ଭାରତୀୟ ସୈନିକ ପିନ୍ଧିବେ ସ୍ବଦେଶୀ ବୁଲେଟପ୍ରୁଫ୍ ଜ୍ୟାକେଟ୍ ଅଭେଦ

ନୂଆଦିଲ୍ଲୀ: ‘ଅଭେଦ୍ୟ’ର ଅର୍ଥ ହେଉଛି ଯାହାକୁ ପ୍ରବେଶ କରାଯାଇପାରିବ ନାହିଁ। ଏବେ ଶତ୍ରୁପକ୍ଷର ଗୁଳି ଭାରତୀୟ ଯବାନଙ୍କୁ ଛୁଇଁପାରିବ ନାହିଁ । ଭାରତୀୟ ସେନା ପାଇଁ ଏଭଳି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରାଯାଇଛି। ଖାସ୍ କଥା ହେଉଛି ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ।

ଭାରତୀୟ ସୈନିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ନାମ ହେଉଛି ଅଭେଦ (ଆଡଭାନ୍ସଡ୍ ବାଲିଷ୍ଟିକ ଫର ହାଇଏନର୍ଜି ଡିଫିଟ୍)। ଡିଆରଡିଓ ଏବଂ ଆଇଆଇଟି ଦିଲ୍ଲୀ ମିଳିତ ଭାବେ ଏହି ବୁଲେଟପ୍ରୁଫ୍ ଜ୍ୟାକେଟ୍ ତିଆରି କରିଛନ୍ତି। ଖାସ୍ କଥା ହେଉଛି ଏହା ଓଜନରେ ଏତେ ହାଲୁକା ଯେ ସୈନିକମାନେ ଏହାକୁ ସହଜରେ ପିନ୍ଧି ପାରିବେ ଏବଂ ଯେକୌଣସି ଅପରେସନ କରିପାରିବେ ।

ଓଜନରେ ହାଲୁକା ହେବା ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ । ଏହାର ଓଜନ ୮.୨ କେଜିରୁ ୯.୫ କେଜି ମଧ୍ୟରେ ରହିଛି। ବିଭିନ୍ନ ବ୍ୟାଲେଷ୍ଟିକ୍ ପାଇଁ ଭିନ୍ନ ଭିନ୍ନ ଜ୍ୟାକେଟ୍ ରହିଛି। ଏହି ଜ୍ୟାକେଟରେ ଷ୍ଟିଲ ବୁଲେଟକୁ ମଧ୍ୟ ରୋକାଯାଇପାରିବ । ଏହା ଏକ ମଡ୍ୟୁଲାର ଡିଜାଇନର ଜ୍ୟାକେଟ୍ । ଏହା ସମ୍ମୁଖ ଓ ପଛ ପାଖ ସହିତ ୩୬୦ ଡିଗ୍ରୀ ସୁରକ୍ଷା ପ୍ରଦାନ କରିଥାଏ । ଏହି ଜ୍ୟାକେଟ୍ ପଲିମର୍ ଏବଂ ସ୍ୱଦେଶୀ ବୋରୋନ୍ କାର୍ବାଇଡ୍ ସିରାମିକ୍ ସାମଗ୍ରୀରୁ ତିଆରି କରାଯାଇଛି। ଆର୍ମର ପ୍ଲେଟ୍ ପ୍ରୋଟୋକଲ୍ ଅଧୀନରେ ସମସ୍ତ ଆବଶ୍ୟକ ପରୀକ୍ଷା କରିବା ପରେ ହିଁ ସେନା ଏହାକୁ ଚୟନ କରିଛି। ଆଇଆଇଟି ଦିଲ୍ଲୀର ଡିଆରଡିଓର ଡିଆଇଏ-ସିଓଇ ଏହି ଜ୍ୟାକେଟ୍ ଉତ୍ପାଦନ ପାଇଁ ତିନୋଟି ଘରୋଇ କମ୍ପାନୀ ସହ ଚୁକ୍ତି କରିଛି। ଖୁବଶୀଘ୍ର ଏହି ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭାରତୀୟ ଯବାନଙ୍କୁ ଦିଆଯିବ।

Leave a Reply

Your email address will not be published. Required fields are marked *