ଦୁବାଇ ଯିବ ଗଜପତି ସପୁରି

ଦୁବାଇ ଯିବ ଗଜପତି ସପୁରି
ପାରଳଖେମୁଣ୍ଡି: ସପୁରି ଚାଷ ପାଇଁ ଗଜପତିରେ ଜଳବାୟୁ ପ୍ରାୟତଃ ଠିକ୍ ରହିଛି। ଏନେଇ ଚାଷୀମାନେ ଆଗ୍ରହ ସହିତ ସପୁରି ଚାଷ କରୁଛନ୍ତି। ଏଥିସହ ଭଲ ରୋଜଗାର ଆଶା ରଖିଛନ୍ତି। ଏଭଳି ପରିସ୍ଥିତିରେ ଚାଷୀ ପାଇଁ ଆଉ ଏକ ଖୁସି ଖବର ରହିଛି। ଗଜପତିରେ ଉତ୍ପାଦିତ ହେଉଥ‌ିବା ସପୁରି ଦୁବାଇ ଯିବ ବୋଲି ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୁଶାନ୍ତ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଗଜପତିରେ ବ୍ୟାପକ ପରିମାଣରେ ସପୁରି ଚାଷ ହୋଇଥାଏ। ପ୍ରତି ବର୍ଷ ଜିଲ୍ଲାରେ ୬୪୫୮ ମେଟ୍ରିକ୍ ଟନ୍ ସପୁରି ଉତ୍ପାଦନ ହେଉଛି। ଏହି ଜିଲ୍ଲାରେ ସିମାଞ୍ଚଳମ୍, କିଉ ଏବଂ କ୍ଳିନ୍ ପ୍ରଜାତିର ସପୁରି ଉତ୍ପାଦନ ହୋଇଥାଏ। କିନ୍ ପ୍ରଜାତିର ସପୁରିର ଦେଶ, ବିଦେଶରେ ଚାହିଦା ରହିଛି। ଆସନ୍ତା ବର୍ଷ ଏହି ସପୁରି ଦୁବାଇ ଯିବ। ଏନେଇ ଉଦ୍ୟାନ କୃଷି ବିଭାଗର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ଏହା ପଠାଯିବ । ଏହା ହେଲେ ଚାଷୀମାନେ ଉତ୍ସାହିତ ହେବେ। ସୂଚନା ଅନୁସାରେ, ଜିଲ୍ଲାର ୬୬୯ ହେକ୍ଟର ଚାଷ ଜମିରେ ସପୁରି ଚାଷ କରାଯାଉଛି। ରାୟଗଡ ବ୍ଲକରେ ସର୍ବାଧ‌ିକ ଚାଷ ହେଉଥିବା ବେଳେ ବର୍ଷକୁ ଏଠାରେ ପ୍ରାୟ ୨ ହଜାର ମେଟ୍ରିକ୍ ଟନ୍ ଉତ୍ପାଦିତ ହୋଇଥାଏ। ରାୟଗଡ଼ ବ୍ଲକ୍‌ର ଡାମ୍ବାଲା ପଞ୍ଚାୟତ ସିନ୍ଧବରେ ପ୍ରୋସେସିଂ ୟୁନିଟ୍ ରହିଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ଵାରା ଏହା ପରିଚାଳିତ ହେଉଛି। ଏକ ସ୍ବୟଂ ସହାୟକ ଗୋଷ୍ଠୀ ଏଠାରେ ସପୁରିକୁ ପ୍ରୋସେସିଂ କରି ବିଭିନ୍ନ ସାମଗ୍ରୀ ତିଆରି କରିଥାଆନ୍ତି। ଏହି ସବୁ ସାମଗ୍ରୀକୁ ଇନ୍ଦୋରର ଏକ ନିର୍ଦ୍ଦିଷ୍ଟ ସଂସ୍ଥା କିଣି ନେଇଥାଏ।

Leave a Reply

Your email address will not be published. Required fields are marked *