ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଆନୁକୂଲ୍ୟରେ ପ୍ରାଦେଶିକ ସମ୍ପାଦକ ସମ୍ମିଳନୀ ଉଦ୍‌ଘାଟିତ

ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଆନୁକୂଲ୍ୟରେ ପ୍ରାଦେଶିକ ସମ୍ପାଦକ ସମ୍ମିଳନୀ ଉଦ୍‌ଘାଟିତ
ବିଦ୍ୟାଭାରତୀ, ଶିକ୍ଷାବିକାଶ ସମିତି, ଓଡ଼ିଶାଙ୍କ ଆନୁକୁଲ୍ୟରେ ପ୍ରାଦେଶିକ ସମ୍ପାଦକ ସମ୍ମିଳନୀ ସରସ୍ୱତୀ ବିଦ୍ୟା ମନ୍ଦିର, କେଶବଧାମ, ଗତିରାଉତପାଟଣା, କଟକ ପରିସରରେ ଓଡ଼ିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ କରକମଳେ ଉଦ୍‌ଘାଟିତ ହୋଇଯାଇଛି। ସମାରୋହରେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧ୍ୟକ୍ଷ ଡ. କିଶୋର ଚନ୍ଦ୍ର ମହାନ୍ତ ଅଧ୍ୟକ୍ଷତା କରିଥିବା ବେଳେ, ବିଦ୍ୟାଭାରତୀ ଓ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଶ୍ରୀମାନ ଗୋବିନ୍ଦଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ଶିକ୍ଷା ବିକାଶ ସମିତି, ଓଡ଼ିଶା ଦ୍ୱାରା ପରିଚାଳିତ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ। ଶିଶୁ ବିଦ୍ୟା ମନ୍ଦିରରେ ଦିଆଯାଉଥିବା ଭାରତୀୟ ସଂସ୍କୃତି ପରମ୍ପରା ଓ ରାଷ୍ଟ୍ରୀୟ ଶିକ୍ଷା ବ୍ୟବସ୍ଥା ରାଷ୍ଟ୍ର କୋଣାର୍କ ନିର୍ମାଣ ପାଇଁ ଧର୍ମପଦମାନଙ୍କୁ ସୃଷ୍ଟି କରୁଛି। ଯେଉଁମାନଙ୍କ ଦ୍ୱାରା ଏକ ସମର୍ଥ ଭାରତ ତଥା ବିକଶିତ ଭାରତ ନିର୍ମାଣ ହେବ। ମୁଖ୍ୟବକ୍ତା ବିଦ୍ୟାଭାରତୀଙ୍କ ସଂଗଠନ ମନ୍ତ୍ରୀ ଶ୍ରୀମାନ ଗୋବିନ୍ଦଚନ୍ଦ୍ର ମହାନ୍ତ ମାର୍ଗଦର୍ଶନରେ କହିଥିଲେ ୪୮ ବର୍ଷ ମଧ୍ୟରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଶାରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠା ସୃଷ୍ଟି କରିଛି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ୧୦ମ ଶ୍ରେଣୀ ସରକାରୀ ବୋର୍ଡ଼ ପରୀକ୍ଷା ବିଭିନ୍ନ ବୃତ୍ତି ଓ ମେଧା ପରୀକ୍ଷାରେ ଯେଉଁଭଳି ଭାବେ ସଫଳତା ପ୍ରାପ୍ତ କରୁଛନ୍ତି ଓଡ଼ିଆ ମାଧ୍ୟମ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଏକ ଊଦାହରଣ ସୃଷ୍ଟି ହୋଇପାରିଛି। ବିଦ୍ୟା ଭାରତୀର ପୂର୍ବଛାତ୍ରମାନେ ପୃଥିବୀର କୋଣ ଅନୁକୋଣରେ ପ୍ରାଶାସନିକ କ୍ଷେତ୍ରରେ, ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ରାଜନୀତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୧୯୫୨ ମସିହାରେ ବିଦ୍ୟା ଭାରତୀ ଯେଉଁ ଶିକ୍ଷାନୀତି ପ୍ରଚଳନ କରିଥିଲେ ବର୍ତ୍ତମାନ କେନ୍ଦ୍ର ସରକାର ତାହାକୁ ସାରା ଦେଶରେ ପ୍ରଚଳନ କରାଇଛନ୍ତି। ଏପରିକି ଓଡ଼ିଶାର ନୂତନ ସରକାର ରାଜ୍ୟରେ ଏହି ଶିକ୍ଷାନୀତିକୁ ଲାଗୁ କରୁଥିବାରୁ ଭୂୟଶୀ ପ୍ରଶଂସା କରିଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାର ସଂଗଠନ ମନ୍ତ୍ରୀ ଶ୍ରୀମାନ ତାରକଦାସ ସରକାର ସମ୍ମିଳନୀର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମାନଙ୍କରେ ଶିକ୍ଷଣ ଗତିବିଧିର ଗୁଣାତ୍ମକ ମାନ ବୃଦ୍ଧି ତଥା ରାଣୀ ଅହିଲ୍ୟାବାଈ ହୋଲକରଙ୍କର ୩୦୦ ବର୍ଷ ପୂର୍ତ୍ତି ଭଳି ଏକ ଗୌରବମୟ ବର୍ଷ ପୂର୍ତ୍ତି ଅବସରରେ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ ଭଳି ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ବୋଲି କହିଥିଲେ। ଶିକ୍ଷା ବିକାଶ ସମିିତି, ଓଡ଼ିଶାଙ୍କ ସଭାପତି ସମ୍ପାଦକ ବନ୍ଧୁମାନଙ୍କୁ ନିଜ ନିଜ କ୍ଷେତ୍ରରେ ସମ୍ପାଦକ ସମ୍ମିଳନୀର ଲକ୍ଷ ଓ ଉଦ୍ଦେଶ୍ୟ ସାଧନ ପାଇଁ ମାତୃଭାଷା ମାଧ୍ୟମରେ ଶିକ୍ଷା ଦେଇ ରାଷ୍ଟ୍ର ନିର୍ମାଣର ନୂତନ ପିଢ଼ି ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ। ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସମ୍ପାଦକ ଡ. ସରୋଜକୁମାର ହାତୀ ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଉମେଶଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ଶିକ୍ଷାବିକାଶ ସମିତି, ଓଡ଼ିଶା ଦ୍ୱାରା ପରିଚାଳିତ ୯୮୦ ବିଦ୍ୟାଳୟରୁ ସମ୍ପାଦକ, ସଙ୍କୁଳ ପ୍ରମୁଖ ଜିଲ୍ଲା ଓ ସହ ଜିଲ୍ଲା ପ୍ରମୁଖ, ସମ୍ଭାଗ କାର୍ଯ୍ୟକର୍ତ୍ତା, ପ୍ରାଦେଶିକ କାର୍ଯ୍ୟକର୍ତ୍ତା, କେନ୍ଦ୍ରୀୟ ଅଧିକାରୀ ଓ ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ମୋଟ ୧୨୭୮ ଜଣଙ୍କ ସମାବେଶ ହୋଇଥିଲା। ଆଜିର ଦିନରେ ଉଦଘାଟିତ କାର୍ଯ୍ୟକ୍ରମ ଆସନ୍ତାକାଲି ୮ ତାରିଖ ଅପରାହ୍ଣ ୨ ଘଟିକାରେ ସମାପନ ହେବ। ସରସ୍ୱତୀ ବିଦ୍ୟା ମନ୍ଦିର, କେଶବଧାମ, ଗତିରାଉତପାଟଣା, କଟକର ସମସ୍ତ କର୍ମକର୍ତ୍ତା, ଗୁରୁଜୀ ଗୁରୁମା ସମେତ ଓଡ଼ିଶାର ବିଭିନ୍ନ ଶିଶୁ ବିଦ୍ୟା ମନ୍ଦିରରୁ ୧୫୦ ଜଣ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଞ୍ଚାଳନ ହୋଇଥିଲା।

Leave a Reply

Your email address will not be published. Required fields are marked *