥିପାଇଁ ସରକାରୀ ନୀତିନିୟମକୁ ଗ୍ରହଣ କରିବା ସହିତ ସହଯୋଗୀ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ମହା ମନ୍ତ୍ରୀ ଶ୍ରୀଯୁକ୍ତ ଦେଶରାଜ ଶର୍ମା ତାଙ୍କ ମାର୍ଗଦର୍ଶନରେ କହିଥିଲେ ଶିକ୍ଷା ଶାଶ୍ୱତ, ସନାତନୀ ଓ ଚିରନ୍ତନୀ ଅଟେ । ଶିକ୍ଷାର ଲକ୍ଷ୍ୟ, ଜୀବନର ଲକ୍ଷ୍ୟ ସମାଜ କଲ୍ୟାଣକାରୀ ଓ ମାନବ କଲ୍ୟାଣକାରୀ ହେଉ । ପରିବର୍ତ୍ତିତ ପରିସ୍ଥିତି ଓ ସମୟାନୁସାରେ ଯୁଗାନୁକୂଳ ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଆଗାମୀ ପିଢ଼ି ପାଇଁ ଆମେ ପଥପ୍ରଦର୍ଶକ ହେବା ଉଚିତ ।
ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି ଡ. କିଶୋରଚନ୍ଦ୍ର ମହାନ୍ତି ଅଧ୍ୟକ୍ଷୀୟ ଅଭିଭାଷଣରେ ବ୍ୟକ୍ତ କରିଥିଲେ କି ଆମର ଲକ୍ଷ୍ୟ “ବସୁଧୈବ କୁଟୁମ୍ବକମ୍‌’’ ହେବା ଆବଶ୍ୟକ । ଜାତି, ବର୍ଣ୍ଣ, ଭାଷା ଭେଦର ଊର୍ଦ୍ଧ୍ୱରେ ରହି ଆମ୍ଭେମାନେ ସଂଗଠନ ସମ୍ପାଦନ ଓ ସମ୍ପର୍କ କାର୍ଯ୍ୟକୁ ଗତି ଦେବା ସହିତ ନିଜର ସ୍ୱଭାବକୁ ପରିମାର୍ଜିତ କରି ଆଦର୍ଶ କାର୍ଯ୍ୟକର୍ତ୍ତାର ଉଦାହରଣ ସୃଷ୍ଟି କରିବା । ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ସମ୍ପାଦକ ଡ. ସରୋଜକୁମାର ହାତୀ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସମ୍ମିଳନୀର ବିବରଣୀ ପାଠ କରିଥିବା ବେଳେ ଉତ୍ତର ପୂର୍ବ ସମ୍ଭାଗର ସଦସ୍ୟା ଡ. ଇନ୍ଦୁମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଦକ୍ଷିଣ ସମ୍ଭାଗ ସମ୍ପାଦକ ଶ୍ରୀଯୁକ୍ତ ରୁଦ୍ରମାଧବ ବାରିକ ମଞ୍ଚ କାର୍ଯ୍ୟ ସଂଚାଳନ କରିଥିଲେ । ବିଦ୍ୟା ଭାରତୀ ସହ ମନ୍ତ୍ରୀ, ଶ୍ରୀମତୀ ଗାୟତ୍ରୀ ବାହିନୀପତି, ବିଦ୍ୟା ଭାରତୀ ପୂର୍ବକ୍ଷେତ୍ରର ମନ୍ତ୍ରୀ ଡା. ଲକ୍ଷ୍ମୀକାନ୍ତ ମହାରଣା, ସହ ମନ୍ତ୍ରୀ ଶ୍ରୀ ହେମନ୍ତକୁମାର ପାଣିଗ୍ରାହୀ, ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ଡ. ଆନନ୍ଦ ରାଓ ପାର୍ଦ୍ଧୀ, କାର୍ଯ୍ୟକାରୀଣୀ ସଦସ୍ୟ, ଶ୍ରୀମାନ ଦିବାକର ଘୋଷ, ଶ୍ରୀମାନ ବିଜୟ ଗଣେଶ କୁଳକର୍ଣ୍ଣୀ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଉପାଧ୍ୟକ୍ଷ ଶ୍ରୀଯୁକ୍ତ କମଳାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ, ସଂଗଠନ ମନ୍ତ୍ରୀ ଶ୍ରୀମାନ ତାରକଦାସ ସରକାର ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ସମ୍ପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *