ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିଲା ବର୍ଷେ। ରାମନଗରୀରେ ଉତ୍ସବର ମାହୋଲ। ସକାଳୁ ସକାଳୁ ଅଯୋଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ନଜର ଆସିଛି। ଜାନୁଆରି ୧୧ର ୧୩ ପର୍ଯ୍ୟନ୍ତ ୩ ଦିନ ଧରି ଉତ୍ସବର ଶୁଭ ଅବସର ସ୍ଥିର କରାଯାଇଛି।

ମନ୍ଦିର ଟ୍ରଷ୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକ ଏବଂ ପ୍ରାୟ ୧୧୦ ଜଣ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ। ଏଥିରେ ମଣ୍ଡପ ଏବଂ ଯଜ୍ଞଶାଳାରେ ଶାସ୍ତ୍ରୀୟ ସାଂସ୍କୃତିକ ପ୍ରଦର୍ଶନ, ରୀତିନୀତି ଏବଂ ପ୍ରତିଦିନ ରାମ କଥା ପ୍ରବଚନ ପ୍ରଦର୍ଶିତ ହେବ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, “ଗତବର୍ଷ ପ୍ରାରମ୍ଭିକ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇପାରିନଥିବା ସାଧାରଣ ଲୋକଙ୍କୁ ଟ୍ରଷ୍ଟ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ସେମାନଙ୍କୁ ଅଙ୍ଗଦ ତିଲାର ତିନି ଦିନର ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ଦିଆଯିବ।”

ଗତ ବର୍ଷ ଜାନୁଆରି ୨୨ ତାରିଖରେ ଭବ୍ୟ ଆୟୋଜନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ତିଥି ଅନୁଯାୟୀ ପ୍ରାଣ ପ୍ରତିଷ୍ଠାକୁ ଆଜି ଗୋଟିଏ ବର୍ଷ ପୂରଣ ହେଉଛି।

ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାବିଧି ପାଇଁ ଭବ୍ୟ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି।

Leave a Reply

Your email address will not be published. Required fields are marked *