ଧର୍ମ ଓ ବିଜ୍ଞାନର ସମନ୍ୱୟ – କୁମ୍ଭମେଳା
-ରବିନାରାୟଣ ପଣ୍ଡା
କୁମ୍ଭମେଳା ଭାରତୀୟ ସନାତନ ସଂସ୍କୃତି ଭଳି ବହୁ ପୁରାତନ । ଦେବାସୁର ଲଢେଇ ସହିତ କୁମ୍ଭମେଳା ଯୋଡ଼ି ହୋଇ ରହିଛି । ଇତିହାସ ଅନୁସାରେ ଦେବାସୁରଙ୍କ ମିଳିତ ସମୁଦ୍ର ମନ୍ଥନରୁ ଅମୃତ ବାହାରିଲା । ରାକ୍ଷସମାନେ ଦେବତାଙ୍କୁ ପରାସ୍ତ କରି ଅମୃତ ନିଜ ପାଖରେ ରଖିନେଲେ । ଅସୁରମାନଙ୍କ ଠାରୁ ଅମୃତକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଗୁରୁ ବୃହସ୍ପତି ଯୋଜନା ପ୍ରସ୍ତୁତ କଲେ । ସେଥିପାଇଁ ସେ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କୁ ପଠେଇଲେ । ଜୟନ୍ତଙ୍କୁ ସହଯୋଗ କରିବା ପାଇଁ ଚାରିଜଣ ଦେବତା ତାଙ୍କ ସହିତ ଯୋଗଦେଲେ । କଳସରେ ଥିବା ଅମୃତର ସୁରକ୍ଷା ଓ ଅମୃତ ଯେପରି ଚହଲି ପଡ଼ିନଯାଏ ସେଥିପାଇଁ ଚନ୍ଦ୍ରଙ୍କୁ ପଠାଗଲା । ଜୟନ୍ତଙ୍କ ସହିତ ଗଲେ ନିଜେ ସୂର୍ଯ୍ୟ ଦେବତା । ତାଙ୍କର କାମ ଥିଲା କଳସକୁ ଯେକୌଣସି କ୍ଷତିରୁ ରକ୍ଷା କରିବା ଅର୍ଥାତ ପାତ୍ର ଯେପରି ଭାଙ୍ଗି ନଯାଉ ।
ବୃହସ୍ପତି ନିଜେ ରାକ୍ଷସଙ୍କୁ ଅଟକେଇବା କାମରେ ନିୟୋଜିତ ହେଲେ । ଶନି ଜୟନ୍ତଙ୍କ ଉପରେ ନଜର ରଖିବା କାର୍ଯ୍ୟରେ ନିୟୋଜିତ ହେଲେ । ଜୟନ୍ତ ଲୋଭରେ ଆସି ଯେପରି ସବୁ ଅମୃତ ପିଇ ନଦିଅନ୍ତୁ ସେଥିପାଇଁ ଏପରି ଯୋଜନା ଦେବତାମାନେ ପ୍ରସ୍ତୁତ କରିଥିଲେ ।
ଦେବତାମାନେ ଅସୁରଙ୍କ ଠାରୁ ଅମୃତ ଚୋରେଇ ଆଣିଲେ ସତ କିନ୍ତୁ ଚାରିବୁନ୍ଦା ଅମୃତ ପୃଥିବୀ ଉପରେ ପଡିଗଲା । ଜୟନ୍ତ ଅମୃତ ନେଇ ପଳେଇ ଯାଉଥିବା ବେଳେ ରାକ୍ଷସ ତାଙ୍କର ପିଛା କଲେ ଓ ସଂଘର୍ଷ ହେଲା । ସଂଘର୍ଷ ସମୟରେ ଯେଉଁଠାରେ ଅମୃତ ପଡିଥିଲା ସେହି ଚାରୋଟି ସ୍ଥାନ ହେଉଛି ପ୍ରୟାଗ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକ । ସମସ୍ତ ସ୍ଥାନ ପବିତ୍ର ନଦୀ ନିକଟରେ ଅବସ୍ଥିତ । ନାସିକ ଅରୁଣ ଓ ବରୁଣ ନଦୀର ସଙ୍ଗମ ସ୍ଥଳ ଯେଉଁଠାରୁ ଗୋଦାବରୀ ନଦୀର ଆରମ୍ଭ ହୋଇଛି । ହରିଦ୍ୱାର ଗଙ୍ଗା ନଦୀ କୂଳରେ ଏବଂ ପ୍ରୟାଗ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ । ଉଜ୍ଜୟିନି ଶିପ୍ରା ନଦୀ କୂଳରେ ଅବସ୍ଥିତ । ଅମୃତ ଚୋରେଇବା ପାଇଁ ଜୟନ୍ତଙ୍କ ସହିତ ସୂର୍ଯ୍ୟ, ଚନ୍ଦ୍ର, ଶନି ଓ ବୃହସ୍ପତି ଯାଇଥିବାରୁ ସେହି ଗ୍ରହମାନଙ୍କ ଅବସ୍ଥାନ ଅନୁସାରେ କୁମ୍ଭର ସ୍ଥାନ ଓ ସମୟ ନିରୂପଣ କରାଯାଏ ।
ଚୈତ୍ର ମାସରେ ଯେବେ ଗୁରୁ ଓ ଶନି କୁମ୍ଭ ରାଶିରେ ଏବଂ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ଠିକ ସେହି ସମୟରେ ହରିଦ୍ୱାରରେ କୁମ୍ଭ ମେଳା ଆୟୋଜିତ ହୁଏ । ଚୈତ୍ର ମାସରେ ଯେତେବେଳେ ଗୁରୁ ସିଂହ ରାଶିରେ ଓ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରନ୍ତି ସେତେବେଳେ ଉଜ୍ଜୟିନୀ ରେ କୁମ୍ଭ ମେଳା ଆରମ୍ଭ ହୁଏ । ଭାଦ୍ରବ ମାସରେ ସୂର୍ଯ୍ୟ ଓ ବୃହସ୍ପତି ସିଂହ ରାଶି କିମ୍ବା ଚନ୍ଦ୍ର, ସୂର୍ଯ୍ୟ ଓ ବୃହସ୍ପତି ତିନି ଦେବତା ଯେତେବେଳେ ଅମାବାସ୍ୟାରେ କର୍କଟ ରାଶିରେ ରହନ୍ତି ସେତେବେଳେ ନାସିକରେ କୁମ୍ଭ ଅନୁଷ୍ଠିତ ହୁଏ । ଯେତେବେଳେ ମାଘ ମାସରେ ବୃହସ୍ପତି ମେଷ ବା ବୃଷ ରାଶିରେ ଅବସ୍ଥାନ କରନ୍ତି ଏବଂ ସୂର୍ଯ୍ୟ ଓ ନବଚନ୍ଦ୍ର ମିଶି ଶନିଙ୍କ ମକର ରାଶିରେ ଅବସ୍ଥାନ କରନ୍ତି ଠିକ ସେତିକି ବେଳେ ପ୍ରୟାଗରେ ପୂର୍ଣ୍ଣକୁମ୍ଭ ଅନୁଷ୍ଠିତ ହୁଏ ।
ରାକ୍ଷସମାନଙ୍କ ଠାରୁ ଅମୃତ ଆଣିବା କାର୍ଯ୍ୟ ଗୋଟିଏ ଦିନରେ ସମାପ୍ତ ହୋଇ ନଥିଲା । ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ ୧୨ ଦିନ ସମୟ ଲାଗିଥିଲା । ଦେବତାମାନଙ୍କର ଗୋଟିଏ ଦିନ ପୃଥିବୀ ପାଇଁ ଗୋଟିଏ ବର୍ଷ ସହ ସମାନ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଅନ୍ୟ ଏକ ବିଷୟ ହେଉଛି ଦେବ ଗୁରୁ ବୃହସ୍ପତି ଗୋଟିଏ ରାଶିରେ ୧ ବର୍ଷ ରହନ୍ତି । ୧୨ ଟି ରାଶି ଭ୍ରମଣ କରିବା ପାଇଁ ତାଙ୍କୁ ୧୨ ବର୍ଷ ଲାଗିଯାଏ । ବୃହସ୍ପତିଙ୍କ ଗତି ଅନୁସାରେ ୧୨ ବର୍ଷରେ ଥରେ ପ୍ରୟାଗର ତ୍ରିବେଣୀ ସଙ୍ଗମରେ କୁମ୍ଭ ମେଳା ହୁଏ, ଯାହାକୁ ପୂର୍ଣ୍ଣ କୁମ୍ଭ କୁହାଯାଏ । ୧୨ ଟି ପୂର୍ଣ୍ଣ କୁମ୍ଭ ଅର୍ଥାତ ୧୪୪ ବର୍ଷରେ ଥରେ ମହାକୁମ୍ଭ ଅନୁଷ୍ଠିତ ହୁଏ । ଚଳିତ ୨୦୨୫ କୁମ୍ଭମେଳା ମହାକୁମ୍ଭ ଅଟେ । ଚଳିତ ମହାକୁମ୍ଭରେ ୪୦ କୋଟି ଶ୍ରଦ୍ଧାଳୁଙ୍କ ସମାବେଶ ହେବ ବୋଲି ଆକଳନ କରାଯାଉଛି । ଯାହା ସମ୍ପୂର୍ଣ ଆମେରିକାର ଜନସଂଖ୍ୟା ଠାରୁ ଅଧିକ । ଭାରତ ଓ ଭାରତ ବାହାରୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବୁଡ଼ ପକେଇବା ପାଇଁ ନିଜର ଯୋଜନା ପ୍ରସ୍ତୁତ କରିଛନ୍ତି ।
