ମଠ ମନ୍ଦିର ଜମି ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି ମଠାଧୀଶଙ୍କ ସମୂହ ଧାରଣା ସ୍ଥଗିତ

ମଠ ମନ୍ଦିର ଜମି ବିବାଦର ସମାଧାନ ପାଇଁ ପ୍ରତିଶ୍ରୁତି -ମଠାଧୀଶଙ୍କ ସମୂହ ଧାରଣା ସ୍ଥଗିତ

ପୁରୀ : ମଠ ଗୁଡ଼ିକର ବିଜେସ୍ଥଳୀ ଜମି ମାଲିକାନା ଦାବି ସମ୍ପର୍କରେ ଖୁବଶୀଘ୍ର ଆଲୋଚନା କରାଯିବ। ଏଥ‌ିପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ମଠ – ମନ୍ଦିର ଜମି ବିବାଦର ସମାଧାନ କରାଯିବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଠାରୁ ଏଭଳି ପ୍ରତିଶ୍ରୁତି ପାଇବା ପରେ ଡିସେମ୍ବର 27 ତାରିଖ ଠାରୁ ହେବାକୁ ଥ‌ିବା ମଠାଧୀଶଙ୍କ ସମୂହ ଧାରଣା ସ୍ଥଗିତ ରଖାଯାଇଛି। ଓଡ଼ିଶା ମଠାଧୀଶ ସେବା ସଂଘ ପକ୍ଷରୁ ଡିସେମ୍ବର 26 ତାରିଖ ଦିନ ସାମ୍ବାଦିକ ସମ୍ମିଳନୀରେ ଏଥ‌ିନେଇ ସୂଚନା ଦିଆଯାଇଛି। ସଂଘ ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମଠ ଗୁଡ଼ିକର ବିଜେ ସ୍ଥଳୀ ଜମି ମାଲିକାନା ସମ୍ପୃକ୍ତ ମଠ ନାମରେ ରେକର୍ଡ କରାଯିବା ପାଇଁ ସେଥୁରେ ଦାବି କରାଯାଇଛି। ମଠ ଗୁଡ଼ିକର ମାଫିତରେ ରହିଥ‌ିବା ଜମି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ କରି ଦିଆଯାଉ ଥ‌ିବାରୁ ମଠ ଗୁଡ଼ିକ ଭୂମିହୀନ ହୋଇ ଯାଉଥ‌ିବା ମଠାଧୀଶ ସଂଘ ଅଭିଯୋଗ କରିଛି । ବଡ଼ ଓଡ଼ିଆ ମଠ ମହନ୍ତ ବଂଶୀଧର ଦାସ, ଉତ୍ତର ପାର୍ଶ୍ଵ ମଠ ମହନ୍ତ ନାରାୟଣ ରାମାନୁଜ ଦାସ, ନେବଳ ଦାସ ମଠ ମହନ୍ତ ଡ. ରାମ ଚରଣ ଦାସ, ରାଧା ବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ, ରାଧାକାନ୍ତ ମଠ ମହନ୍ତ କୃଷ୍ଣ ଗୋପାଳ ଦାସ, ସିଦ୍ଧ ବକୁଳ ମଠ ମହନ୍ତ ଶ୍ରୀନିବାସ ଦାସ, ବଳରାମ କୋଟି ମଠ ମହନ୍ତ ରଘୁବୀର ଦାସ, ମହୀ ପ୍ରକାଶ ମଠ ମହନ୍ତ ସ୍ଵାମୀ ଶୁଭାନନ୍ଦ ପୁରୀ, ମଙ୍ଗୁ ମଠ ମହନ୍ତ ଭବାନୀ ଶଙ୍କର ଦାସ, ଗଙ୍ଗାମାତା ମଠ ମହନ୍ତ ବଳରାମ ଦାସ ଏବଂ ସାତ ଅସନ ମଠ ମହନ୍ତ କୃଷ୍ଣଚନ୍ଦ୍ର ଦାସ ପ୍ରମୁଖ ସେଥ‌ିରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *