ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ
ପରମ ପୂଜନୀୟ ସରସଂଘଚାଳକ ଡ. ମୋହନ ଭାଗବତଜୀଙ୍କ ଦ୍ୱାରା
ବିଜୟାଦଶମୀ ଉତ୍ସବ ଉପଲକ୍ଷେ ଦିଆଯାଇଥିବା ଉଦ୍ବୋଧନର ସାରାଂଶ
(ଆଶ୍ୱିନ ଶୁକ୍ଲ ଦଶମୀ, ଶନିବାର, ୧୨ ଅକ୍ଟୋବର ୨୦୨୪)
ଶ୍ରୀବିଜୟାଦଶମୀ ଯୁଗାବ୍ଦ-୫୧୨୬
ଆଜି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଆଦରଣୀୟ କୋପିଲ୍ଲିଲ ରାଧାକ୍ରିଷ୍ଣନ୍ଜୀ, ମଂଚରେ ଉପସ୍ଥିତ ବିଦର୍ଭ ପ୍ରାନ୍ତର ମାନନୀୟ ସଂଘଚାଳକ, ମାନନୀୟ ସହ ସଂଘଚାଳକ, ନାଗପୁର ମହାନଗରର ମା.ସଂଘଚାଳକ, ଅନ୍ୟ ଅଧିକାରୀ ବୃନ୍ଦ, ନାଗରିକ ସଜ୍ଜନ ମଣ୍ଡଳୀ, ମାତା ଓ ଭଗିନୀ ତଥା ଆତ୍ମୀୟ ସ୍ୱୟଂସେବକ ବନ୍ଧୁ ।
ଶ୍ରୀବିଜୟାଦଶମୀ ଯୁଗାବ୍ଦ ୫୧୨୬ର ପୂଣ୍ୟପର୍ବ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଜ କାର୍ଯ୍ୟର ଶତାବ୍ଦୀ ବର୍ଷରେ ପ୍ରବେଶ କରିବାକୁ ଯାଉଅଛି ।
ପୂଣ୍ୟସ୍ମରଣ
ବିଗତ ବର୍ଷ ଏହି ପର୍ବରେ ଆମେ ମହାରାଣୀ ଦୁର୍ଗାବତୀଙ୍କ ତେଜସ୍ୱୀ ଜୀବନଯଜ୍ଞର ୫୦୦ତମ ଜନ୍ମ ଜୟନ୍ତୀ ସ୍ମରଣ କରିଥିଲୁ । ଏ ବର୍ଷ ପୁଣ୍ୟଶ୍ଲୋକ ଅହଲ୍ୟାଦେବୀ ହୋଲକରଜୀଙ୍କ ୩୦୦ତମ ଜନ୍ମ ଜୟନ୍ତୀ ବର୍ଷ ପାଳନ କରାଯାଉଛି । ଦେବୀ ଅହଲ୍ୟାବାଈ ଜଣେ କୁଶଳ ରାଜ୍ୟ ପ୍ରଶାସକ, ପ୍ରଜାହିତଦକ୍ଷ କର୍ତ୍ତବ୍ୟପରାୟଣ ଶାସକ, ଧର୍ମ ସଂସ୍କୃତି ତଥା ଦେଶର ସ୍ୱାଭିମାନ, ଚରିତ୍ର ସମ୍ପନ୍ନତାର ଉତ୍ତମ ଆଦର୍ଶ ତଥା ରଣନୀତିକ ଦକ୍ଷତା ଏବଂ ପରିସ୍ଥିତିର ଜ୍ଞାନସମ୍ପନ୍ନ ଶାସକ ଥିଲେ । ନିଜର ଅଖିଳ ଭାରତୀୟ ଦୃଷ୍ଟିକୋଣ ଯୋଗୁଁ ଅତ୍ୟନ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଘର ସଂସାର, ରାଜ୍ୟ ଏବଂ ନିଜ ରାଜ୍ୟ ସୀମା ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରର ଜୀର୍ଣ୍ଣୋଦ୍ଧାର ଏବଂ ଦେବସ୍ଥାନ ଗୁଡିକର ନିର୍ମାଣ ମାଧ୍ୟମରେ ସମାଜରେ ସମରସତା ଏବଂ ସଂସ୍କୃତିକୁ ସେ ଯେଭଳି ଭାବରେ ସମ୍ଭାଳିଥିଲେ ତାହା ବର୍ତ୍ତମାନ ସମୟରେ ମଧ୍ୟ ମାତୃଶକ୍ତି ସହିତ ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ ଉଦାହରଣ ଅଟେ । ଏଥିସହିତ ସେ ଥିଲେ ଭାରତୀୟ ମାତୃଶକ୍ତିର କର୍ତ୍ତୃତ୍ୱ ଏବଂ ନେତୃତ୍ୱର ଦେଦୀପ୍ୟମାନ ପରମ୍ପରାର ଉଜ୍ୱଳ ପ୍ରତୀକ ।
ଏ ବର୍ଷଟି ମଧ୍ୟ ହେଉଛି ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କର ୨୦୦ତମ ଜନ୍ମ ଜୟନ୍ତୀ ବର୍ଷ । ପରାଧିନତାରୁ ମୁକ୍ତ ହୋଇ ସମୟର ପ୍ରବାହରେ ଆଚାର ଧର୍ମ ଏବଂ ସାମାଜିକ ରୀତିନୀତିରେ ଆସିଥିବା ବିକୃତିଗୁଡିକୁ ଦୁର କରି ସମାଜକୁ ନିଜର ମୂଳ ଶାଶ୍ୱତ ମୂଲ୍ୟବୋଧ ଆଧାରରେ ପୁଣିଥରେ ଛିଡା କରିବା ନିମନ୍ତେ ସେ ଆପ୍ରାଣ ଉଦ୍ୟମ କରିଥିଲେ । ସେ ଥିଲେ ଭାରତବର୍ଷର ନବୋତ୍ଥାନ ନିମନ୍ତେ ପ୍ରେରକ ଶକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ ।
ରାମରାଜ୍ୟ ସଦୃଶ ବାତାବରଣ ନିର୍ମାଣ ନିମନ୍ତେ ସମସ୍ତଙ୍କ ମନରେ ଚରିତ୍ର ଓ ସ୍ୱଧର୍ମକୁ ନେଇ ଦୃଢତା ଏବଂ ଦାୟିତ୍ୱବୋଧ ଉତ୍ପନ୍ନ କଲାଭଳି ‘ସତ୍ସଙ୍ଗ’ ଅଭିଯାନର ପୁରୋଧା ଥିଲେ ପରମପୂଜ୍ୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର । ଆଜିର ବାଂଲାଦେଶ ଏବଂ ତତ୍କାଳୀନ ଉତ୍ତରବଙ୍ଗର ପାବନାଠାରେ ଜନ୍ମିତ ଠାକୁର ଅନୁକୂଳ ଚନ୍ଦ୍ର ହୋମିଓପାଥିକ ଚିକିତ୍ସକ ଥିଲେ ଏବଂ ନିଜ ମାତାଙ୍କ ଠାରୁ ଅଧ୍ୟାତ୍ମ ସାଧନାର ଦୀକ୍ଷା ଲାଭ କରିଥିଲେ । ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ନେଇ ତାଙ୍କ ପାଖକୁ ଆସୁଥିବା ଲୋକଙ୍କ ମଧ୍ୟରେ ସେବା ଭାବନା ସହିତ ସହଜ ଭାବରେ ଚରିତ୍ର ବିକାଶର ପ୍ରକ୍ରିୟା ହିଁ ‘ସତ୍ସଙ୍ଗ’ ରୂପେ ଉଭାହେଲା । ଏହାକୁ ଏକ ଧାର୍ମିକ ସଂସ୍ଥା ଭାବରେ ୧୯୨୫ ମସିହାରେ ପଞ୍ଜିକୃତ କରାଯାଇଥିଲା । ସେବା-ସଂସ୍କାର ଏବଂ ବିକାଶ ଆଦି ଅନେକ ଦୃଷ୍ଟିକୋଣ ନେଇ ଏହି ଅଭିଯାନ ଆଗେଇ ଚାଲିଛି । ଝାଡଖଣ୍ଡର ଦେଓଘର ଠାରେ ‘ସତ୍ସଙ୍ଗ’ର ମୁଖ୍ୟାଳୟରେ ଏହି ସଂସ୍ଥାର ଶତାବ୍ଦୀ ବର୍ଷ ୨୦୨୪-୨୫ରେ ପାଳନ କରାଯିବ ।
ଆଗାମୀ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀର ୧୫୦ତମ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହା ଆମକୁ ଜନଜାତି ବନ୍ଧୁମାନଙ୍କ ଗୋଲାମୀ ଏବଂ ଶୋଷଣରୁ ମୁକ୍ତି, ଅସ୍ତିତ୍ୱ ଏବଂ ଅସ୍ମିତାର ରକ୍ଷା, ସ୍ୱଧର୍ମରକ୍ଷା ନିମନ୍ତେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରବର୍ତ୍ତିତ ‘ଉଲଗୁଲାନ’ ଆନେ୍ଦାଳନର ପ୍ରେରଣାକୁ ସ୍ମରଣ କରାଇବ । ଭଗବାନ ବିର୍ସା ମୁଣ୍ଡାଙ୍କ ତେଜସ୍ୱୀ ଜୀବନଯଜ୍ଞ ଜନଜାତୀୟ ବନ୍ଧୁମାନଙ୍କୁ ସ୍ୱାଭିମାନ, ବିକାଶ ତଥା ରାଷ୍ଟ୍ରୀୟ ଜୀବନଧାରାରେ ଯୋଗଦାନ ଦେବା ନିମନ୍ତେ ପଥ ପ୍ରଦର୍ଶକ ହେବ ।
ବ୍ୟକ୍ତିଗତ ତଥା ରାଷ୍ଟ୍ରୀୟ ଚରିତ୍ର
ପ୍ରାମାଣିକ ଭାବେ ନିସ୍ୱାର୍ଥପର ଭାବନା ନେଇ ଦେଶ, ଧର୍ମ, ସଂସ୍କୃତି ଏବଂ ସମାଜର ହିତ ନିମନ୍ତେ ନିଜ ଜୀବନ ଉତ୍ସର୍ଗ କରିଦେଇଥିବା ଏହି ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଆମେ ଏଇଥି ପାଇଁ ସ୍ମରଣ କରିଥାଉ ଯେ, ଏମାନେ ସମସ୍ତେ ଆମମାନଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିଥିଲେ । ସେମାନଙ୍କ ଜୀବନର ଆଦର୍ଶ ଆମ ପାଇଁ ଅନୁକରଣୀୟ ଉଦାହରଣ ଅଟେ । ବିଭିନ୍ନ ସମୟରେ, ଭିନ୍ନ ଭିନ୍ନ କାର୍ଯ୍ୟକ୍ଷେତ୍ରରେ କାମ କରିଥିବା ଏ ସମସ୍ତ ମହାପୁରୁଷଙ୍କ ଜୀବନରେ ରହିଥିବା କିଛି ସମାନ କଥା ହେଲା ନିସ୍ପୃହତା, ନିର୍ଭୟତା ଓ ବୈରଭାବଶୂନ୍ୟତା । ଏ ସମସ୍ତେ କର୍ତ୍ତବ୍ୟପାଳନ କଲାବେଳେ ଉତ୍ପନ୍ନ ହେଉଥିବା ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ନିଜର ପୂର୍ଣ୍ଣ ଶକ୍ତିସାମର୍ଥ୍ୟ ସହ ଆବଶ୍ୟକ କଠୋରତା ଅବଲମ୍ବନ ପୂର୍ବକ କାର୍ଯ୍ୟ ସମ୍ପାଦନା କରିଥିଲେ, କିନ୍ତୁ କେବେହେଲେ ବିଦ୍ୱେଷ କିମ୍ବା ଶତୃତାଭାବ ପ୍ରଦର୍ଶନ କରିନଥିଲେ । ସମ୍ମୁଜ୍ୱଳ ଚରିତ୍ର ଥିଲା ସେମାନଙ୍କର ପରିଚୟ । ତେଣୁ କେବଳ ସେମାନଙ୍କ ଉପସ୍ଥିତି ହିଁ ଦୁର୍ଜ୍ଜନଶକ୍ତି ପାଇଁ ଭୟସଂଚାର କରୁଥିଲାବେଳେ ସଜ୍ଜନ ଶକ୍ତି ପାଇଁ ଆଶ୍ୱସ୍ତି ପ୍ରଦାନ କରୁଥିଲା । ଆଜିର ପରିସ୍ଥିତି ଆମ ସମସ୍ତଙ୍କ ଠାରୁ ଏଭଳି ବ୍ୟାବହାରିକ ଜୀବନର ଆଶା ରଖିଥାଏ । ପରିସ୍ଥିତି ଅନୁକୁଳ ହେଉ ବା ପ୍ରତିକୁଳ ହେଉ ବ୍ୟକ୍ତିଗତ ତଥା ରାଷ୍ଟ୍ରୀୟ ଚରିତ୍ରରେ ଏହିଭଳି ଦୃଢତା ହିଁ ମଙ୍ଗଳମୟ, ଯାହା ସଜ୍ଜନଶକ୍ତିର ବିଜୟ ନିମନ୍ତେ ଶକ୍ତି ପ୍ରଦାୟକ ହେବ ।
ଦେଶର ପ୍ରଗତି
ଆଜିର ଯୁଗ ହେଉଛି ମାନବ ଜାତିର ଦ୍ରୁତ ଭୌତିକ ପ୍ରଗତିର ଯୁଗ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମେ ଜୀବନକୁ ସୁବିଧା ସଂପନ୍ନ କରିପାରିଛୁ । କିନ୍ତୁ ଅନ୍ୟ ପକ୍ଷରେ ନିଜ ନିଜର ସ୍ୱାର୍ଥ କାରଣରୁ ଉତ୍ପନ୍ନ କଳହ ଆମକୁ ବିନାଶ ଆଡକୁ ଟାଣିନେଉଛି । ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ସଂଘର୍ଷ କେଉଁ ଯାଏ ବ୍ୟାପିଯିବ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଆମ ଦେଶରେ ମଧ୍ୟ ଆଶା-ଆକାଂକ୍ଷା ସହ ଅନେକ ସମସ୍ୟା ଓ ଆହ୍ୱାନ ପୂର୍ଣ୍ଣ ପରିସ୍ଥିତି ରହିଛି । ପରମ୍ପରାଗତ ଭାବରେ ସଂଘର ବିଜୟା ଦଶମୀଭାଷଣରେ ଏଗୁଡିକ ଉପରେ ଯଥା ସମ୍ଭବ ବିସ୍ତୃତ ଚର୍ଚ୍ଚା ହୋଇଥାଏ । କିନ୍ତୁ ଆଜି ମୁଁ କେବଳ କିଛି ଆହ୍ୱାନକୁ ନେଇ ଚର୍ଚ୍ଚା କରିବି । କାରଣ ଆଶା ଆକାଂକ୍ଷା ପୂର୍ଣ୍ଣ କରିବା ନିମନ୍ତେ ଦେଶ ଯେଉଁ ଗତିରେ ଆଗେଇ ଚାଲିଛି ତାହା ଆଗକୁ ମଧ୍ୟ ଚାଲି ରହିବ । ଏକଥା ସମସ୍ତେ ଅନୁଭବ କରୁଛନ୍ତି ଯେ ବିଗତ କିଛି ବର୍ଷ ମଧ୍ୟରେ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଲାଭ କରିଛି ଏବଂ ଏହାର ମହତ୍ତ୍ୱ ମଧ୍ୟ ବଢିଛି । ଅନେକ କ୍ଷେତ୍ରରେ ସ୍ୱାଭାବିକ ଭାବରେ ଆମର ପରମ୍ପରା ଓ ଭାବନାର ଅନ୍ତର୍ନିହିତ ବିଚାରକୁ ନେଇ ସମ୍ମାନ ବୃଦ୍ଧି ପାଇଛି । ଆମ ବିଶ୍ୱବନ୍ଧୁତ୍ୱର ଭାବନା, ପରିବେଶ ପ୍ରତି ଦୃଷ୍ଟିକୋଣ, ଯୋଗ ଆଦି ସମଗ୍ର ବିଶ୍ୱରେ ନିଃସଙ୍କୋଚ ଭାବରେ ସ୍ୱୀକୃତ ହୋଇଛି । ସମାଜରେ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ‘ସ୍ୱ’ର ଗୌରବଭାବ ବୃଦ୍ଧି ପାଇଚାଲିଛି । ଅନେକ କ୍ଷେତ୍ରରେ ଆମେ ଧୀରେ ଧୀରେ ଆଗକୁ ବଢି ଚାଲିଛୁ । ଜାମ୍ମୁ-କାଶ୍ମୀର ସହିତ ସମସ୍ତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହୋଇଛି । ଦେଶର ଯୁବଶକ୍ତି, ମାତୃଶକ୍ତି, ଉଦ୍ୟୋଗୀ, ଶ୍ରମିକ, କୃଷକ, ସୈନିକ ଓ ଶାସନ-ପ୍ରଶାସନ ଆଦି ସମସ୍ତେ ନିଷ୍ଠାପୂର୍ବକ ନିଜ ନିଜ କାର୍ଯ୍ୟରେ ଲାଗିରହିବେ ଏହା ମୋର ବିଶ୍ୱାସ । ବିଗତ କିଛି ବର୍ଷରେ ଦେଶହିତର ପ୍ରେରଣା ନେଇ ଏ ସମସ୍ତଙ୍କ ଦ୍ୱାରା କରାଯାଇଥିବା ପୁରୁଷାର୍ଥ ବଳରେ ବିଶ୍ୱ ଦରବାରରେ ଭାରତର ଛବି, ଶକ୍ତି, କୀର୍ତ୍ତି ଓ ସ୍ଥାନ ନିରନ୍ତର ଉନ୍ନତ ହୋଇ ଚାଲିଛି । କିନ୍ତୁ ଲାଗୁଛି ସତେ ଯେମିତି କିଛି ମାୟାବୀ ଷଡଯନ୍ତ୍ରକାରୀ ଶକ୍ତି ଆମ ସମସ୍ତଙ୍କ ଦୃଢ ଇଛାଶକ୍ତିର ପରୀକ୍ଷା ନେଉଛନ୍ତି, ସେମାନଙ୍କୁ ଚିହ୍ନିବା ଜରୁରୀ ହୋଇପଡିଛି । ଦେଶର ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ପକାଇଲେ ଏଭଳି ଆହ୍ୱାନ ସ୍ପଷ୍ଟରୂପେ ଦୃଶ୍ୟମାନ ହୁଏ । ଚତୁର୍ଦ୍ଦିଗରେ ଦେଶକୁ ଅଶାନ୍ତ ଓ ଅସ୍ଥିର କରିବାର ପ୍ରଚେଷ୍ଟା ଜୋର ଧରିଲା ଭଳି ଦେଖାଦେଇଛି ।
ଦେଶ ବିରୋଧୀ କୁପ୍ରଚେଷ୍ଟା
ଏବେ ଏହା ପରିଲକ୍ଷିତ ହେଉଛି ଯେ ସାରା ବିଶ୍ୱରେ ଭାରତର ପ୍ରଭୂତ୍ୱ ବୃଦ୍ଧି ପାଇବା ଯୋଗୁଁ ଯେଉଁମାନଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେଉଛି ସେମାନେ ଚାହାଁନ୍ତି ଯେ ଭାରତର ବୃଦ୍ଧି ସୀମିତ ରହୁ । ନିଜ ନିଜ ସ୍ୱାର୍ଥ ଓ ସୁରକ୍ଷାର ପ୍ରଶ୍ନ ଉଠିବା ମାତ୍ରକେ ନିଜକୁ ନିଜେ ଉଦାର, ଗଣତାନ୍ତ୍ରିକ ଓ ବିଶ୍ୱଶାନ୍ତି ନିମନ୍ତେ ପ୍ରତିବଦ୍ଧ ବୋଲାଉଥିବା ଦେଶଗୁଡିକର ପ୍ରତିବଦ୍ଧତା ଅଚାନକ ଉଭେଇଯାଉଛି । ଏପରିକି ସେମାନେ ଅନ୍ୟ ଦେଶ ଉପରେ ଆକ୍ରମଣ କରିବା ଅଥବା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସେଠାକାର ସରକାରକୁ ଅବୈଧ ଘୋଷଣା କରିବା କିମ୍ବା ତାକୁ ହଟାଇବା ପାଇଁ ପଛାଉ ନାହାଁନ୍ତି । ଭାରତର ଆଭ୍ୟନ୍ତରୀଣ ତଥା ବିଶ୍ୱର ବର୍ତ୍ତମାନ ଘଟଣାବଳୀ ଉପରେ ଦୃଷ୍ଟିନିକ୍ଷେପ କଲେ ଏ ସମସ୍ତ କଥା ସ୍ପଷ୍ଟ ହୋଇଯାଏ । ଭାରତର ଛବିକୁ ବିଗାଡ଼ିବା ନିମନ୍ତେ ଅସତ୍ୟ ଅଥବା ଅର୍ଦ୍ଧସତ୍ୟ ଆଧାରିତ ଚେଷ୍ଟା ସ୍ପଷ୍ଟ ବାରି ହୋଇଯାଉଛି ।
ଏଇ ଏବେ ବାଂଲାଦେଶରେ ହିଂସା ଆଧାରିତ ଯେଉଁ ଶାସନ ପରିବର୍ତ୍ତନ ହୋଇଛି ତାହାର ସାମୟିକ ଏବଂ ସ୍ଥାନୀୟ କାରଣ ତ ରହିଛି କିନ୍ତୁ ସେଠାକାର ହିନ୍ଦୁ ସମାଜ ଉପରେ ବିନା କାରଣରେ ହେଉଥିବା ନୃଶଂସ ଅତ୍ୟାଚାରର ପରମ୍ପରା ପୁଣି ଥରେ ଆମ ସମ୍ମୁଖକୁ ଆସିଛି । ଏହି ଅତ୍ୟାଚାର ବିରୁଦ୍ଧରେ ସେଠାକାର ହିନ୍ଦୁ ସମାଜ ଏଥର ସଂଗଠିତ ହୋଇ ନିଜ ସୁରକ୍ଷା ନିମନ୍ତେ ଘରୁ ବାହାରିଛନ୍ତି ଯଦ୍ୱାରା ଅଳ୍ପକିଛି ରକ୍ଷା ମିଳିପାରିଛି । ହେଲେ ଯେପର୍ଯ୍ୟନ୍ତ ଏଭଳି ଅତ୍ୟାଚାରୀ କଠୋରପନ୍ଥୀ ସ୍ୱଭାବ ସେଠାରେ ବିଦ୍ୟମାନ ରହିଛି ସେ ପର୍ଯ୍ୟନ୍ତ ସେଠାକାର ହିନ୍ଦୁ ସମାଜ ସହିତ ସମସ୍ତ ଅଳ୍ପସଂଖ୍ୟକ ସମୂହଙ୍କ ଉପରେ ଅସୁରକ୍ଷାର ଖଣ୍ଡା ଝୁଲି ରହିବ । ତେଣୁ ସେ ଦେଶରୁ ଭାରତ ମଧ୍ୟକୁ ହୋଇ ଚାଲିଥିବା ବେଆଇନ ଅନୁପ୍ରବେଶ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ଜନସଂଖ୍ୟା ଅସନ୍ତୁଳନ ଆମ ଦେଶର ସାମାନ୍ୟ ନାଗରିକଙ୍କ ପାଇଁ ଗଭୀର ଚିନ୍ତାର ବିଷୟ ହୋଇ ପଡିଛି । ଏଭଳି ବେଆଇନ ଅନୁପ୍ରବେଶ କାରଣରୁ ଦେଶର ସୁରକ୍ଷା ସହିତ ପରସ୍ପର ସଦ୍ଭାବ ପ୍ରତି ପ୍ରଶ୍ନଚିହ୍ନ ଉଠୁଛି । ବାଂଲାଦେଶରେ ଅଳ୍ପସଂଖ୍ୟକ ପାଲଟିଯାଇଥିବା ହିନ୍ଦୁସମାଜ ନିମନ୍ତେ ଉଦାରତା, ମାନବତା ତଥା ସଦ୍ଭାବନାର ସମସ୍ତ ପକ୍ଷଧର ବିଶେଷକରି ଭାରତ ସରକାର ଏବଂ ସାରା ବିଶ୍ୱରେ ବସବାସ କରୁଥିବା ହିନ୍ଦୁ ସମାଜର ସହାୟତା ନିତାନ୍ତ ଆବଶ୍ୟକ । ସମଗ୍ର ବିଶ୍ୱର ହିନ୍ଦୁ ସମାଜକୁ ଏହି କଥା ମନେ ରଖିବାକୁ ହେବ ଯେ ଅସଂଗଠିତ ହୋଇ ରହିବା, ଦୁର୍ବଳ ହୋଇ ରହିବା ହେଉଛି ଦୁଷ୍ଟ ଶକ୍ତିମାନଙ୍କୁ ଆକ୍ରମଣ କରିବା ନିମନ୍ତେ ଖୋଲାଖୋଲି ଆମନ୍ତ୍ରଣ କରିବା । କଥା ଏତିକିରେ ସମାପ୍ତ ହେଉନାହିଁ, ଏବେ ସେଠାରେ କିଛି ଲୋକଙ୍କ ମଧ୍ୟରେ ଭାରତଠାରୁ ରକ୍ଷା ପାଇବା ପାଇଁ ବାଂଲାଦେଶକୁ ପୁଣି ଥରେ ପାକିସ୍ତାନ ସହିତ ମିଶିଯିବାର କଥା ଉଠିଲାଣି । ଏଭଳି ବିମର୍ଶ ଉତ୍ଥାପିତ କରି କେଉଁ ଦେଶମାନେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି ସେକଥା କାହାକୁ ଅଛପା ନାହିଁ । ଅବଶ୍ୟ ଏହାର ନିରାକରଣର ଉପାୟ ଖୋଜିବା କାମ ହେଉଛି ସରକାରଙ୍କର । କିନ୍ତୁ ସମାଜ ପାଇଁ ସର୍ବାଧିକ ଚିନ୍ତାର ବିଷୟ ହେଲା ଯେ ସମାଜରେ ରହିଥିବା ସଂସ୍କାର ଓ ଭଦ୍ରତାକୁ ନଷ୍ଟଭ୍ରଷ୍ଟ କରିବା, ବିବିଧତାକୁ ବିଚ୍ଛିନ୍ନତାରେ ପରିବର୍ତ୍ତନ କରି ସମସ୍ୟାଗ୍ରସ୍ତ ସମୁଦାୟ ଗୁଡିକରେ ଅଶ୍ରଦ୍ଧାର ଭାବ ଉତ୍ପନ୍ନ କରିବା ତଥା ଅସନ୍ତୋଷକୁ ଅରାଜକତାରେ ରୁପାନ୍ତରିତ କରିବାର ପ୍ରଚେଷ୍ଟା ବଢିଚାଲିଛି ।
‘ଡିପ୍-ଷ୍ଟେଟ’ ‘ୱୋକିଜମ୍’ ‘କଲଚରାଲ ମାର୍କସିଷ୍ଟ’ ଏଭଳି ଶବ୍ଦଗୁଡିକ ଆଜିକାଲି ଖୁବ୍ ଚର୍ଚ୍ଚାରେ ରହିଛି । ବାସ୍ତବରେ ଏଗୁଡିକ ହେଉଛି ସାଂସ୍କୃତିକ ପରମ୍ପରାର ଘୋଷିତ ଶତ୍ରୁ । ସମାଜ ପାଇଁ ଯାହା କିଛି ଭଦ୍ରୋଚିତ ଓ ମଙ୍ଗଳକାରୀ ସେଭଳି ସାଂସ୍କୃତିକ ମୂଲ୍ୟବୋଧ, ପରମ୍ପରା ଗୁଡିକର ସମୂଳ ଉଚ୍ଛେଦ ହେଉଛି ଏଭଳି ଗୋଷ୍ଠୀମାନଙ୍କର କାର୍ଯ୍ୟପ୍ରଣାଳୀର ଅଙ୍ଗବିଶେଷ । ଏହି କାର୍ଯ୍ୟପ୍ରଣାଳୀର ପ୍ରଥମ ସୋପାନଟି ହେଲା ସମାଜରେ ବିଚାର ସୃଷ୍ଟି କଲାଭଳି ତନ୍ତ୍ର ଓ ସଂସ୍ଥା, ଉଦାର ଶିକ୍ଷାତନ୍ତ୍ର, ଶିକ୍ଷାସଂସ୍ଥାନ, ସମ୍ବାଦ, ବୌଦ୍ଧିକ ସମ୍ବାଦ ଆଦିକୁ ନିଜ ପ୍ରଭାବ କ୍ଷେତ୍ରକୁ ଆଣିବା ଏବଂ ସେମାନଙ୍କ ଜରିଆରେ ସମାଜର ବିଚାର, ସଂସ୍କାର ଓ ଆସ୍ଥାକୁ ନଷ୍ଟ କରିବା ହେଉଛି ଏହି କାର୍ଯ୍ୟପ୍ରଣାଳୀର ପ୍ରଥମ ପାହାଚ । ଏମାନେ ଏକସଙ୍ଗେ ବସବାସ କରୁଥିବା ସମାଜର କୌଣସି ଏକ ବର୍ଗକୁ ବାସ୍ତବିକ ସ୍ଥିତି ଅଥବା କୃତ୍ରିମ ରୀତିନୀତି ଦ୍ୱାରା ଉତ୍ପନ୍ନ ବିଶିଷ୍ଟତା, ଆବଶ୍ୟକତା ଅଥବା ସମସ୍ୟା ଆଧାରରେ ଅଲଗା ହେବା ପାଇଁ ପ୍ରେରିତ କରିଥାନ୍ତି । ସେମାନଙ୍କ ମଧ୍ୟରେ ଅନ୍ୟାୟଗ୍ରସ୍ତତାର ଭାବନା ଉତ୍ପନ୍ନ କରାଯାଏ ଏବଂ ଅସନ୍ତୋଷକୁ କୁହୁଳାଇ ସେହି ବର୍ଗକୁ ଅବଶିଷ୍ଟ ସମାଜରୁ ଅଲଗା ହେବା ନିମନ୍ତେ, ବ୍ୟବସ୍ଥାର ବିରୋଧ କରିବା ନିମନ୍ତେ ଉଗ୍ର କରାଯାଇଥାଏ । ସମାଜ ମଧ୍ୟରେ ସଂଘର୍ଷର ସମ୍ଭାବନାମାନ ଖୋଜି ପ୍ରତ୍ୟକ୍ଷ ସଂଘର୍ଷ ଉତ୍ପନ୍ନ କରାଯାଇଥାଏ । ପ୍ରଚଳିତ ବ୍ୟବସ୍ଥା,ଆଇନ-କାନୁନ, ଶାସନ-ପ୍ରଶାସନ ପ୍ରତି ଅଶ୍ରଦ୍ଧାଭାବ, ଦ୍ୱେଷଭାବକୁ ଉଗ୍ରତର କରି ଅରାଜକତା ଓ ଭୟର ବାତାବରଣ ସୃଷ୍ଟିକରାଯାଏ । ଏହାଦ୍ୱାରା ସେ ଦେଶ ଉପରେ ନିଜର କର୍ତ୍ତୃତ୍ୱ ସ୍ଥାପିତ କରିବା ସହଜ ହୋଇଯାଏ ।
ବହୁଦଳୀୟ ପ୍ରଜାତାନ୍ତ୍ରିକ ଶାସନ ପ୍ରଣାଳୀରେ କ୍ଷମତା ହାସଲ କରିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ । ଯଦି ସମାଜରେ ବ୍ୟାପ୍ତ ଛୋଟ ଛୋଟ ସ୍ୱାର୍ଥଭାବନା ଗୁଡିକ ପାରସ୍ପରିକ ସଦ୍ଭାବନା, ରାଷ୍ଟ୍ରର ଏକତା ଓ ଅଖଣ୍ଡତା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଯାଏ ଅଥବା ଦଳୀୟ ପ୍ରତିଯୋଗିତାରେ ସମାଜର ସଦ୍ଭାବନା, ରାଷ୍ଟ୍ରଗୌରବ ଏବଂ ଏକାତ୍ମତାଭାବ ଗୌଣ ହୋଇପଡେ ତେବେ ଏଭଳି ଦଳୀୟ ରାଜନୀତିରେ ଗୋଟିଏ ପକ୍ଷର ସାହାଯ୍ୟ ନେଇ ବିକଳ୍ପ ରାଜନୀତି ନାମରେ ନିଜ ଗୁପ୍ତ କାର୍ଯ୍ୟସୂଚୀକୁ ଆଗକୁ ଆଗେଇ ନେବା ହେଉଛି ଏମାନଙ୍କର କାର୍ଯ୍ୟ ପଦ୍ଧତି । ଏହା କେବଳ ମାତ୍ର ଏକ କପୋଳକଳ୍ପିତ କାହାଣୀ ନୁହେଁ ବରଂ ପୃଥିବୀର ଅନେକ ଦେଶରେ ଘଟିଥିବା ବାସ୍ତବିକତା । ପାଶ୍ଚାତ୍ୟ ଜଗତର ପ୍ରଗତିଶୀଳ ଦେଶଗୁଡିକରେ ଏହି ମନ୍ତ୍ରବିପ୍ଲବର ପରିଣାମ ସ୍ୱରୂପ ସେଠାରେ ଶାନ୍ତିପୂର୍ଣ୍ଣ ଜୀବନଯାପନ, ସ୍ଥିରତା ଓ ସମାଜମଙ୍ଗଳ କାର୍ଯ୍ୟ ସଙ୍କଟରେ ପଡିଥିବା ସ୍ପଷ୍ଟ ଦୃଷ୍ଟିଗୋଚର ହୁଏ । ତଥାକଥିତ ‘ଆରବସ୍ପ୍ରିଙ୍ଗ’ ଠାରୁ ଆରମ୍ଭ କରି ଏଇ ନିକଟରେ ପଡୋଶୀ ବାଂଲାଦେଶରେ ଯାହାସବୁ ଘଟିଯାଇଛି ସେଥିରେ ଏହି ସିଦ୍ଧାନ୍ତ କାମ କରୁଥିବା ଆମେ ସମସ୍ତେ ଦେଖିଛନ୍ତି । ବର୍ତ୍ତମାନ ଭାରତ ଦେଶରେ ଚତୁର୍ଦ୍ଦିଗରୁ ବିଶେଷକରି ସୀମାବର୍ତ୍ତୀ ଅଞ୍ଚଳ ଏବଂ ଜନଜାତିବହୁଳ ପ୍ରଦେଶରେ ଏଭଳି କୁଚେଷ୍ଟା ଚାଲିଥିବା ଆମେ ଦେଖିବାକୁ ପାଉଛୁ ।
ଆମର ରାଷ୍ଟ୍ରୀୟ ଜୀବନ ସାଂସ୍କୃତିକ ଏକତା ଏବଂ ଶ୍ରେଷ୍ଠ ସଭ୍ୟତାର ସୁଦୃଢ ମୂଳଦୁଆ ଉପରେ ତିଷ୍ଠି ରହିଛି । ଆମ ସାମାଜିକ ଜୀବନ ଏହି ଉଦାତ୍ତ ଜୀବନମୂଲ୍ୟ ଦ୍ୱାରା ପ୍ରେରିତ ଏବଂ ପୋଷିତ । ଆମର ଏହିଭଳି ରାଷ୍ଟ୍ର ଜୀବନକୁ କ୍ଷତି କରିବା ଅଥବା ନଷ୍ଟ କରିବାର ଉପରୋକ୍ତ କୁଚେଷ୍ଟା ଗୁଡିକୁ ସମୟ ପୂର୍ବରୁ ରୋକିବାକୁ ହେବ । ଏଥିପାଇଁ ସଜାଗ ହୋଇ ସମାଜକୁ ହିଁ ଚେଷ୍ଟା କରିବାକୁ ହେବ । ଏଥି ନିମନ୍ତେ ନିଜର ସଂସ୍କୃତିଜନ୍ୟ ଜୀବନଦର୍ଶନ ତଥା ସମ୍ବିଧାନ ପ୍ରଦତ୍ତ ମାର୍ଗ ଅବଲମ୍ବନ ପୂର୍ବକ ଗଣତାନ୍ତ୍ରିକ ବ୍ୟବସ୍ଥା ନିର୍ମାଣ କରିବାକୁ ହେବ । ଏକ ସଶକ୍ତ ବିମର୍ଶ ଛିଡା କରି ବୈଚାରିକ ଓ ସାଂସ୍କୃତିକ ପ୍ରଦୁଷଣ କରୁଥିବା ଏଭଳି ଷଡଯନ୍ତ୍ରରୁ ସମାଜକୁ ସୁରକ୍ଷିତ ରଖିବା ହେଉଛି ଆଜି ସମୟର ବଡ ଆହ୍ୱାନ ।
ସଂସ୍କାରକ୍ଷରଣର ଦୁଷ୍ପରିଣାମ
ଭିନ୍ନଭିନ୍ନ ମାଧ୍ୟମ ତଥା ସଂସ୍ଥା ଗୁଡିକ ଦ୍ୱାରା କରାଯାଉଥିବା ବିସ୍ତୃତ ଅପପ୍ରଚାର ଓ କୁସଂସ୍କାର ଭାରତରେ ବିଶେଷକରି ନୂତନ ପୀଢିର କାୟ-ମନ-ବଚନକୁ ଗଭୀର ଭାବରେ ପ୍ରଭାବିତ କରୁଛି । ଏବେ ବଡଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଯାଏ ସମସ୍ତଙ୍କ ହାତରେ ମୋବାଇଲ ପହଁଚିଯାଇଛି । ସେଥିରେ କଣସବୁ ଦେଖାଯାଉଛି, ପିଲାଏ କଣକଣ ଦେଖୁଛନ୍ତି ତାହା ଉପରେ କାହାରି ନିୟନ୍ତ୍ରଣ ନାହିଁ କହିଲେ ଚଳେ । ସେଥିରେ ଦେଖାଯାଉଥିବା ସାମଗ୍ରୀଗୁଡିକ ଏତେ ମାତ୍ରାରେ ବିଭତ୍ସ ଯେ ତାର ଉଲ୍ଲେଖ କରିବା ମଧ୍ୟ ଭଦ୍ରାମୀର ଉଲ୍ଲଙ୍ଘନ ହେବ । ଅଶ୍ଲୀଳ ବିଜ୍ଞାପନ ଓ ବିକୃତ ଦୃଶ୍ୟଶ୍ରାବ୍ୟ ସାମଗ୍ରୀ ଉପରେ ଆଇନଗତ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ ମନେହୁଏ । ଜଙ୍ଗଲରେ ଲାଗିଥିବା ନିଆଁ ଭଳି ଯୁବବର୍ଗଙ୍କ ମଧ୍ୟରେ ବଢିଚାଲିଥିବା ନିଶାଦ୍ରବ୍ୟର ଅଭ୍ୟାସ ସମାଜକୁ ତଳିତଳାନ୍ତ କରୁଛି । ଏମାନଙ୍କୁ ଠିକ୍ ବାଟକୁ ଆଣିବା ନିମନ୍ତେ ଆବଶ୍ୟକୀୟ ସଂସ୍କାରଗୁଡିକୁ ପୁର୍ନଜୀବିତ କରିବାକୁ ହେବ ।
ସଂସ୍କାର କ୍ଷୟ ହେବାର ପରିଣାମ ହେଉଛି ଯେ ‘ମାତୃବତ୍ ପରଦାରେଷୁ’ ଆଚରଣର ମାନ୍ୟତା ରଖୁଥିବା ଆମ ଦେଶରେ ଏବେ ମାତୃଶକ୍ତିର ବଳାକ୍ରାର ଭଳି ବିଭତ୍ସ ଘଟଣା ଗୁଡିକର ସମ୍ମୁଖୀନ ହେବାକୁ ପଡୁଛି । କୋଲକାତାର ଆର.ଜି.କର ହସପିଟାଲରେ ଘଟିଯାଇଥିବା ଅମାନବୀୟ ଘଟଣା ସମଗ୍ର ସମାଜକୁ କଳଙ୍କିତ କଲାଭଳି ଲଜ୍ୟାଜନକ ଘଟଣା ମଧ୍ୟରୁ ଗୋଟିଏ । ଏଭଳି ଘଟଣାଗୁଡିକୁ ରୋକିବା ପାଇଁ ତଥା ସମ୍ବେଦନଶୀଳ ଏବଂ ତ୍ୱରିତ ପଦକ୍ଷେପ ନେବା ପାଇଁ ଚିକିତ୍ସକ ବନ୍ଧୁମାନଙ୍କ ସହିତ ଯଦିଓ ସମଗ୍ର ସମାଜ ଏକଜୁଟ ହେଲା ତଥାପି ଏଭଳି ଜଘନ୍ୟ ଅପରାଧ ଘଟିବା ସତ୍ୱେ ଯେଉଁଭଳି ଭାବରେ କିଛି ଲୋକଙ୍କ ଦ୍ୱାରା ଅପରାଧୀମାନଙ୍କୁ ସଂରକ୍ଷଣ ଦେବାର ଘୃଣାସ୍ପଦ ଚେଷ୍ଟା କରାଗଲା ତାହା ବର୍ତ୍ତମାନ ସମୟରେ ଅପରାଧ, ରାଜନୀତି ତଥା ଅପସଂସ୍କୃତିର ସହବନ୍ଧନ କିଭଳି ଆମର କ୍ଷତି କରି ଚାଲିଛି ତାହା ଦୃଶ୍ୟମାନ ହେଉଛି ।
ମହିଳାମାନଙ୍କ ପ୍ରତି ‘ମାତୃବତ୍ ପରଦାରେଷୁ’ର ଦୃଷ୍ଟିକୋଣ ହେଉଛି ଆମ ସଂସ୍କୃତିର ବିଶେଷତା ଯାହା ଆମକୁ ନିଜ ପରମ୍ପରା ଓ ସଂସ୍କାରରୁ ମିଳିଥାଏ । ପରିବାରରେ ତଥା ସମାଜ ଯାହାଠାରୁ ମନୋରଂଜନ ସହ ଅଜାଣତରେ ଏହି ଶିକ୍ଷା ପ୍ରାପ୍ତ କରୁଛି ସେ ମାଧ୍ୟମ ସମ୍ପର୍କରେ ଅଜ୍ଞାନତା ତଥା ଏହି ମୂଲ୍ୟବୋଧର ଉପେକ୍ଷା ଓ ତିରସ୍କାରର ମୂଲ୍ୟ ସମାଜକୁ ଦେବାକୁ ପଡୁଛି । ବିଚାରବିମର୍ଶ ଜରିଆରେ ପରିବାର, ସମାଜ ଓ ସମ୍ବାଦ ମାଧ୍ୟମରେ ଏହି ସାଂସ୍କୃତିକ ମୂଲ୍ୟବୋଧକୁ ପୁଣି ଥରେ ଜାଗୃତ କରିବାକୁ ହେବ ।
ଶକ୍ତିର ମହତ୍ୱ
ଆଜିକାଲି ଭାରତରେ ସର୍ବତ୍ର ସଂସ୍କାରର କ୍ଷରଣ ଭଳି ସ୍ଥିତି ତଥା ବିଭାଜନକାରୀ ଶକ୍ତିମାନଙ୍କର ଚକ୍ରାନ୍ତଯୋଗୁଁ ସମାଜକୁ ଖଣ୍ଡବିଖଣ୍ଡିତ କରିବା ଭଳି ପରିସ୍ଥିତି ଦେଖାଯାଉଛି । ଜାତି, ଭାଷା, ପ୍ରାନ୍ତ ଭଳି ଛୋଟ ଛୋଟ ବିଶେଷତା ଆଧାରରେ ସମାଜକୁ ବାଣ୍ଟିବା ନିମନ୍ତେ ବିବାଦୀୟ ପରିସ୍ଥିତି ଉତ୍ପନ୍ନ କରିବା ପାଇଁ ପ୍ରୟାସ ଚାଲିଛି । ନିଜର ସାମାନ୍ୟତମ ପରିଚୟ ଓ ନିହିତ ସ୍ୱାର୍ଥରେ ନିମଗ୍ନ ରହି ମୁଣ୍ଡ ଉପରେ ଚଢ଼ିଥିବା ଏହି ସର୍ବଗ୍ରାସୀ ସଙ୍କଟକୁ ବହୁ ସମୟ ଧରି ସମାଜ ବୁଝିନପାରୁ ଏଭଳି ବ୍ୟବସ୍ଥାମାନ କରାଯାଉଛି । ଏହି କାରଣରୁ ଆଜି ଦେଶର ସୀମାନ୍ତସ୍ଥିତ ପଞ୍ଜାବ, ଜାମ୍ମୁ-କାଶ୍ମୀର, ଲଦାଖ; ସମୁଦ୍ର ସୀମାକୁ ଲାଗିଥିବା କେରଳ, ତାମିଲନାଡୁ; ତଥା ବିହାରରୁ ମଣିପୁର ପର୍ଯ୍ୟନ୍ତ ସଂପୂର୍ଣ୍ଣ ପୂର୍ବାଞ୍ଚଳ ଆଜି ଅଶାନ୍ତ । ଭାଷଣରେ ପୂର୍ବରୁ ଉଲ୍ଲିଖିତ ସମସ୍ତ ପରିସ୍ଥିତିମାନ ଏହି ସବୁ ପ୍ରଦେଶରେ ମଧ୍ୟ ବିଦ୍ୟମାନ ରହିଛି ।
କୌଣସି କାରଣ ନଥାଇ କଠୋରତାବାଦକୁ ଉସୁକାଇଲା ଭଳି ଘଟଣା ଗୁଡିକ ମଧ୍ୟ ଦେଶରେ ବୃଦ୍ଧି ପାଇଛି । କୌଣସି ପରିସ୍ଥିତି ଅଥବା କିଛି ନୀତିନିୟମକୁ ନେଇ ମନରେ ଅସନ୍ତୋଷର ଭାବ ସୃଷ୍ଟି ହୋଇପାରେ କିନ୍ତୁ ଏହାକୁ ବ୍ୟକ୍ତ କରିବା ପାଇଁ ଅଥବା ବିରୋଧ କରିବା ପାଇଁ ଆମ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି । କିନ୍ତୁ ଏହାକୁ ଠିକ୍ ଭାବରେ ଅନୁସରଣ ନକରି ହିଂସାର ପଥ ଆପଣେଇବା, ସମାଜର କିଛି ବିଶିଷ୍ଟ ବର୍ଗମାନଙ୍କ ଉପରେ ଆକ୍ରମଣ କରିବା, ବିନା କାରଣରେ ହିଂସା ଘଟାଇବା ତଥା ଭୟ ସୃଷ୍ଟି କରିବାର ପ୍ରଚେଷ୍ଟା କରିବା ହେଉଛି ଗୁଣ୍ଡାଗିରି । ଏହାକୁ ଜଳାଇ ରଖିବାର ପ୍ରଚେଷ୍ଟା ଅଥବା ଯୋଜନାବଦ୍ଧ ଭାବରେ କରାଯାଉଥିବା ଏହିଭଳି ଆଚରଣକୁ ଡ.ବାବାସାହେବ ଆମ୍ବେଦକରଜୀ ଅରଜକତାର ବ୍ୟାକରଣ (ଏକ୍ସବଜ୍ଞଜ୍ଞବକ୍ସ କ୍ଟଲ ଇଦ୍ଭବକ୍ସମଷଚ୍ଚ) ବୋଲି ଆଖ୍ୟା ଦେଇଛନ୍ତି । ଏଇ କିଛିଦିନ ପୂର୍ବେ ଗଣେଶ ପୂଜା ଉତ୍ସବ ସମୟରେ ଶ୍ରୀଗଣପତି ବିସର୍ଜନ ଶୋଭାଯାତ୍ରା ଉପରକୁ କୌଣସି କାରଣ ନଥାଇ ପଥର ଫିଙ୍ଗାଗଲା । ତାହାପରେ ଯେଉଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟିହେଲା ତାହା ଏହି ବ୍ୟାକରଣର ଉଦାହରଣ । ଏଭଳି ଘଟଣାମାନ ଘଟିବାକୁ ନଦେବା, ଯଦି ଘଟୁଛି ତାକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିବା, ଉପଦ୍ରବକାରୀମାନଙ୍କୁ ତୁରନ୍ତ ଦଣ୍ଡିତ କରିବା ହେଲା ପ୍ରଶାସନର କାମ । କିନ୍ତୁ ପ୍ରଶାସନ ପହଞ୍ଚôବା ପର୍ଯ୍ୟନ୍ତ ସମାଜକୁ ନିଜର ତଥା ନିଜ ସମ୍ପର୍କୀୟଙ୍କର ଜୀବନ ଓ ସମ୍ପତ୍ତି ରକ୍ଷା କରିବାକୁ ପଡିଥାଏ । ସେଥିପାଇଁ ସମାଜକୁ ମଧ୍ୟ ସଦାସର୍ବଦା ସତର୍କ ଓ ସଜାଗ ରହିବା ସହିତ ଏହିଭଳି ଦୁଷ୍ପ୍ରବୃତ୍ତିସମ୍ପନ୍ନ ଶକ୍ତିମାନଙ୍କୁ ଯେଉଁମାନେ ଆଶ୍ରୟ ପ୍ରଦାନ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ଜରୁରୀ ହୋଇଗଲାଣି ।
ପରିସ୍ଥିତିର ଉପରୋକ୍ତ ବର୍ଣ୍ଣନାଗୁଡିକ କାହାକୁ ଡରିବା, ଡରାଇବା, କିମ୍ବା ଲଢାଇବା ପାଇଁ ଆଦୌ ନୁହେଁ । କିନ୍ତୁ ଏଭଳି ପରିସ୍ଥିତି ଯେ ବିଦ୍ୟମାନ ତାହା ଆମେ ସମସ୍ତେ ଅନୁଭବ କରୁଛୁ । ଏଥିସହିତ ଦେଶକୁ ସୁଖ ଶାନ୍ତିମୟ, ସମୃଦ୍ଧ, ବଳଶାଳୀ ତଥା ଏକାତ୍ମ କରିବା ହେଉଛି ସମସ୍ତଙ୍କର ଇଛା ଏବଂ ଏହା ମଧ୍ୟ ସମସ୍ତଙ୍କ କର୍ତ୍ତବ୍ୟ । ଏଥିନିମନ୍ତେ ହିନ୍ଦୁ ସମାଜର ଉତ୍ତରଦାୟିତ୍ୱ ଖୁବ୍ ଅଧିକ । ତେଣୁକରି ସମାଜରେ ଏକ ବିଶିଷ୍ଟ ପ୍ରକାରର ସ୍ଥିତି ନିର୍ମାଣ, ଜାଗ୍ରତାବସ୍ଥା ତଥା ଏକ ବିଶିଷ୍ଟ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ସମସ୍ତେ ମିଳିମିଶି ପ୍ରୟାସ କରିବାର ଆବଶ୍ୟକତା ଅଛି । ଯେତେବେଳେ ସମାଜ ନିଜେ ଜାଗ୍ରତ ହୁଏ , ନିଜର ପୁରୁଷାର୍ଥ ବଳରେ ନିଜର ଭାଗ୍ୟ ଲେଖିଥାଏ, ସେତେବେଳେ ମହାପୁରୁଷ, ସଂଗଠନ, ଅନୁଷ୍ଠାନ, ପ୍ରଶାସନ, ଶାସନ ଇତ୍ୟାଦି ଏଥିରେ ସହାୟକ ହୋଇଥାନ୍ତି । ସୁସ୍ଥ ଅବସ୍ଥାରେ ଶରୀରରେ କ୍ଷରଣ ପ୍ରଥମେ ଆସିଥାଏ, ତାହାପରେ ଏହାକୁ ରୋଗ ଘେରିଥାଏ । ଏହାକୁ ନେଇ ସୁଭାଷିତରେ ଏକ ପ୍ରସିଦ୍ଧ କଥା ଲେଖାଅଛି ଯେ ଭଗବାନ ମଧ୍ୟ ଦୁର୍ବଳମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ।
ଅଶ୍ୱଂ ନୈବ ଗଜଂ ନୈବ, ବ୍ୟାଘ୍ରଂ ନୈବ ଚ ନୈବ ଚ,
ଅଜାପୁତ୍ରଂ ବଳିଂ ଦଦ୍ୟାତ୍, ଦେବୋ ଦୁର୍ବଳ ଘାତକଃ ।
(ଏହାର ଅର୍ଥ ହେଲା ଘୋଡା, ହାତୀ, ବାଘ ଏମାନଙ୍କୁ ବଳି ଦିଆଯାଏ ନାହିଁ, କିନ୍ତୁ ଛେଳି ଦୁର୍ବଳ ବୋଲି ତାକୁ ବଳି ଦିଆଯାଇଥାଏ ଅର୍ଥାତ ଦୁର୍ବଳମାନଙ୍କୁ ଦେବତାମାନେ ମଧ୍ୟ ସହାୟ ହୋଇନଥାନ୍ତି । )
ସେଥିପାଇଁ ଶତାବ୍ଦୀ ବର୍ଷ ସଂପୂର୍ଣ୍ଣ ହେବା ପୂର୍ବରୁ କିଛି ବିଷୟକୁ ନେଇ ସମାଜରେ ସମସ୍ତ ସଜ୍ଜନଶକ୍ତିମାନଙ୍କୁ ସକ୍ରିୟ କରିବାର ବିଚାର ସଂଘର ସ୍ୱୟଂସେବକମାନେ କରୁଛନ୍ତି ।
ସମରସତା ଓ ସଦ୍ଭାବନା
ସମାଜକୁ ସୁସ୍ଥ ସବଳ କରି ରଖିବାର ପ୍ରଥମ ଆଧାର ହେଉଛି ସାମାଜିକ ସମରସତା ତଥା ସମାଜରେ ବସବାସ କରୁଥିବା ବିଭିନ୍ନ ବର୍ଗମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସଦ୍ଭାବ । ହେଲେ କେବଳ କିଛି ସାଙ୍କେତିକ କାର୍ଯ୍ୟକ୍ରମ କରିବା ଦ୍ୱାରା ଏହି କାର୍ଯ୍ୟ ସମ୍ପନ୍ନ ହୁଏ ନାହିଁ । ସମାଜରେ ସବୁ ଶ୍ରେଣୀ ଓ ସବୁ ସ୍ତରର ବ୍ୟକ୍ତିମାନଙ୍କ ମଧ୍ୟରେ ନିଜ କୁଟୁମ୍ବ ଭଳି ମିତ୍ରତା ରହିବା ଆବଶ୍ୟକ । ପ୍ରଥମେ ଏହି କାମ ଆମେ ସମସ୍ତେ ନିଜେ ବ୍ୟକ୍ତିଗତ ତଥା ପରିବାର ସ୍ତରରେ କରିବାକୁ ହେବ । ପରସ୍ପର ଉତ୍ସବରେ ସମସ୍ତେ ସହଭାଗୀ ହୋଇ ଏହାକୁ ସମ୍ପୂର୍ଣ୍ଣ ସମାଜର ଉତ୍ସବ ଭାବେ ପାଳନ କରିବା । ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରହିଥିବା ଶ୍ରଦ୍ଧାର ସ୍ଥାନ, ମନ୍ଦିର, ଶ୍ମଶାନ, ଜଳର ଉତ୍ସ ଇତ୍ୟାଦିରେ ସମାଜର ସବୁ ବର୍ଗ ସହଭାଗୀ ହେଲା ଭଳି ବାତାବରଣ ସୃଷ୍ଟି ହେବା ଦରକାର । ପରିସ୍ଥିତିକୁ ନେଇ ସମସ୍ତ ସମାଜକୁ ବିଭିନ୍ନ ବର୍ଗ ଗୁଡିକର ଆବଶ୍ୟକତା ବୁଝି ନେବା ଜରୁରୀ । ଯେପରି କୁଟୁମ୍ବ ମଧ୍ୟରେ ସମର୍ଥ ବ୍ୟକ୍ତିଟି ଦୁର୍ବଳ ବ୍ୟକ୍ତିଙ୍କ ପାଇଁ ଅଧିକ ଯତ୍ନବାନ ହୋଇଥାଏ, ବେଳେବେଳେ ନିଜେ କ୍ଷତି ସହି ମଧ୍ୟ କାର୍ଯ୍ୟ କରିଥାଏ,ସେହିଭଳି ସମସ୍ତଙ୍କୁ ଆପଣାର ଭାବି ଏହି ଆବଶ୍ୟକତା ଗୁଡିକ ଉପରେ ବିଚାର କରିବା ଦରକାର ।
ସମାଜରେ ବିଭିନ୍ନ ଜାତିବର୍ଗକୁ ସଂଚାଳନ କରିବା ପାଇଁ ସେମାନଙ୍କର ନିଜସ୍ୱ ବ୍ୟବସ୍ଥାମାନ ଏବଂ ଅନୁଷ୍ଠାନ ଗୁଡିକ ମଧ୍ୟ ରହିଛି । ନିଜ ନିଜ ଜାତିବର୍ଗଙ୍କର ଉନ୍ନତି ଓ ସୁଧାର ସହିତ ସେମାନଙ୍କର ହିତ ସାଧନ ପାଇଁ ବିଚାରବିମର୍ଶର ବ୍ୟବସ୍ଥା ଏହି ନେତୃତ୍ୱ ଦ୍ୱାରା କରାଯାଇଥାଏ । ଜାତି କୁଟୁମ୍ବଙ୍କ ନେତୃତ୍ୱ କରୁଥିବା ବ୍ୟକ୍ତିବିଶେଷ ପ୍ରତିଦିନ ଯଦି ମିଳିମିଶି ଦୁଇଟି ବିଷୟ ଉପରେ ବିଚାର କରିବେ ତେବେ ସମାଜରେ ସର୍ବତ୍ର ସଦ୍ଭାବନା ପୂର୍ଣ୍ଣ ବ୍ୟବହାରର ବାତାବରଣ ସୃଷ୍ଟି ହେବ । ସମାଜକୁ ଭାଗଭାଗ କରିବା ପାଇଁ କୌଣସି ଷଡଯନ୍ତ୍ର ସଫଳ ହୋଇ ପାରିବ ନାହିଁ । ପ୍ରଥମ ବିଷୟଟି ହେଲା ଜାତିବର୍ଗ ନିର୍ବିଶେଷରେ ଆମେ ସମସ୍ତେ ମିଳିମିଶି ଦେଶ ହିତରେ, ସମାଜ ହିତରେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ କେଉଁ କାମ କରିପାରିବା, ତାହାର ଯୋଜନା ତିଆରି କରି ଏହାର ସଫଳ ରୂପାୟନ କରି ପାରିବା । ସେହିଭଳି ଦ୍ୱିତୀୟ ବିଷୟଟି ହେଲା ଯେ ଆମ ମଧ୍ୟରେ ଯେଉଁ ଦୁର୍ବଳ ଜାତି ବର୍ଗ ଅଛନ୍ତି, ସେମାନଙ୍କ ମଙ୍ଗଳ ସାଧନ ପାଇଁ ଆମେ ସବୁ ମିଳିମିଶି କଣ କରିପାରିବା? ନିୟମିତ ରୂପେ ଯଦି ଏଭଳି ବିଚାର ଏବଂ କାର୍ଯ୍ୟ କରାଯିବ, ତେବେ ସମାଜ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ସମାଜର ସଦ୍ଭାବର ବାତାବରଣ ବି ସୃଷ୍ଟି ହେବ ।
ପର୍ଯ୍ୟାବରଣ
ପରିବେଶକୁ ନେଇ ବର୍ତ୍ତମାନ ଏକ ବିଶ୍ୱବ୍ୟାପୀ ସମସ୍ୟା ଦେଖା ଦେଇଛି ଯାହାର ଅନୁଭବ ଚଳିତ ବର୍ଷମାନଙ୍କରେ ଆମ ଦେଶରେ ବି ହେଉଛି ତାହା ହେଲା ପର୍ଯ୍ୟାବରଣର ଦୁଃଖମୟ ସ୍ଥିତି । ବର୍ତ୍ତମାନ ଋତୁଚକ୍ର ଅନିୟମିତ ଓ ଉଗ୍ର ହୋଇଚାଲିଛି । ଖଣ୍ଡିତ ବିଚାରରେ ପରିଚାଳିତ ଉପଭୋଗବାଦୀ ତଥା ଜଡବାଦୀ ମଣିଷର ତଥା କଥିତ ବିକାଶଯାତ୍ରା ମାନବ ସମାଜ ସହିତ ସଂପୂର୍ଣ୍ଣ ସୃଷ୍ଟିର ବିନାଶର କାରଣ ହୋଇଗଲାଣି । ଭାରତବର୍ଷର ନିଜସ୍ୱ ପରମ୍ପରାରୁ ପ୍ରାପ୍ତ ସମ୍ପୂର୍ଣ୍ଣ, ସମଗ୍ର ଓ ଏକାତ୍ମ ଦୃଷ୍ଟିକୋଣ ଆଧାରରେ ଆମକୁ ନିଜର ବିକାଶ ପଥ ତିଆରି କରିବା ଦରକାର ଥିଲା କିନ୍ତୁ ଆମେ ତାହା କଲେ ନାହିଁ । ବର୍ତମାନ ଏଭଳି ବିଚାର କିଛି କିଛି ମାତ୍ରାରେ ଶୁଣିବାକୁ ମିଳୁଛି କିନ୍ତୁ ମୋଟାମୋଟି ଉପରଠାଉରିଆ ଭାବରେ ମାତ୍ର ଅଳ୍ପ କିଛି କଥା ସ୍ୱୀକାର କରାଯାଇଛି, କିଛି କଥାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାଠାରୁ କିଛି ଅଧିକ କାମ ହୋଇନାହିଁ । ବିକାଶ ବାହାନାରେ ବିନାଶ ଆଡକୁ ନେଇ ଯାଉଥିବା ଅପୂର୍ଣ୍ଣ ବିକାଶପଥର ଅନ୍ଧାନୁକରଣର ଦୁଷ୍ପରିଣାମ ମଧ୍ୟ ଆମେ ଭୋଗୁଛୁ । ଗ୍ରୀଷ୍ମଋତୁ ବ୍ୟତିବ୍ୟସ୍ତ କରିପକାଉଛି, ବର୍ଷାଋତୁରେ ପାଣି ଭସାଇ ନେଉଛି ଏବଂ ଶୀତ ଋତୁରେ ଭୟଙ୍କର ଜାଡ଼ ଅନୁଭୁତ ହେଉଛି । ଋତୁମାନଙ୍କର ଏହି ବିକ୍ଷିପ୍ତ ତୀବ୍ରତା ଆମେ ସମସ୍ତେ ଅନୁଭବ କରୁଛୁ । ଜଙ୍ଗଲ କାଟିବା ଦ୍ୱାରା ସବୁଜିମା ନଷ୍ଟ ହୋଇଗଲା, ନଦୀଗୁଡିକ ଶୁଖିଗଲେ, ରାସାୟନିକ ସାର ଆମ ଅନ୍ନ ଜଳ ବାୟୁ ଓ ପୃଥିବୀକୁ ବିଷାକ୍ତ କରିଦେଲା । ଆମର ବୈଚାରିକ ଆଧାରକୁ ନେଇ ଏହି ସବୁ କ୍ଷତିପୂରଣ ପୂର୍ବକ ଏକ ଧାରଣକ୍ଷମ, ସମଗ୍ର ଓ ଏକାତ୍ମ ବିକାଶ ଦେବାଭଳି ପଥ ଆମକୁ ନିର୍ମାଣ କରିବାକୁ ହେବ । ଏହାର ଅନ୍ୟ କିଛି ଉପାୟ ନାହିଁ । ସଂପୂର୍ଣ୍ଣ ଦେଶରେ ଏହାକୁ ନେଇ ସମାନ ବୈଚାରିକ ଭୂମିକା ସୃଷ୍ଟି ହେଉ ଓ ଦେଶର ବିବିଧତାକୁ ଧ୍ୟାନରେ ରଖି କ୍ରିୟାନ୍ୱୟନର ବିକେନ୍ଦ୍ରିତ ବିଚାର ହେଉ ତେବେ ଯାଇ ଏହା ସମ୍ଭବ ହୋଇପାରିବ । କିନ୍ତୁ ଆମଭଳି ସାଧାରଣ ଲୋକମାନେ ଅନ୍ତତଃ ନିଜ ଘରେ ତିନୋଟି ଛୋଟ ଛୋଟ ସରଳ କଥାକୁ ଆଚରଣ ଦ୍ୱାରା ଆରମ୍ଭ କରିପାରିବା । ପ୍ରଥମ କଥା ହେଲା ଜଳର ନୁ୍ୟନତମ ଆବଶ୍ୟକୀୟ ଉପଯୋଗ ତଥା ବର୍ଷାଜଳର ସଂରକ୍ଷଣ । ଦ୍ୱିତୀୟ କଥା ହେଉଛି ପ୍ଲାଷ୍ଟିକ ନିର୍ମିତ ବସ୍ତୁ ଗୁଡିକର ବ୍ୟବହାର ବନ୍ଦ କରିଦେବା । ଯାହାକୁ ଇଂରାଜୀରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ (ଗ୍ଦସଦ୍ଭଶକ୍ଷର ଙ୍କଗ୍ଦର କ୍ଟ୍ରକ୍ଷବଗ୍ଦଗ୍ଧସମ) କୁହାଯାଏ, ଏହାର ବ୍ୟବହାର ସମ୍ପୂର୍ଣ୍ଣଭାବେ ନିଷେଧ କରିବା । ତୃତୀୟ କଥା ହେଲା ନିଜ ଘର ଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଜିମା ବଢୁ, ବୃକ୍ଷ ଲଗାଯାଉ,ଜଙ୍ଗଲ ଗୁଡିକରେ ପରମ୍ପରାଗତ ଭାବେ ଲାଗିଥିବା ବୃକ୍ଷଲତା ସବୁଆଡେ ଛିଡା ହେଉ ଏବିଷୟରେ ଚିନ୍ତା କରିବା । ପର୍ଯ୍ୟାବରଣ ସମ୍ବନ୍ଧରେ ନୀତିଗତ ସମସ୍ତ ପ୍ରଶ୍ନର ସମାଧାନ ହେବା ପାଇଁ ସମୟ ତ ଲାଗିବ କିନ୍ତୁ ଉପରୋକ୍ତ ଏହି ସହଜ କାର୍ଯ୍ୟଟିକୁ ଆମେ ନିଜ ଘରୁ ଖୁବ୍ ଶୀଘ୍ର ଆରମ୍ଭ କରିପାରିବା ।
ସଂସ୍କାର ଜାଗରଣ
ଯେତେବେଳେ ସଂସ୍କାରକ୍ଷରଣକୁ ନେଇ ପ୍ରଶ୍ନ ଉଠିଥାଏ ସେତେବେଳେ ତିନୋଟି ବିଷୟରେ ଧ୍ୟାନ ଦେବାକୁ ହୁଏ । ସେଗୁଡିକ ହେଲା ଯେଉଁଠାରୁ ସଂସ୍କାର ମିଳେ ସେହି ସ୍ଥାନରେ ସଂସ୍କାର ପ୍ରଦାନକାରୀ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବା, ସମର୍ଥ କରିବା, ସକ୍ଷମ କରିବା ଆବଶ୍ୟକତା ପଡ଼େ । ଶିକ୍ଷା ପଦ୍ଧତି ପେଟ ପୋଷିବାର ଶିକ୍ଷା ଦେବା ସହିତ ଛାତ୍ରମାନଙ୍କ ବ୍ୟକ୍ତିତ୍ୱ ବିକାଶର କାମ ମଧ୍ୟ କରିଥାଏ । ଆମ ଦେଶରେ ଏହି ସାଂସ୍କୃତିକ ମୂଲ୍ୟବୋଧକୁ ସଂକ୍ଷେପରେ ବୁଝେଇଲା ଭଳି ଏକ ସୁଭାଷିତ ରହିଛି ।
ମାତୃବତ୍ ପରଦାରେଷୁ, ପରଦ୍ରବ୍ୟେଷୁ ଲୋଷ୍ଠବତ
ଆତ୍ମବତ୍ ସର୍ବ ଭୂତେଷୁ ୟଃ ପଶ୍ୟତି ସଃ ପଣ୍ଡିତଃ ।ା
