ମାର୍ଚ୍ଚ ୧ରୁ ଖୋଲିବ ରାସନ କାର୍ଡ ଆବେଦନ ପୋର୍ଟାଲ: ଯୋଗାଣମନ୍ତ୍ରୀ

ସମ୍ବଲପୁର: ମାର୍ଚ୍ଚ ୧ ତାରିଖରୁ ନୂତନ ରାସନ କାର୍ଡ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ରାସନ କାର୍ଡରୁ ବାଦ ପଡିଥିବା ହିତାଧିକାରୀମାନେ ଆବେଦନ କରିପାରିବେ। ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ଏକ ସମୀକ୍ଷା ବୈଠକରେ ଏହା କହିଛନ୍ତି।

ଯୋଗାଣ ମନ୍ତ୍ରୀ ପାତ୍ର ଏକ ଦିବସୀୟ ସମ୍ବଲପୁର ଗସ୍ତରେ ଶୁକ୍ରବାର ଆସିଥିଲେ। ଯୋଗାଣ ମନ୍ତ୍ରୀ ପୂର୍ବାହ୍ନରେ ସମ୍ବଲପୁରରେ ପହଞ୍ଚିବା ପରେ ସ୍ଥାନୀୟ ସାର୍କିଟ ହାଉସଠାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମୀକ୍ଷା ବୈଠକରେ ଯୋଗଦେବା ପରେ ମନ୍ତ୍ରୀ ପାତ୍ର କହିଛନ୍ତି ଯେ, ବିଭିନ୍ନ ଜିଲାର ସମୀକ୍ଷା କରାଯାଉଥିବା କ୍ରମରେ ଆଜିର ବୈଠକରେ ସମ୍ବଲପୁର ଜିଲାର ସମୀକ୍ଷା ହୋଇଛି। ଧାନ କିଣାବିକା କିଭଳି ହେଲା, ଅଧିକାରୀମାନଙ୍କ ସହଯୋଗ କିଭଳି ଥିଲା, ଆଉ କଣ କରିଲେ ଆଗାମୀ ଦିନରେ ଆହୁରି ଭଲ ହେବ, କେତେ ପ୍ରତିଶତ ଧାନ କିଣା ହୋଇଛି ଆଦି ବିଭିନ୍ନ ବିଷୟକୁ ନେଇ ବୈଠକରେ ଆଲୋଚନା ହୋଇଛି । ସମ୍ବଲପୁର ଜିଲାରେ ଧାନ କିଣା ବିନା କଟନୀ ଛଟନୀରେ ସୁରୁଖୁରୁରେ ପ୍ରାୟତଃ ଶେଷ ହୋଇଯାଇଛି। କିଛି ଅସୁବିଧା ଥିଲେ, ତାହାର ସମାଧାନ କରାଯିବ। କଟନୀ ଛଟନୀର ଖବର ମିଳିନାହିଁ । ଯେଉଁଠି ଏଭଳି ଖବର ଆସିଛି, ଆମେ ତୁରନ୍ତ ଆକ୍ସନ ନେଇ ମିଲ ସିଲ କରିଛୁ, ନୋଟିସ ଜାରି କରିଛୁ, ଅଧିକାରୀ ମାନଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। କୃଷକମାନେ ଯେଭଳି ଠିକ ଭାବରେ ପାଉଣା ପାଇବେ, ସରକାର ଗୁରୁତ୍ୱ ଦେଉଛନ୍ତି। ଖରିଫ ଧାନ କିଣାରେ ଚାଷୀମାନେ ବୋନସ/ସବସିଡି ପାଇଥିବା ବେଳେ ରବି ଧାନ କିଣାରେ ମଧ୍ୟ ନିଶ୍ଚିତ ରୂପେ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ସମ୍ବଲପୁର ଜିଲାରେ ଏହା ୯୨ ପ୍ରତିଶତ ଶେଷ ହୋଇଯାଇଛି। ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ। ୨୪ ବର୍ଷ କାଳ ସରକାର ଥିବା ସମୟରେ ହିଁ ଭୁତ ରାସନ କାର୍ଡ ଗୁଡିକ ହୋଇଛି ଏବଂ ବର୍ତ୍ତମାନ ସେଗୁଡିକୁ ଇ- କେୱାସି ଜରିଆରେ ପୁନଃ ସଂଶୋଧନ କରି ଛାଣି ଦିଆଯାଉଛି। ପ୍ରାୟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ କଟା ଗଲାଣି। ମୁଁ ଅନୁରୋଧ କରିଥିବାରୁ କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ଫେରାଇଛନ୍ତି । ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ସୂଚୀ ଆସି ଯାଇଛି ଏବଂ ସେ ଗୁଡିକର ସର୍ଭେ ହେବ। ଯେଉଁମାନଙ୍କର ପ୍ରକୃତରେ ଭଲ ଆୟ ରହିଛି, ସେମାନଙ୍କର ରାସନ କାର୍ଡ କଟିବ । କିନ୍ତୁ ଯେଉଁମାନେ ଗରିବ ବ୍ୟକ୍ତି ଏବଂ ସେମାନେ କୌଣସି ଋଣ କିମ୍ବା ଅନ୍ୟ କାରଣରୁ ଆୟକର ଦାଖଲ କରିଥିବେ, ସେମାନଙ୍କର ରାସନ କାର୍ଡ କଟିବନାହିଁ । ଏବେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବେ ଏବଂ ଅଯୋଗ୍ୟମାନଙ୍କର ରାସନ କାର୍ଡ କଟିବ। ମାର୍ଚ୍ଚ ୧ ତାରିଖରୁ ନୂତନ ରାସନ କାର୍ଡ ଆବେଦନ ପାଇଁ ପୋର୍ଟାଲ ଖୋଲିବ ଏବଂ ବାଦ ପଡିଥିବା ହିତାଧିକାରୀମାନେ ଆବେଦନ କରିପାରିବେ। ଆଗକୁ ସର୍ଭେ ହେବ ଏବଂ ସମସ୍ତ ଅଯୋଗ୍ୟ ହିତାଧିକାରୀମାନଙ୍କର ରାସନକାର୍ଡ କଟିବ ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *