ଚାଲାଣ ହେଉଥିବା ୧୧ ଗୋରୁ ଉଦ୍ଧାର, ୭ ଗିରଫ

ଚାଲାଣ ହେଉଥିବା ୧୧ ଗୋରୁ ଉଦ୍ଧାର, ୭ ଗିରଫ
ବାରିପଦା, ୧୨/୧୨ – ଏକ ଟାଟା ପିକ ଅପ ଗାଡିରେ ନିର୍ଭୟ ଭାବେ ୧୧ଟି ଗୋରୁଙ୍କର ବେକ ଓ ମୁଁହକୁ ଦଉଡିରେ ବାନ୍ଧି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ବାରିପଦା ଟାଉନ ଥାନା ପୁଲିସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ମଧୁବନ ଗ୍ୟାରେଜ ଛକ ନିକଟରେ ଗାଡ଼ିକୁ ଜବତ କରାଯାଇଥିଲା। ଏଥିନେଇ ଥାନାରେ ୭୭୪/୨୪ ନମ୍ବରର ଏକ ମାମଲା ରୁଜୁ ହୋଇଛି ।
ଏହି ଗୋରୁଙ୍କୁ ବାଲିଯୋଡା ପଟୁ ଏକ ପିକଅପ ଗାଡିରେ ଅଣାଯାଉଥ‌ିବା ବେଳେ ପୁଲିସ ଦ୍ବାରା ପ୍ରଥମେ ପୋଡାଅସ୍ତିଆ ନିକଟରେ ଅଟକାଇବା ପାଇଁ ଚେଷ୍ଟା କରାଯାଇଥିଲା। ଗାଡ଼ିକୁ ନେଇ ଚାଳକ ଦ୍ରୁତ ଗତିରେ ପାଲବଣୀ ଅଭିମୁଖେ ପଳାଇ ଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପଲିସ ପିଛା କରି ଉକ୍ତ ପିକଅପ ଗାଡି (ଓଡି ୧୧ଏଫ- ୬୭୭୪)କୁ ସ୍ଥାନୀୟ ମଧୁବନ ଗ୍ୟାରେଜ ଛକ ନିକଟରେ ଧରିବାକୁ ସକ୍ଷମ ହୋଇଥିଲା । ବୋଝେଇ ହୋଇଥିବା ଗୋରୁଙ୍କୁ ପଶ୍ଚିମବଙ୍ଗ ଅଭିମୁଖେ ନିଆଯାଇ ଝାଡଗ୍ରାମ ଜିଲା ନୟାଗ୍ରାମ ଥାନା ଅନ୍ତର୍ଗତ ବାଲିଗଡ଼ିଆ ଗ୍ରାମର ସେକ୍ ଜାକିରଙ୍କୁ ହସ୍ତାନ୍ତର କରାଯାଇଥାନ୍ତା। ସେଠାରେ ଗୋରୁମାନଙ୍କୁ ହତ୍ୟା କରାଯାଇ ଗୋ- ମାଂସ ବିକ୍ରି କରାଯିବାର ଥିଲା ବୋଲି ପ୍ରକାଶ। ଏହି ଘଟଣାରେ ଗାଡି ଚାଳକଙ୍କ ସମେତ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଗାଡିକୁ ଜବତ କରାଯିବା ସହିତ ବୋଝେଇ ହୋଇଥ‌ିବା ୧୧ ଗୋରୁଙ୍କୁ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *