ମାନ୍ଦା ପଡ଼ିଛି ଦୀପ ବ୍ୟବସାୟ-କୁମ୍ଭକାର ପରିବାର ଅମାବାସ୍ୟାର ଅନ୍ଧାରରେ ଡୁବିବାକୁ ବସିଛି


ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି। ଏହି ପର୍ବ ପାଳନ ନେଇ ଗାଁଠୁ ସହର ସମସ୍ତ ବର୍ଗର ଲୋକେ ଉତ୍ସାହିତ ଅଛନ୍ତି । ହେଲେ ଏହି ପର୍ବକୁ ନେଇ ଦିନରାତି ପରିଶ୍ରମ କରୁଥିବା କୁମ୍ଭକାର ପରିବାର ଅମାବାସ୍ୟାର ଅନ୍ଧାରରେ ଡୁବିବାକୁ ବସିଛି। ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟିରେ ପ୍ରସ୍ତୁତ କରି ପ୍ରତିବର୍ଷ ଏମାନେ ମାଟି ଦୀପ ଠାରୁ ଆରମ୍ଭ କରି ଆକର୍ଷଣୀୟ ଘରକରଣା ସାମଗ୍ରୀ ଓ ପାର୍ବଣ ଜିନିଷ ତିଆରି କରିଥାନ୍ତି| କିଛିବର୍ଷ ହେଲା ପ୍ଲାଷ୍ଟିକ ପାତ୍ରର ଦୀପ ସହିତ ଆଧୁନିକ ସରଞ୍ଜାମ ବ୍ୟବହାର ବଢିଚାଲିଛି। ତେଣୁ ମାଟି ପାତ୍ର ଓ ଦୀପର ଚାହିଦା କମିବାରେ ଲାଗିଛି । କୁଳବେଉସାକୁ ଆଦରି କୁମ୍ଭକାର ପରିବାର ବିଭିନ୍ନ ସାମଗ୍ରୀ ତିଆରି କରୁଥିଲେ ହେଁ ବିକ୍ରି ନହେବାରୁ କ୍ଷତିରେ ପଡୁଛନ୍ତି। ଆଉ ମାଟିହାଣ୍ଡି, ପାତ୍ରର ବିକ୍ରି ହେଉନାହିଁ। ପ୍ଲାଷ୍ଟିକ ଓ ଷ୍ଟିଲ୍‌ ଜାଗା ମାଡ଼ିବସିଛି। ତଥାପି ବର୍ଷକୁ ଗୋଟିଏ ଦିନ ଦୀପାବଳିକୁ ଚାହିଁ ବସିଥାନ୍ତି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର ଓଲଡ ଟାଉନର କୁମ୍ଭାର ସାହିରେ20ରୁ ଉର୍ଦ୍ଧ୍ବ କୁମ୍ଭକାର ପରିବାର ଅଛନ୍ତି। ଚଳିତ ବର୍ଷ ବାତ୍ୟା ‘ଦାନା’ ପ୍ରଭାବ ପରେ ଦୀପ ଗଢ଼ିବାରେ କୁମ୍ଭକାର ପରିବାର ଅନେକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସେସବୁକୁ ବିକ୍ରି କରିବା ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି। ଲୋକେ ଅତ୍ୟାଧୁନିକ ଚାଇନା ଲାଇଟ୍‌, ଏଲ୍‌ଇଡି ଲାଇଟ୍‌, ପ୍ଲାଷ୍ଟିକ ଦୀପ, ଚିନାମାଟି ଦୀପ, ବିଭିନ୍ନ ରଙ୍ଗ ବିରଙ୍ଗ କ୍ୟାଣ୍ଡଲ୍ ଓ ପିତ୍ତଳ ଦୀପ ଆଦି ବ୍ୟବହାର କରି ଦୀପାବଳି ପାଳନ କରୁଛନ୍ତି। ଫଳରେ ପୂର୍ବପରି ହାଟ ବଜାରରେ ଏସବୁ ସାମଗ୍ରୀ ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଚିତ ମୂଲ୍ୟ ମିଳୁ ନଥିବାରୁ କଞ୍ଚାମାଲ ଓ ଜାଳେଣି ସମସ୍ୟା ମଧ୍ୟ ଲାଗିରହିଛି। ଏପରିସ୍ଥଳେ କୁମ୍ଭକାର ପରିବାରର ଯୁବପିଢି କୌଳିକ ବୃତ୍ତିରୁ ମୁଁହ ଫେରାଇ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ଆଉ କିଛି ଅଧିକ ରୋଜଗାର ଆଶାରେ ଅନ୍ୟ ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଦିନଥିଲା କୁମ୍ଭାର ସାହିର ପରିବାର ମାଟିରେ ହାଣ୍ଡି, ମାଠିଆ, ପଲମ, ସୁରେଇ, ଫୁଲକୁଣ୍ଡ, ଘଟ, ଘୋଡା, ଦୀପ, ଧୂପଦାନୀ ଆଦି ବିଭିନ୍ନ ଜିନିଷ ତିଆରି ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ପାଖରେ ପ୍ରଭୁ ଲିଙ୍ଗରାଜଙ୍କ ବିରାଜମାନ ହେତୁ ବିଭିନ୍ନ ପୂଜା ପର୍ବାଣୀରେ ଏସବୁ ଜିନିଷ ବିକ୍ରି ହେଉଛି । ଆଜି ଏହି ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।

Leave a Reply

Your email address will not be published. Required fields are marked *