ସ୍ବାମୀକୁ ହରାଇହାରି ନାହାନ୍ତି ବିଚିତ୍ରା


ମାଲକାନଗିରି: ମୁଣ୍ଡ ଉପରେ ୬ ପୁଅ ଝିଅଙ୍କ ବୋଝ। ପାଠ ପଢ଼ାଇ ସେମାନଙ୍କୁ ମଣିଷ କରିବାର ଦାୟିତ୍ବ। ପୈତୃକ ସମ୍ପତ୍ତି ଓ ଜମିବାଡ଼ି ବୋଲି କିଛି ନାହିଁ। ଏପରି ସ୍ଥିତିରେ ଦୁର୍ଘଟଣାରେ ସ୍ଵାମୀଙ୍କ ମୃତ୍ୟୁ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଥିଲା। ତଥାପି ଜୀବନ ଯୁଦ୍ଧରେ ହାରିନାହାନ୍ତି ମାଲକାନଗିରି ବ୍ଲକ ଏମଭି-୧୬ ଗ୍ରାମର ବିଚିତ୍ରା ବିଶ୍ଵାସ | ନିଜେ ଲୁଗା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଦେଉଛନ୍ତି। ବିଚିତ୍ରାଙ୍କର ୫ଟି ଝିଅ ଏବଂ ଗୋଟିଏ ପୁଅ ୨୦୧୮ରେ ପୁଅକୁ ଦେଢ଼ ବର୍ଷ ହୋଇଥିବା ବେଳେ ବିଶ୍ଵନାଥଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ରୋଜଗାରିଆ ସ୍ଵାମୀକୁ ହରାଇ ବିଚିତ୍ରା ଭାଙ୍ଗି ପଡ଼ିଥିଲେ। କିନ୍ତୁ ୬ ପୁଅ ଝିଅଙ୍କୁ ଭବିଷ୍ୟତକୁ ଦେଖି ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ କରିଥିଲେ। ସ୍ଥାନୀୟ କ୍ରିଷ୍ଣା ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ସ୍ଵାବଲମ୍ବୀ ହେବା ପାଇଁ ପ୍ରୟାସ କରିଥିଲେ। ନିଜ ଘରେ ଲୁଗା ଦୋକାନ କରିବା ପାଇଁ ମନସ୍ଥ କରି ମହାସଂଘରୁ ଏକ ଲକ୍ଷ ଓ ଗ୍ରୁପରୁ ୫୦ ହଜାର ଟଙ୍କାର ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରଥମେ ବ୍ୟବସାୟ ଭଲ ହୋଇନଥିଲେ ମଧ୍ୟ ନିରାଶ ହୋଇନଥିଲେ। ଧୀରେ ଧୀରେ ବ୍ୟବସାୟ ଭଲ ସ୍ଥିତିକୁ ଆସିଥିଲା। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ବିଚିତ୍ରା। ଏବେ ମାସିକ ୩୦ ହଜାରରୁ ଊର୍ଦ୍ଧ୍ଵ ଏବଂ ବାର୍ଷିକ ସାଢ଼େ ୩ ଲକ୍ଷ ରୋଜଗାର କରୁଛନ୍ତି ବିଚିତ୍ରା। ବଡ଼ ଝିଅ ମନ୍ଦିରାକୁ ଉଚ୍ଚ ଶିକ୍ଷିତା କରିବା ସହ ଗତ ୫ ମାସ ତଳେ ବାହା ଦେଇଛନ୍ତି। ଏବେ ଅନ୍ୟ ୫ ଜଣ ପୁଅ ଝିଅ ମଧ୍ୟ ପାଠ ପଢୁଛନ୍ତି। ଆଣିଥିବା ଋଣକୁ ଠିକ୍ ସମୟରେ ପରିଶୋଧ ପରେ ପୁଣି ମହାସଂଘ ତାଙ୍କୁ ଋଣ ପ୍ରଦାନ କରିଛି। ସେହିପରି ଗ୍ରୁପରୁ ଆଣିଥିବା ଋଣ ଆଉ ଦୁଇ ମାସ ମଧ୍ୟରେ ଶୁଝିଯିବ ବୋଲି କହିଛନ୍ତି ବିଚିତ୍ରା । ସଂଘର୍ଷମୟ ଜୀବନରେ ବିଚିତ୍ରା ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ପ୍ରେରଣା ଦେଇଛନ୍ତି। ଏମଭି-୧୬ ଗ୍ରାମ ସହ ଆଖପାଖ ଗ୍ରାମର ମହିଳାଙ୍କୁ ବ୍ୟବସାୟ ପାଇଁ ଲୁଗା ଯୋଗାଉଛନ୍ତି ବିଚିତ୍ରା | ବ୍ୟାଙ୍କରୁ ଅଧିକା ଋଣ ଆଣି ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଥିବା ବିଚିତ୍ରା କହିଛନ୍ତି।

Leave a Reply

Your email address will not be published. Required fields are marked *