ଉଦ୍ଧାର ଗୋରୁଙ୍କୁ ପ୍ରଶାସନର ଥଇଥାନ


ତିଗିରିଆ: ହାଣ ମୁହଁରୁ ଉଦ୍ଧାର ହୋଇଥିବା ୫ଶହ ଗୋରୁଙ୍କୁ ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ଗୋଶାଳାରେ ଥଇଥାନ କରାଯାଉଛି। ମଙ୍ଗଳବାର ଉଦ୍ଧାର ଗୋରୁଙ୍କ ମଧ୍ୟରୁ ୨ଶହ ଗୋରୁଙ୍କୁ ବିଭିନ୍ନ ଗୋଶାଳାକୁ ପଠାଯାଇଥିଲା। ଏତେ ସଂଖ୍ୟାରେ ଗାରୁଙ୍କୁ ଗାଡ଼ିରେ ଲୋଡ୍ କରିବାରେ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ମଙ୍ଗଳବାର ରାତିରେ ତିଗିରିଆ ଥାନା ଏସଆଇ ଅନିଲ ନାୟକଙ୍କ ନେତୃତ୍ଵରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ଗୋରୁଙ୍କୁ ଜଗି ରହିଥିଲେ। ବୁଧବାର ସକାଳୁ ପୁଣି ଗୋରୁଙ୍କ ଥଇଥାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହିପରି ତିଗିରିଆ ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ୟୋତି ସୁନ୍ଦର ରାଉତଙ୍କ ନେତୃତ୍ୱରେ ଏକ ଟିମ ଅସୁସ୍ଥ ଗୋରୁଙ୍କ ଚିକିତ୍ସା କରିଥିଲେ। ସୂଚନା ଥାଉକି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ତତ୍ତ୍ଵାବଧାନରେ ମଙ୍ଗଳବାର ଭୋର ସମୟରେ ଏକ ସ୍ଵତନ୍ତ୍ର ପୁଲିସ ଟିମ୍ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ନିକଟ ବାରମାଣ ସଂରକ୍ଷିତ ଜଙ୍ଗଲରେ ଚଢ଼ଉ କରିଥିଲା। ଜଙ୍ଗଲର ବିଭିନ୍ନ ସ୍ଥାନରେ ଅତି ଦୟନୀୟ ଅବସ୍ଥାରେ ବନ୍ଧାହୋଇ ରହିଥ‌ିବା ୫ଶହରୁ ଅଧିକ ଗାଈ, ଷଣ୍ଡ, ବଳଦ ଓ ବାଛୁରୀଙ୍କୁ ଉଦ୍ଧାର କରିଥିଲା ପୁଲିସ୍। ଏଥ‌ିରେ ସମ୍ପୃକ୍ତ ଥିବା ଅପରାଧୀମାନଙ୍କ ସମ୍ପର୍କରେ ସୂଚନା ମିଳିଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯାଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *