ଭାରତ-ପାକିସ୍ତାନ ଯୁଦ୍ଧ ହେବ ଆଉ ଏଥିରେ ଚୀନକୁ ଅଣଦେଖା କରାଯିବ ଏହା ସମ୍ଭବ ନୁହେଁ

ନୂଆଦିଲ୍ଲୀ ୭।୬: କଂଗ୍ରେସ ସାଂସଦ ଶଶି ଥରୁର ଆମେରିକାର ୱାସିଂଟନ ଡିସିରେ ଏକ କାର୍ଯ୍ୟକ୍ରମ କାଳରେ ଭାରତ-ପାକ୍ ଉତ୍ତେଜନା ଓ ଏଥିରେ ଚୀନ୍ ର ଭୂମିକାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନର ୮୧% ସୈନ୍ୟ କ୍ଷମତା ଚୀନରୁ ଆସିଥାଏ, ଏଣୁ ଭାରତ-ପାକିସ୍ତାନ ଯୁଦ୍ଧ ହେବ ଆଉ ଏଥିରେ ଚୀନକୁ ଅଣଦେଖା କରାଯିବ ଏହା ସମ୍ଭବ ନୁହେଁ। ଥରୁର ଏବେ ଭାରତୀୟ ସଂସଦୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି ଓ ନିକଟରେ ହୋଇଥିବା ଅପରେସନ ସିନ୍ଦୂର ପରେ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ଗୁମର ଖୋଲୁଛନ୍ତି। 

ଥରୁର କହିଛନ୍ତି ଯେ ଚୀନ୍‌ ଓ ପାକିସ୍ତାନ ମେଣ୍ଟ କେବଳ ସାମରିକ ସହଯୋଗରେ ସୀମିତ ନାହିଁ। ଚୀନ୍-ପାକିସ୍ତାନ ଇକୋନମିକ କରିଡୋର (ସିପିଇସି)କୁ ଥରୁର ଚୀନ୍ ର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ)ର ସବୁଠୁ ବଡ଼ ପ୍ରୋଜେକ୍ଟ ବୋଲି କହିଛନ୍ତି। ଥରୁରଙ୍କ କହିବା କଥା ହେଉଛି ଏହି ପ୍ରକଳ୍ପ ମାଧ୍ୟମରେ  ପାକିସ୍ତାନର ଆର୍ଥିକ, ରଣନୈତିକ ଓ ସୈନ୍ୟ ନୀତିରେ ଚୀନ୍‌ ଗଭୀର ଭାବେ ପ୍ରବେଶ ରହିଛି। ଶଶିଥରୁର କହିଛନ୍ତି ଯେ ନିକଟରେ ହୋଇଥିବା ଯୁଦ୍ଧରେ ଚୀନ୍‌ ର ‘କିଲ ଚେନ୍’ ଟେକ୍ନୋଲଜି ଉପଯୋଗ କରିଥିଲା ପାକିସ୍ତାନ। 

ଏହି ଟେକ୍‌ନିକ୍ ରେ ରାଡାର, ଜିପିଏସ୍, ମିସାଇଲ ଓ ଫାଇଟର ଜେଟ୍ କୁ ଏକଠି ସଂଯୁକ୍ତ କରାଯାଏ, ଯେପରି ଏକଦମ ସଠିକ ଓ ସମନ୍ୱିତ ଆକ୍ରମଣ କରିହେବ। ଏଣୁ ଭାରତ ତୁରନ୍ତ ନିଜର ରଣନୀତି ବଦଳାଇ ପାକିସ୍ତାନର ୧୧ଟି ବାୟୁସେନା ଘାଟିକୁ ଟାର୍ଗେଟ୍ କରିଥିଲା ଓ ଏଥିରେ ଚୀନ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଭେଦ କରା ଯାଇଥିଲା ବୋଲି ଥରୁର କହିଛନ୍ତି।   ଥରୁର କହିଛନ୍ତି ଯେ ୨୨ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ପ୍ରେସ୍ ବିଜ୍ଞପ୍ତି ଆସିଲା ଏଥିରେ ପ୍ରଥମେ ‘ଦି ରେଜିଷ୍ଟାନ୍ସ ଫୋର୍ସ’ର ନାମ ଥିଲା। 

ରେଜିଷ୍ଟାନ୍ସ ଫୋର୍ସ ପାକିସ୍ତାନ ସମ୍ପର୍କିତ ଏକ ଆତଙ୍କବାଦ ସଙ୍ଗଠନ। ତେବେ ପରେ ଚୀନ୍ ଓ ପାକିସ୍ତାନ ଚାପରେ ଏହି ନାମକୁ ହଟାଇ ଦିଆଯାଇଥିଲା। ଥରୁର କହିଛନ୍ତି ଯେ ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପାକିସ୍ତାନ ସହିତ ଚୀନ୍ ଛିଡା ହେଉଛି। ଶଶି ଥରୁର କହିଛନ୍ତି ଯେ ଗତ ବର୍ଷମାନଙ୍କରେ ଚୀନ୍‌ ସହ ସମ୍ପର୍କ ସୁଧାର ନିମନ୍ତେ ଭାରତ ଉଦ୍ୟମ କରିଆସିଛି। ଦୁଇ ଦେଶଙ୍କ ମଧ୍ୟରେ ବ୍ୟବସାୟ ମଧ୍ୟ ଏବେ ରେକର୍ଡ ସ୍ତରରେ। ହେଲେ ନିକଟରେ ହୋଇଥିବା ଯୁଦ୍ଧ ଏହା ପ୍ରମାଣିତ କରିଛି ଯେ ଚୀନ କେତେ ଚାଲାକ ଓ ତାର ରଣନୀତି କେତେ ବିପଦଜନକ।  

ଥରୁର କହିଛନ୍ତି ଯେ ଆମେ ଆପସି ଆଲୋଚନାର ସମର୍ଥକ, କିନ୍ତୁ ରଣନୈତିକ କ୍ଷତିକୁ ଅଣଦେଖା କରିବା ବୁଦ୍ଧିମାନର କାମ ନୁହେଁ। ଏଣୁ ଭାରତକୁ ଚୀନର ଦୋହରା ରଣନୀତିକୁ ନଜରରେ ରଖି ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ପଡିବ। ଥରୁରଙ୍କ ଏହି ବୟାନକୁ ଏବେ ଭାରତର ବିଦେଶ ଓ ସୁରକ୍ଷା ନୀତି ଦୃଷ୍ଟିକୋଣରୁ ଏକ ସ୍ପଷ୍ଟ ଓ ସାହାସିକ ଚେତାବନୀ ଭାବେ ଦେଖାଯାଉଛି। 

Leave a Reply

Your email address will not be published. Required fields are marked *