ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନାଗରିକତା ମାମଲାରେ କେନ୍ଦ୍ରକୁ ଜବାବ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ । ରାହୁଲ ଗାନ୍ଧିଙ୍କ ଭାରତୀୟ ନାଗରିକତାର ସ୍ଥିତାବସ୍ଥା ଉପରେ ସ୍ପଷ୍ଟୀକରଣ ଦେବାକୁ ବିଜେପି ନେତା ସୁବ୍ରମଣିୟନ ସ୍ୱାମୀ ଗୋଟିଏ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ । ଏହାର ଶୁଣାଣି କରି ହାଇକୋର୍ଟ କେନ୍ଦ୍ରକୁ ଜବାବ ମାଗିଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଭୁ ବାଖ୍ରୁ ଓ ଜଷ୍ଟିସ ତୁଷାର ରାଓ ଗେଲେଲାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ମାମଲା ସମ୍ପର୍କରେ ତଥ୍ୟ ହାସଲ କରିବାକୁ କହିଛନ୍ତି । ଖଣ୍ଡପୀଠ କହିଛନ୍ତି, “ଆମେ କୌଣସି ନିର୍ଦ୍ଦେଶ ପାରିତ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଓକିଲଙ୍କ ଠାରୁ ମାମଲା ସମ୍ପର୍କରେ ତଥ୍ୟ ଚାହୁଁଛୁ ।”ପ୍ରାରମ୍ଭିକ ପର୍ଯ୍ୟାୟରେ କୋର୍ଟ ନୋଟିସ କରିବାକୁ ଇଚ୍ଛା ପ୍ରକାଶ କରି ନଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ପ୍ରକ୍ସି ଓକିଲ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ପୂର୍ବରୁ ମାମଲାରେ କେନ୍ଦ୍ରର ପକ୍ଷ ରଖୁଥିବା ଓକିଲ ଏବେ ବରିଷ୍ଠ ଓକିଲର ମାନ୍ୟତା ପାଇସାରିଛନ୍ତି । ତେଣୁ ଆଉ ଜଣେ ଓକିଲଙ୍କର ନିଯୁକ୍ତି ଆବଶ୍ୟକ ରହିଛି । ଏହା ଶୁଣିବା ପରେ ଖଣ୍ଡପୀଠ ଆବେଦନର ଶୁଣାଣି ୨୦୨୫ ମସିହା ଜାନୁଆରୀ ୧୩ରେ ହେବ ବୋଲି କହିଛନ୍ତି । ସ୍ୱାମୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟ ସାଭାରୱାଲ ଏପରି ଆବେଦନ କରିଛନ୍ତି । ତାଙ୍କ କହିବା କଥା ଯେ ରାହୁଲ ଗାନ୍ଧି ଭାରତର ନାଗରିକ ହେବା ସହ ତାଙ୍କ ପାଖରେ ବ୍ରିଟେନର ନାଗରିକତା ମଧ୍ୟ ରହିଛି । ହେଲେ ଏହାକୁ ସେ ସାର୍ବଜନୀନ କରିନାହାନ୍ତି ।