ଟିଏମ୍‌ସି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପରେ ଲିପ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତ୍ରୀ ଅମୃତା ଏକ୍କାଙ୍କ ସ୍ୱାମୀ ଫ୍ରାନ୍ସିସ୍ ଏକ୍କାଙ୍କୁ ଗୋପନୀୟ ଡିଆରଡିଓ କାଗଜପତ୍ର ଓ କୋଟି କୋଟି ଟଙ୍କାର ତେଜସ୍କ୍ରିୟ ସାମଗ୍ରୀ ସହ ଗିରଫ କରାଯାଇଛି।  ଏହି ଘଟଣାରେ ବିଜେପି  ଶନିବାର ଟିଏମ୍‌ସିକୁ ଟାର୍ଗେଟ୍ କରିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ଟିଏମ୍‌ସି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟକଳାପରେ ଲିପ୍ତ ଅଛି।

ଟିଏମ୍‌ସି ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି: ବିଜେପି

 ଫ୍ରାନ୍ସିସ୍ ଏକ୍କା, ଯାହାଙ୍କଠାରୁ ଏହି କାଗଜପତ୍ର ଓ ସାମଗ୍ରୀ ଜବତ କରାଯାଇଥିଲା, ସେ ନକ୍ସଲବାଡ଼ି ପଞ୍ଚାୟତ ସମିତିର ଜଣେ ଟିଏମ୍‌ସି ନେତ୍ରୀଙ୍କ ସ୍ୱାମୀ।   ଟିଏମ୍‌ସି ନେତ୍ରୀଙ୍କ ଘରେ ଏତେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ଦସ୍ତାବିଜ ଓ ଏଭଳି ସାମଗ୍ରୀ କେମିତି ପହଞ୍ଚିପାରିଲା ଏବଂ ଏହା କ’ଣ ସେମାନଙ୍କ ଦେଶବିରୋଧୀ ଆଭିମୁଖ୍ୟ ଓ କାର୍ଯ୍ୟକଳାପର ପ୍ରମାଣ ନୁହେଁ କି ବୋଲି ବିଜେପି ପ୍ରଶ୍ନ କରିଛି।  ଏହା ପ୍ରଶାସନର ସହଭାଗିତା ନା ସରଳ ଅଜ୍ଞତା ଓ ଅପାରଗତା ବୋଲି ପୁନାୱାଲା ପ୍ରଶ୍ନ କରିଛନ୍ତି।  ଏହାବ୍ୟତୀତ ଟିଏମ୍‌ସି ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଓ ବୋମା ତିଆରିକାରୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ କରି ପୁନାୱାଲା ଘଟଣାର ଗଭୀର ତଦନ୍ତ କରିବାକୁ ଦାବି କରିଛନ୍ତି। କେବଳ ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପାଇଁ ଟିଏମ୍‌ସି ଜାତୀୟ ନିରାପତ୍ତା ସହ ସାଲିସ କରୁଛି ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗ ପୁଲିସ ନକ୍ସଲବାଡ଼ି ବ୍ଲକ୍ ବେଲଗାଛି ଗ୍ରାମରୁ ସେନା ସହ ମିଳିତ ଚଢ଼ଉ କରି ଏକ୍କାଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ଡିଆରଡିଓର ଅନେକ ଗୋପନୀୟ ଦସ୍ତାବିଜ ଓ ବିପୁଳ ପରିମାଣର ରେଡିଓଆକ୍ଟିଭ୍ କାଲିଫର୍ନିୟମ ମିଳିଥିଲା। ଅଭିଯୁକ୍ତ ଏସବୁ ତାଙ୍କ ପାଖରେ କାହିଁକି ଥିଲା ତାହାର ସ୍ପଷ୍ଟ ଉତ୍ତର ଦେବାରେ ବିଫଳ ହୋଇଥିବା ବେଳେ ଜବତ ସାମଗ୍ରୀର ଏକ ଗ୍ରାମର ବଜାର ମୂଲ୍ୟ ପ୍ରାୟ ୧୭ କୋଟି ଟଙ୍କା ହୋଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ସମ୍ବେଦନଶୀଳ ଡିଆର୍‌ଡିଓ କାଗଜପତ୍ର ଓ ରେଡିଓଆକ୍ଟିଭ୍ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ବିଦେଶୀ ସଂଗଠନ ସହ ତାଙ୍କର କି ସମ୍ପର୍କ ଅଛି ସେ ନେଇ  ପଚରାଉଚରା କରାଯାଉଛି।

Leave a Reply

Your email address will not be published. Required fields are marked *