ବୈତରଣୀ ନଦୀ ଗର୍ଭରୁ ଏକ ଭାସମାନ ପଥର ମିଳିଛି

ଦୋବଲ : ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ଏକ ଭାସମାନ ପଥର ମିଳିଛି ।  ଏହା ଅଲୌକିକ ଘଟଣା ଭାବି ପଥରଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି  । ବୈତରଣୀ ନଦୀରେ କିଛି ଯୁବକ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଗୋଟେ ପଥର ହାତରେ ଲାଗିଥିଲା। ଯୁବକମାନେ ସେହି ପଥରଟିକୁ ବାହାର କରି ପାଣିରେ ଫିଙ୍ଗିଦେଇଥିଲେ। ହେଲେ ସେହି ପଥରଟି ପାଣିରେ ଭାସିଥିଲା।

ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଥରକୁ ପାଣିରୁ ଉଦ୍ଧାର କରି ଗ୍ରାମକୁ ନେଇଥିଲେ। ଅନେକ ଲୋକେ ଏହାକୁ ତ୍ରେତୟା ଯୁଗର ରାମ ସେତୁ ପଥର ବୋଲି କହୁଥିବା ବେଳେ ଆଉ କିଛି ଚତୁର୍ଦଶ ଶତାବ୍ଦୀରେ ଯଯାତି କେଶରୀ ମହାରାଜ ସିଦ୍ଧେଶ୍ୱର ମନ୍ଦିର ନିର୍ମାଣ କରିବା ସମୟରେ ବୈତରଣୀ ନଦୀ ଉପରେ ଯିବା ଆସିବା କରିବା ପାଇଁ ଏହି ପଥର ଆଣି ରଖିଥିଲେ। ସେଗୋଡିକ ପୋତି ହୋଇ ରହିଥିଲା। ଏବେ ନଦୀରେ ବାଲି ଉଠୁଥିବାରୁ ନଦୀ ଗଭୀର ହେବା ପରେ ସେହି ପଥର ଉପରକୁ ବାହାରି ପଡ଼ିଛି। ଏହି ଘଟଣା ପ୍ରଘଟ ହେବା ପରେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ପହଞ୍ଚୁଛନ୍ତି।

ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମ ଥିବାବେଳେ ଯେତେଥର ପାଣିରେ ପକାଇଲେ ସେ ଭାସି ଉଠୁଛି। ସାଧାରଣତଃ ପଥର ପାଣିରେ ପଡିଲେ ବୁଡିଯାଏ। ହେଲେ ଏଇ ପଥର ସମ୍ପୂର୍ଣ୍ଣ ଭାସୁଛି। ଏହା ଦେଖିବାକୁ ଧଳା ରଙ୍ଗ ଓ ସହ ସହ ସଂଖ୍ୟାର ଛିଦ୍ର ରହିଛି। ପୁର୍ବରୁ ବୈତରଣୀ ନଦୀ ଗର୍ଭରୁ ଶିବ ଲିଙ୍ଗ ଓ ଅନେକ ବୌଦ୍ଧ ମୁର୍ତ୍ତି ଉଦ୍ଧାର କରାଯାଇଛି। ତେଣୁ ଏହା ରାମ ସେତୁ ପଥର ବୋଲି ବିଶ୍ୱାସ କରାଯାଉଛି। ତେବେ ଏ ପଥର କେଉଁଠୁ ଓ କେମିତି ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *