ବିଦ୍ୟୁତ୍‌ ଚୋରି ଅଭିଯୋଗରେ ସମ୍ଭଲ ସାମ୍ପ୍ରଦାୟିକ ଦଙ୍ଗାର ପ୍ରମୁଖ ଅଭିଯୁ୍କ୍ତ ସ୍ଥାନୀୟ ସମାଜବାଦୀ ପାର୍ଟି ସାଂସଦ ଜିଆ ଉର୍‌ ରେହମାନ୍‌ ବାର୍କଙ୍କ ବାସଗୃହକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ 

ସମ୍ଭଲ: ବିଦ୍ୟୁତ୍‌ ଚୋରି ଅଭିଯୋଗରେ ସମ୍ଭଲ ସାମ୍ପ୍ରଦାୟିକ ଦଙ୍ଗାର ପ୍ରମୁଖ ଅଭିଯୁ୍କ୍ତ ସ୍ଥାନୀୟ ସମାଜବାଦୀ ପାର୍ଟି ସାଂସଦ ଜିଆ ଉର୍‌ ରେହମାନ୍‌ ବାର୍କଙ୍କ ବାସଗୃହକୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କରାଯାଇଛି। ସମ୍ଭଲ ଅଞ୍ଚଳରେ ବିଦ୍ୟୁତ୍‌ ଚୋରି ନେଇ ଯାଞ୍ଚ ଚାଲିଛି। ସମ୍ଭଲ ସାଂସଦଙ୍କ ଘରେ ଦୁଇଟି ବିଦ୍ୟୁତ୍‌ ମିଟରରେ ହେରଫେର (ଟ୍ୟାମ୍ପରିଂ) କରାଯାଇଥିବା ଧରାପଡ଼ିଥିଲା। ଏହାପରେ ଉତ୍ତରପ୍ରଦେଶ ବିଦ୍ୟୁତ୍‌ ନିୟାମକ ଅନୁସାରେ, ବିଦ୍ୟୁତ୍‌ ବିଭାଗ ଆଜି ସାଂସଦଙ୍କ ଘରର ବିଦ୍ୟୁତ୍‌ ସଂଯୋଗକୁ ଛିନ୍ନ କରିଛି। କେବଳ ଏହାନୁହେଁ ଏନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏନେଇ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ କୁହାଯାଇଛି, ସାଂସଦ ଜିଆ ଉର୍‌ ରହେମାନ୍‌ ବିଦ୍ୟୁତ୍‌ କମିଟିର ଅଧ୍ୟକ୍ଷ ମଧ୍ୟ ଅଟନ୍ତି। କିନ୍ତୁ ସେ ନିଜେ ଘରେ ଲାଗିଥିବା ଦୁଇଟି ବିଦ୍ୟୁତ୍‌ ମିଟରରେ ବିଲ୍‌ କମାଇବାକୁ ହେରଫେର କରିଛନ୍ତି। ଫଳରେ ବାର୍ଷିକ ବିଦ୍ୟୁତ୍‌ ବିଲ୍‌ ‘ଶୂନ’ ଦେଖାଉଥିଲା। ଏଣୁ ବିଦ୍ୟୁତ୍‌ ଚୋରି ଦଫା ୧୩୫ରେ ଏକ ମାମଲା ରୁଜୁ କରାଯାଇଛି। ପୁରୁଣା ମିଟରକୁ ବାହାର କରାଯାଇ ସିଲ୍‌ କରାଯାଇଛି ଓ ମିଟରଗୁଡ଼ିକୁ ଯାଞ୍ଚ ନିମନ୍ତେ ପଠାଯାଇଛି।

ସ୍ଥାନୀୟ ଏସ୍‌ଡିଓ ସନ୍ତୋଷ ତ୍ରିପାଠୀ କହିଛନ୍ତି, ଆଜି ଲଗାଯାଇଥିବା ନୂତନ ମିଟର ରିଡିଂ ପରିଖିବା ନିମନ୍ତେ ଏକ ଟିମ୍‌ ଯାଇଥିଲେ। ଏୟାର୍‌ କଣ୍ଡିସନର୍‌, ଫ୍ୟାନ୍‌ ଓ ଅନ୍ୟ ବୈଦ୍ୟୁତିକ ଉପକରଣର ଭାର ମଧ୍ୟ ଯାଞ୍ଚ କରାଯାଇଥିଲା। ସାଂସଦଙ୍କ ଘରର ପ୍ରଥମ ଓ ଦ୍ବିତୀୟ ମହଲାର କେତେକ ରୁମ୍‌ ସିଲ୍‌ କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଶ୍ରୀଶ ଚନ୍ଦ୍ର କହିଛନ୍ତି, ବିଦ୍ୟୁତ୍‌ ବିଭାଗ ପୁଲିସ ସହାୟତା ଲୋଡ଼ିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସମ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ସମ୍ଭଲର ହରିହର ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରାଯାଇଥିବା ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ଟିମ୍‌ ଯାଞ୍ଚ କରିବାକୁ ଯାଇଥିଲେ। ନଭେମ୍ବର ୨୪ରେ ଦ୍ବିତୀୟ ଦଫା ଯାଞ୍ଚ ସାରି ଫେରିବା ସମୟରେ କେତେକ ମୁସଲିମ୍‌ ଯୁବକ ସେମାନଙ୍କୁ ଟେକାପଥର ଫିଙ୍ଗିଥିଲେ। ଏହାକୁ ନେଇ ଦଙ୍ଗା ସୃଷ୍ଟି ହୋଇଥିଲା। ଏଥିରେ ୪ଜଣଙ୍କ ଜୀବନ ଯାଇଥିଲା।

Leave a Reply

Your email address will not be published. Required fields are marked *