ଗୁରୁ ବୃହସ୍ପତି ଖଗୋଳ ଅନୁସାରେ ପୃଥିବୀର ରକ୍ଷା କର୍ତା ଅଟନ୍ତି । ଯେତେ ସବୁ ଆଷ୍ଟ୍ରଏଡ଼ ପୃଥିବୀ ଆଡକୁ ଆସନ୍ତି ସେ ସବୁକୁ ବୃହସ୍ପତି ନିଜ ଆଡକୁ ଟାଣି ନିଅନ୍ତି । ଯେଉଁ କାରଣରୁ ପୃଥିବୀ ଧ୍ୱଂସ ନହୋଇ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି । ମାନବ ସଭ୍ୟତା ବଂଚି ରହିଛି । ବୃହସ୍ପତି ଆକାରରେ ବହୁତ ବଡ଼ ହୋଇଥିବା କାରଣରୁ ତାଙ୍କର ଗୁରୁତ୍ୱ ଆକର୍ଷଣ ଶକ୍ତି ପୃଥିବୀ ଠାରୁ ଅଧିକ । ଆକର୍ଷଣ ଶକ୍ତି ଅଧିକ ହୋଇଥିବା କାରଣରୁ ପୃଥିବୀ ଆଡକୁ ଆସୁଥିବା ବଡ଼ ବଡ଼ ଆଷ୍ଟ୍ରଏଡ଼ର ଗତି ପରିବର୍ତନ ହୋଇଯାଏ । ମହାଜାଗତିକ ଶକ୍ତି ଦ୍ୱାରା ପୃଥିବୀରେ ଧ୍ୱଂସ ଲୀଳା ସମ୍ଭବ ହୁଏ ନାହିଁ । ଗୁରୁ ବୃହସ୍ପତିଙ୍କୁ ଶ୍ରଦ୍ଧା ନିବେଦନ ପାଇଁ କୁମ୍ଭମେଳା ଭବ୍ୟ ଓ ଦିବ୍ୟ ସ୍ୱରୂପରେ ପାଳିତ ହୋଇ ଆସୁଛି । ବୈଦିକ କାଳଖଣ୍ଡ ପରେ କୁମ୍ଭମେଳାକୁ ସର୍ବାଧିକ ଜନପ୍ରିୟ କରେଇଥିବା ବ୍ୟକ୍ତି ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ ।
କୁମ୍ଭମେଳା କେବଳ ଶାସ୍ତ୍ର ଭିତରେ ସୀମିତ ନୁହେଁ ଏହା ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ । ଅଥର୍ବବେଦରେ ଚତୁର୍ଥ ମଣ୍ଡଳର ୩୪ ସୂକ୍ତରେ ଓ ୧୯ ମଣ୍ଡଳର ୫୩ ସୂକ୍ତରେ କୁମ୍ଭ ଶବ୍ଦ ବ୍ୟବହାର କରାଯାଇଛି (ପୂର୍ଣ୍ଣ: କୁମ୍ଭୋଧୀ କାଳ ଆହିତସ୍ତ ୱେ ପଶ୍ୟାମୋ…)ା ମହାଭାରତର ଅସ୍ତିକା ପର୍ବ ଓ ତୀର୍ଥ ଯାତ୍ରା ଖଣ୍ଡରେ ପ୍ରୟାଗରାଜରେ ସ୍ନାନର ମହତ୍ୱ ବର୍ଣ୍ଣନା କରାଯାଇଛି । ପଦ୍ମ ପୁରାଣ ଅନୁସାରେ କୁମ୍ଭମେଳା ସମୟରେ ସଙ୍ଗମ ସ୍ନାନ ମୋକ୍ଷ ପ୍ରଦାନ କରିଥାଏ । ମତ୍ସ୍ୟ ପୁରାଣରେ ମଧ୍ୟ ସମାନ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ହର୍ଷବର୍ଦ୍ଧନଙ୍କ ରାଜତ୍ୱ କାଳରେ ଚୀନ ପରିବ୍ରାଜକ ହୁଏନସାଂ ଭାରତ ଭ୍ରମଣ କରିଥିଲେ । ତାଙ୍କ ଭ୍ରମଣ ବୃତାନ୍ତରେ ମଧ୍ୟ କୁମ୍ଭମେଳାର ଉଲ୍ଲେଖ ଅଛି । ୨୦୧୭ ରେ ଯୁନେସ୍କୋ କୁମ୍ଭମେଳାକୁ ମାନବତାର ଅମୂର୍ତ ସାଂସ୍କୃତିକ ପରମ୍ପରା ସୂଚୀରେ ସାମିଲ କରିଛି ।
ମଠସାହି, ଭଦ୍ରକ
ଫୋନ-୯୪୩୭୦୧୭୮୫୭