ଗତ ୧୦ ବର୍ଷରେ ବିଭିନ୍ନ ଅପରାଧିକ ମାମଲାରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ସମ୍ପୃକ୍ତି

ଭୁବନେଶ୍ଵର : ଗତ ୧୦ ବର୍ଷରେ ବିଭିନ୍ନ ଅପରାଧିକ ମାମଲାରେ ୪୧ ଜଣ ବାଂଲାଦେଶୀ ନାଗରିକଙ୍କ ସମ୍ପୃକ୍ତି ରହିଥ‌ିବା ସାମ୍‌ନାକୁ ଆସିଛି। ନିକଟରେ ୧୦ ବାଂଲାଦେଶୀ ଦିବ୍ରୁଗଡ଼-ଚେନ୍ନାଇ ଏକ୍ସପ୍ରେସରେ ବେଙ୍ଗାଲୁରୁ ଯାଇଥିବା ବେଳେ ଭୁବନେଶ୍ବର ଷ୍ଟେସନରୁ ଧରାପଡ଼ିଥିଲେ । ଭାରତକୁ ଅନୁପ୍ରବେଶ ଲାଗି ୩୫ହଜାର ଟଙ୍କା ଓ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ବାବଦରେ ବାଂଲାଦେଶୀ ନାଗରିକଙ୍କୁ ୩୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଆସାମର ଧୁବ୍‌ ସୀମା ଦେଇ ଭାରତକୁ ଅନୁପ୍ରବେଶ କରିବା ପରେ ଏହାକୁ ପରିଚାଳିତ କରୁଥିବା ଜଗଦୀଶ ଦାସ ଘରେ ରହୁଥିଲେ ବୋଲି ଧରାପଡ଼ିଥିବା ମାଷ୍ଟରମାଇଣ୍ଡ ମହମ୍ମଦ ହାସିମ୍ ଚାଞ୍ଚଲ୍ୟକର ବୟାନ ଦେଇଥିଲା । ଏଇ ଗୋଟିଏ ଘଟଣା ନୁହେଁ, ଭଡ଼ା ଘରୁ ସିମ୍ ବକ୍ସ ଠାବ ଘଟଣାରେ ବାଂଲାଦେଶୀ ନାଗରିକ ଅଶାଦୂର ଜମାନ ଓ ଲିଙ୍ଗିପୁରରୁ ଏଟିଏମ୍ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟ୍‌ରେ ଦୁଇ ବାଂଲାଦେଶୀ ଖୋକନ ମୁକ୍ତା ଓ ମିଳାରୁଲ ରେହମାନ ମୁକ୍ତା ଓରଫ ରାଜୁର ସମ୍ପୃକ୍ତି ଥିଲା । ସ୍ଵତନ୍ତ୍ର କାର୍ଯ୍ୟବଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପରେ ଓଡ଼ିଶା ଛାଡ଼ି ତୁରନ୍ତ ପଳାଇବାକୁ ନିର୍ଦେଶ ଦିଆଯିବ। ବେଆଇନ ଭାବେ ରହୁଥ‌ିବା ବାଂଲାଦେଶୀଙ୍କ ତାଲିକା ସମ୍ପୃକ୍ତ ଦେଶର ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯିବ। ଦୁଇଦେଶର ମିଳିତ ସମନ୍ବୟରେ କିଭଳି ବାଂଲାଦେଶୀମାନେ ଯିବେ, ତା’ର ବ୍ୟବସ୍ଥା କରାଯିବ। ଓଡ଼ିଶା ନ ଛାଡ଼ିଲେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *