ଆମେ ଏତେ ଉଦାସୀନ କେମିତି

ଆମେ ଏତେ ଉଦାସୀନ କେମିତି

ସଂସଦରେ ୱାକଫ ସଂଶୋଧନ ବିଲ୍ ପାରିତ ହେବାପରେ ପ୍ରଥମେ ବିହାର ଜେଡିୟୁ ର ଦୁଇଜଣ ନେତା, ମହମ୍ମଦ କାସିମ୍ ଆନ୍ସାରୀ ଓ ମହମ୍ମଦ ନୱାଜ ମଲ୍ଲିକ ଦଳରୁ ଇସ୍ତଫା ଦେଇଛନ୍ତି, କାରଣ ସେମାନଙ୍କ ଦଳ ପାର୍ଲ୍ୟାମେଣ୍ଟରେ ବର୍ତ୍ତମାନର ୱାକଫ ସଂଶୋଧନ ବିଲ୍ କୁ ସମର୍ଥନ କରିଛି । ପରେପରେ ସେହିଦଳର ଆହୁରି ଏକାଧିକ ମୁସଲିମ୍ ନେତା ଦଳରୁ ଇସ୍ତଫା ଦେଲେ ।

ଲୋକସଭା ଓ ରାଜ୍ୟସଭାରେ ସମସ୍ତ ତଥ୍ୟ ସହିତ ଓ ଟିକିନିଖି ଦୀର୍ଘ ଆଲୋଚନା ହେଲାପରେ ୱାକଫ ଉପରେ ବର୍ତ୍ତମାନ ଆଉ କିଛିବି ଅବୁଝା ହୋଇ ରହିନାହିଁ । ଖାଲି ହିନ୍ଦୁ ସମାଜ ନୁହେଁ, ସମଗ୍ର ଦେଶକୁ ପ୍ରତାରିତ କରିବକୁ ହୋଇଥିବା ଷଡ଼ଯନ୍ତ୍ର ଆଲୁଅ କୁ ଆସିଛି । ଏହାର ନଗ୍ନ ସ୍ୱରୂପ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ୧୯୯୫ ଓ ୨୦୧୩ ରେ ତତ୍କାଳୀନ ସରକାରମାନେ ଯେଉଁ କୃତ୍ୟ କରିଥିଲେ ତା’ ଉପରେ ସେମାନେ ଆଜି ଯଦି କିଛି ସଫେଇ ଦିଅନ୍ତି, ତେବେ ତାହା କେବଳ ହାସ୍ୟାସ୍ପଦ ହିଁ ହେବ ।

ଉପରୋକ୍ତ ଜେଡିୟୁ ନେତାମାନେ ସେମାନଙ୍କ ଦଳର ନିଷ୍ପତ୍ତି କୁ ବିରୋଧକରି ଇସ୍ତଫା ଦେଇଛନ୍ତି ; କାରଣ ସେମାନେ ଭଲ ଭାବରେ ଜାଣନ୍ତି ସେମାନଙ୍କର ପ୍ରତ୍ୟେକଟି ପଦକ୍ଷେପ ପାଇଁ ସେମାନଙ୍କୁ ତୁରନ୍ତ ସେମାନଙ୍କ ସମାଜ କାଠଗଡାରେ ଠିଆ କରାଇବ । ତେଣୁ ସେମାନଙ୍କ ଉପରୋକ୍ତ ଆଚରଣ ସ୍ବାଭାବିକ, ସେଥିରେ ଆଚମ୍ବିତ ହେବାର କିଛି ନାହିଁ ।

କିନ୍ତୁ, ଗତ କିଛିଦିନ ଧରି ଓଡ଼ିଶାର କିଛି ରାଜନୈତିକ ଦଳ ଓ ରାଜନେତାଙ୍କର ବକ୍ତବ୍ୟ ଓ ଗତିବିଧି କୁ ଲକ୍ଷ୍ୟକଲେ ମନକୁ ସ୍ୱତଃ ପ୍ରଶ୍ନ ଆସେ : ଏମାନଙ୍କ ଭିତରେ ଏତେ ଔଦ୍ଧତ୍ୟ ଆସିଲା କେମିତି ??

ପ୍ରଥମତଃ ଏମାନେ ଭାବି ନେଇଛନ୍ତି : ଲୋକସଭା ଓ ରାଜ୍ୟସଭାରେ ହୋଇଥିବା ସମସ୍ତ ଆଲୋଚନା ତଥା ବିଭିନ୍ନ ଗଣମାଧ୍ୟମରେ ସେ ପ୍ରସଙ୍ଗରେ ହେଉଥିବା ପରସ୍ତ ପରସ୍ତ ପର୍ଯ୍ୟାଲୋଚନା କୁ ମୂର୍ଖ ଅଶିକ୍ଷିତ ଓଡ଼ିଆ ମାନେ ସମ୍ଭବତଃ ବୁଝି ପାରିନଥିବେ !!

ଦ୍ଵିତୀୟରେ : ଏମାନେ ମଧ୍ୟ ଭୁଲିଯାଇଛନ୍ତି ଯେ, ଓଡ଼ିଶା ଏପରି ଗୋଟିଏ ରାଜ୍ୟ , ଯାହାର ଅଧିକାଂଶ ଅଧିବାସୀ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ନିଜର ଇଷ୍ଟ ଭାବେ ଉପାସନା କରିଥାନ୍ତି ଏବଂ ଜଗନ୍ନାଥଙ୍କୁ ଯୁଗଯୁଗ ଧରି ଏ ଜାତି ନିଜ ରାଜ୍ୟର ରାଷ୍ଟ୍ର ଦେବତା ଭାବରେ ମାନି ଆସିଛି ।

ଶେଷରେ, ସେମାନଙ୍କର ଏହି ଅବଜ୍ଞା ଓ ଦୁଃସାହସର ପ୍ରଧାନ କାରଣଟି ହେଲା : ଚିରକାଳ ଉଦାସୀନ ହିନ୍ଦୁ ମାନଙ୍କୁ ଯେତେ ଅପମାନ , ଉପେକ୍ଷା ଓ ଅତ୍ୟାଚାରିତ କଲେ ମଧ୍ୟ ସେମାନେ ନୀରବ ରହିବେ । ଏ ନୀରବତା କୁ ଅହେତୁକ ଉଦାରତା ତ ନୁହେଁ , ଚରମ ଭୀରୁତା ଭାବରେ ହିଁ ଗଣ୍ୟ କରିନେଇଛନ୍ତି ସେମାନେ । ଯଥାର୍ଥରେ ତାହା ହିଁ ସତ୍ୟ ।

ଏକଥା ଆମ ଦେଶର ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ଭଲଭାବରେ ଜାଣିଛନ୍ତି ଯେ ଭୋଟ୍ ବ୍ୟାଙ୍କର ହିସାବ ରେ ହିନ୍ଦୁ ମାନଙ୍କୁ ଗଣତି କରିବାର ଆବଶ୍ୟକତା ନାହିଁ ।
ନିଜେ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ ଓଡିଶାର ଜଣେ ବିଜେଡି ରାଜ୍ୟସଭା ସାଂସଦ , ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ନିଜର ବିବେକାନୁମୋଦିତ ଭୋଟ୍ ଦେଇଥିବାରୁ ବର୍ତ୍ତମାନ ଦଳ ଭିତରେ ତାଙ୍କ ବିରୁଦ୍ଧରେ ଯେଉଁ ମୋର୍ଚ୍ଚା ଖୋଲାଯାଇଛି ଓ ସେହି ଦଳର ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ନେତା ଏହାକୁ ଯେପରି ସାମ୍ପ୍ରଦାୟିକ ରଙ୍ଗ ଦେଇ ସାରିଲେଣି, ତାହା ସମସ୍ତଙ୍କୁ ଚକିତ କରିଛି ।

କଂଗ୍ରେସ ଦଳ ଓ ତାହାର ନେତା ମାନଙ୍କର ବକ୍ତବ୍ୟରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଏ ପରିସ୍ଥିତିରେ ରାଜ୍ୟର ଶିକ୍ଷିତ ଓ ସଚେତନ ନାଗରିକ ଗୋଷ୍ଠୀ ନୀରବ ରହିବା ଆତ୍ମଘାତୀ ହିଁ ହେବ । ଏ ବିଷୟଟିକୁ ରାଜ୍ୟର ସମସ୍ତ ସାମାଜିକ ଗଣମାଧ୍ୟମରେ ଆଲୋଚନା ପରିସରଭୁକ୍ତ କରି ଲୋକଙ୍କୁ ସଜାଗ କରିବାର ଆବଶ୍ୟକତା ରହିଛି । ନିର୍ବାଚିତ ଜନପ୍ରତିନିଧି ଓ ରାଜନୈତିକ ଦଳମାନେ ସେମାନଙ୍କର ପ୍ରତ୍ୟେକଟି ଆଚରଣ ପାଇଁ ଆମ ନିକଟରେ ଉତ୍ତରଦାୟୀ , ଏହା ସେମାନଙ୍କୁ ହେଜ କରାଇବା ର ସମୟ ଆସିଛି ।

ଅନ୍ୟ କେଉଁ ଦଳ କି ଅନ୍ୟ କେହି ନେତା ଏହି ପ୍ରଶ୍ନ ସେମାନଙ୍କୁ ପଚାରିବ ଭାବି ଆମେ ଉଦାସୀନ ରହିଯିବା ଏକ ଅକ୍ଷମଣୀୟ ଅପରାଧ । ବ୍ୟକ୍ତିଗତ ଓ ସାମୁହିକ ଭାବରେ ଏ ଦାୟିତ୍ୱ ଟି ଆମର ।

୧୨୧୫/୧୪୫୭, ଖଣ୍ଡଗିରି ବାରି,
ଭୁବନେଶ୍ୱର ୩୦

ମୋ-୮୯୭୧୭୦୬୭୯୦

Leave a Reply