କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଦେଶରେ ଜନଜାତିଙ୍କ ବିକାଶ ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ। ନୂଆଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବାସଭବନରେ ଗଣମାଧ୍ୟମ ସହ ଆଲୋଚନା କରି ସେ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ଦେଶର ବିଭିନ୍ନ ଜନଜାତିଙ୍କ ବିକାଶରେ ଥିବା ପାର୍ଥକ୍ୟକୁ ପୂରଣ କରିବା ପାଇଁ ସବୁପ୍ରକାରର ପଦକ୍ଷେପ ନେଉଛି। ଶ୍ରୀ ଓରାମ କହିଛନ୍ତି ଯେ ସରକାର ୧୫ ନଭେମ୍ବର, ୨୦୨୪ ରୁ ୧୫ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ଜନଜାତି ଗୌରବ ବର୍ଷ ଭାବରେ ପାଳନ କରିବାକୁ ଅନୁମୋଦନ କରିଛନ୍ତି। ମନ୍ତ୍ରଣାଳୟ ସାରା ଦେଶରେ ଜନଜାତି ଗବେଷଣା ପ୍ରତିଷ୍ଠାନ (ଟିଆରଆଇ) ମାଧ୍ୟମରେ ଜାତୀୟ ଏବଂ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସହିତ ଏକ ବର୍ଷବ୍ୟାପୀ ଉତ୍ସବର ରୂପରେଖ ପ୍ରସ୍ତୁତ କରିଛି। ଏହି ବାର୍ଷିକ ଉତ୍ସବ ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ର ନିର୍ମାଣରେ ଜନଜାତି ନେତା ଏବଂ ସମ୍ପ୍ରଦାୟର ଅବଦାନକୁ ସମ୍ମାନ ଜଣାଇଥାଏ। ଶ୍ରୀ ଓରାମ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ-ଜନମନ ଏକ ପରିବର୍ତ୍ତନକାରୀ ନୀତି ସ୍ତରୀୟ ପଦକ୍ଷେପ ଯାହାର ଲକ୍ଷ୍ୟ ୧୮ଟି ରାଜ୍ୟ ଏବଂ ୧ କେନ୍ଦ୍ର ଶାସିତ ଅଞ୍ଚଳର ୭୫ଟି ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା। ସେ ସୂଚନା ଦେଇଥିଲେ ଯେ ୨୪,୧୦୪ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ: ୧୫,୩୩୬ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ: ୮,୭୬୮ କୋଟି ଟଙ୍କା) ବଜେଟ୍ ବ୍ୟୟ ସହିତ, ପିଏମ-ଜନମନ ପିଭିଟିଜି ସମ୍ପ୍ରଦାୟଗୁଡ଼ିକୁ ଅତ୍ୟାବଶ୍ୟକ ସେବାଗୁଡ଼ିକର ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କ ବାସସ୍ଥାନକୁ ଉନ୍ନତ କରିବା ଏବଂ ସେମାନଙ୍କର ସାମାଜିକ-ଆର୍ଥିକ ପ୍ରଗତିକୁ ସହଜ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତିନି ବର୍ଷ ମଧ୍ୟରେ ସୁରକ୍ଷିତ ବାସସ୍ଥାନ, ବିଶୁଦ୍ଧ ପାନୀୟ ଜଳ, ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟସେବା, ପୁଷ୍ଟିସାର, ସଡ଼କ ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ସ୍ଥାୟୀ ଜୀବିକା ସୁଯୋଗ ପ୍ରଦାନ କରିବା। ଏଥିରେ ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁର୍ଗା ଦାସ ଉଇକେ ଯୋଗ ଦେଇଥିଲେ।