ମହିଳାମାନଙ୍କୁ ମାତା ସମାନ ଦୃଷ୍ଟିରେ ଦେଖିବା, ପରଧନକୁ ମାଟି ସମାନ ଭାବି ନିଜେ ପରିଶ୍ରମପୂର୍ବକ ସତ୍ମାର୍ଗରେ ଧନ ଅର୍ଜନ କରିବା ଏବଂ ଅନ୍ୟମାନଙ୍କୁ ଦୁଃଖ କଷ୍ଟ ହେଲାଭଳି କୌଣସି ଆଚରଣ ତଥା କାର୍ଯ୍ୟ କରିବା ନାହିଁ ଏହିଭଳି ବ୍ୟବହାରସଂପନ୍ନ ବ୍ୟକ୍ତିଙ୍କୁ ହିଁ ଶିକ୍ଷିତ କୁହାଯାଇଥାଏ । ନୂତନ ଶିକ୍ଷାନୀତିରେ ଏହି ପ୍ରକାରର ମୂଲ୍ୟବୋଧ ଆଧାରିତ ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟକ୍ରମର ପ୍ରୟାସ ଚାଲିଛି କିନ୍ତୁ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରମାନଙ୍କ ସମ୍ମୁଖରେ ଶିକ୍ଷକମାନଙ୍କ ଆଚରଣ ଏକ ଉଦାହରଣ ପ୍ରସ୍ତୁତ କରୁଥିବାରୁ ଏହା ବିନା ନୂତନ ଶିକ୍ଷାନୀତି ପ୍ରଭାବଶାଳୀ ହେବ ନାହିଁ । ଏଥିପାଇଁ ଶିକ୍ଷକମାନଙ୍କର ପ୍ରଶିକ୍ଷଣ ନିମନ୍ତେ ନୂତନ ବ୍ୟବସ୍ଥା ନିର୍ମାଣ କରିବାକୁ ପଡିବ । ଦ୍ୱିତୀୟ ସ୍ଥାନ ହେଲା ସମାଜର ବାତାବରଣ । ସମାଜରେ ଯେଉଁ ପ୍ରମୁଖ ଲୋକମାନେ ଅଛନ୍ତି, ଯାହାଙ୍କର ଲୋକପ୍ରିୟତା ପାଇଁ ବହୁସଂଖ୍ୟକ ଲୋକ ସେମାନଙ୍କୁ ଅନୁସରଣ କରିଥାନ୍ତି, ସେମାନଙ୍କ ଆଚରଣରେ ମଧ୍ୟ ଉପରୋକ୍ତ କଥାମାନ ଦେଖାଯିବା ଆବଶ୍ୟକ । ସେହି ପ୍ରମୁଖ ଲୋକମାନଙ୍କୁ ଏଭଳି ମୂଲ୍ୟବୋଧ ଭିତ୍ତିକ ବିଚାରବିମର୍ଶ କରିବା ଉଚିତ ଯାହାର ପ୍ରଭାବ ସମାଜରେ ପଡିବ । ସମାଜରେ ସମ୍ବାଦ ମାଧ୍ୟମ (ଗ୍ଦକ୍ଟମସବକ୍ଷ ଜ୍ଞରୟସବ) ର ଉପଯୋଗ କରୁଥିବା ସମସ୍ତ ସଜ୍ଜନମାନେ ମଧ୍ୟ ଏହି ମାଧ୍ୟମ ଗୁଡିକର ଉପଯୋଗ ସମାଜକୁ ଯୋଡିବା ପାଇଁ କରନ୍ତୁ, ଭାଙ୍ଗିବା ପାଇଁ ନୁହେଁ; ସୁସଂସ୍କୃତ କରିବା ପାଇଁ କରନ୍ତୁ, ଅପସଂସ୍କୃତିର ପ୍ରଚାର ପାଇଁ ନୁହେଁ ଏସବୁ ବିଷୟ ପ୍ରତି ସାବଧାନ ରହିବାକୁ ପଡିବ ।
ଶିକ୍ଷାର ପ୍ରାରମ୍ଭ ଓ ଏଥିରୁ ସୃଷ୍ଟି ହେଉଥିବା ପ୍ରବୃତ୍ତି ଓ ସ୍ୱଭାବ ସାଧାରଣତଃ ତିନିରୁ ବାରବର୍ଷ ବୟସରେ ଘରେ ହିଁ ନିର୍ମିତ ହୋଇଥାଏ । ଏହି ଶିକ୍ଷା ଘରେ ଗୁରୁଜନମାନଙ୍କର ବ୍ୟବହାରରେ, ଘରର ବାତାବରଣରେ ଓ ଘରେ ଥିବା ଆତ୍ମୀୟତାଯୁକ୍ତ କଥାବାର୍ତ୍ତା ମାଧ୍ୟମରେ ସମ୍ପନ୍ନ ହୋଇଥାଏ । ଆମ ପ୍ରତ୍ୟେକଙ୍କୁ ନିଜ ଘର ବିଷୟରେ ଚିନ୍ତା କରିବା ସହିତ ଯଦି ଅସୁବିଧା ହୁଏ ତେବେ ଅନ୍ତତଃ ସପ୍ତାହରେ ଥରେ ବସିବା ଉଚିତ । ସ୍ୱଗୌରବ, ଦେଶପ୍ରେମ, ନୀତି ପ୍ରତି ଶ୍ରଦ୍ଧା, ଶ୍ରେୟବୋଧ, କର୍ତ୍ତବ୍ୟବୋଧ ଆଦି ସମସ୍ତ ଗୁଣର ନିର୍ମାଣ ଏହି କାଳଖଣ୍ଡ ମଧ୍ୟରେ ହୋଇଥାଏ । ଏହାଭାବି ଏହି କାର୍ଯ୍ୟକୁ ଆମେ ନିଜ ଘରୁ ଆରମ୍ଭ କରିବା ।
ନାଗରିକ ଅନୁଶାସନ
ସଂସ୍କାର ଅଭିବ୍ୟକ୍ତିର ଦ୍ୱିତୀୟ ଦୃଷ୍ଟିକୋଣଟି ହେଲା ଆମର ସାମାଜିକ ବ୍ୟବହାର । ସମାଜରେ ଆମେ ଏକସଙ୍ଗରେ ରହୁଛୁ । ସମସ୍ତେ ଏକ ସଙ୍ଗେ ସୁଖ ପୂର୍ବକ ରହିବା ପାଇଁ କିଛି ନିୟମ ତିଆରି ହୋଇଛି, ଦେଶ କାଳ ପରିସ୍ଥିତି ଅନୁସାରେ ସେଥିରେ ମଧ୍ୟ ପରିବର୍ତ୍ତନ ହେଉଛି । କିନ୍ତୁ ଆମେ ସୁଖରେ ଏକତ୍ର ରହିପାରିବା ସେଥିପାଇଁ ଏହି ନିୟମ ଗୁୁଡିକୁ ଶ୍ରଦ୍ଧାର ସହିତ ପାଳନ କରିବା ଅନିବାର୍ଯ୍ୟ । ଆମେ ଏକାଠି ରହିଲେ ଆମ ପରସ୍ପର ମଧ୍ୟରେ ହେଉଥିବା କର୍ତ୍ତବ୍ୟ ଓ ବ୍ୟବହାର ମଧ୍ୟ ଅନୁଶାସନରେ ପରିଣତ ହୋଇଯାଏ । ଆଇନ କାନୁନ ଓ ସମ୍ବିଧାନ ମଧ୍ୟ ଏପରି ଏକ ଅନୁଶାସନ । ସମାଜରେ ସବୁ ଲୋକ ସୁଖପୂର୍ବକ ଏକାଠି ରୁହନ୍ତୁ, ଉନ୍ନତି କରି ଚାଲନ୍ତୁ,ଅଲଗା ନ ହୁଅନ୍ତୁ ଏଥିପାଇଁ ଅଧିଷ୍ଠାନ ଓ ନିୟମ ମଧ୍ୟ ରହିଛି । ଆମେ ଭାରତୀୟମାନେ ନିଜକୁ ନିଜେ ସମ୍ବିଧାନ ପ୍ରତି ଏହି ପ୍ରତିବଦ୍ଧତା ଦେଇଛୁ । ସମ୍ବିଧାନର ପ୍ରସ୍ତାବନାରେ ଏହି ବାକ୍ୟର ଭାବକୁ ଧ୍ୟାନରେ ରଖି ସମ୍ବିଧାନ ପ୍ରଦତ୍ତ କର୍ତ୍ତବ୍ୟ ଗୁଡିକର ଏବଂ ଆଇନ କାନୁନର ଯଥୋଚିତ ପାଳନ ହେଉ ଏହା ସମସ୍ତଙ୍କୁ କରିବାକୁ ହେବ । ଟ୍ରାଫିକର କିଛି ନିୟମ ରହିଛି,ବିଭିନ୍ନ ପ୍ରକାରର କରଗୁଡିକୁ ଠିକ୍ ସମୟରେ ପ୍ରଦାନ କରିବାର ନିୟମ ରହିଛି, ବ୍ୟକ୍ତିଗତ ତଥା ସାମାଜିକ ଅର୍ଥକାରବାରରେ ଶୁଦ୍ଧତା ଓ ପାରଦର୍ଶିତାର ଅନୁଶାସନ ରହିଛି । ଏହିଭଳି ଅନେକ ନିୟମଗୁଡିକୁ କର୍ତ୍ତବ୍ୟ ପରାୟଣତା ଭାବରେ ପାଳନ କରିବା ଉଚିତ । ନିୟମ ଓ ବ୍ୟବସ୍ଥା ପାଳନ ଶବ୍ଦଶଃ ଓ ଭାବପୂର୍ଣ୍ଣ ହେବା ଉଚିତ । ଏହି ଦୁଇ ପ୍ରକାର ଭାବକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ଅଛି (ସଦ୍ଭ କ୍ଷରଗ୍ଧଗ୍ଧରକ୍ସ ବଦ୍ଭୟ ଗ୍ଦକ୍ଟ୍ରସକ୍ସସଗ୍ଧ) । ଏହା ଠିକରେ ହେଉ ଏଥିପାଇଁ ଆମ ସମ୍ବିଧାନରେ ଚାରିଟି ପ୍ରମୁଖ ବିବରଣୀ ରହିଛି-ସମ୍ବିଧାନର ପ୍ରସ୍ତାବନା, ମାର୍ଗ ଦର୍ଶକ ତତ୍ତ୍ୱ, ନାଗରିକ କର୍ତ୍ତବ୍ୟ ଓ ନାଗରିକ ଅଧିକାର ଏସବୁର ବିମର୍ଶ ସର୍ବତ୍ର ହେବା ଆବଶ୍ୟକ । ପରିବାରରୁ ମିଳୁଥିବା ପରସ୍ପରପ୍ରତି ବ୍ୟବହାରର ଅନୁଶାସନ, ପରସ୍ପର ବ୍ୟବହାରରେ ମଙ୍ଗଳକାମନା, ସଦ୍ଭାବନା ଓ ଭଦ୍ରତା ତଥା ସାମାଜିକ ବ୍ୟବହାରରେ ଦେଶଭକ୍ତି ଓ ସମାଜପ୍ରତି ଆତ୍ମୀୟତା ସହିତ ସମ୍ବିଧାନର ନିୟମଗୁଡ଼ିକର ତ୍ରୁଟିଶୂନ୍ୟ ପାଳନ ଏହିସବୁକୁ ମିଶାଇ ବ୍ୟକ୍ତିର ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ର ନିର୍ମାଣ ହୁଏ । ଦେଶର ସୁରକ୍ଷା, ଏକାତ୍ମତା, ଅଖଣ୍ଡତା ଓ ବିକାଶ ସାଧନ କଲାଭଳି ଚରିତ୍ରର ଏହି ଦୁଇଟି ଦୃଷ୍ଟିକୋଣ ତ୍ରୃଟିଶୂନ୍ୟ ଭାବରେ ସଂପୂର୍ଣ୍ଣ ହେବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବିଷୟ ଅଟେ । ଆମେ ସମସ୍ତଙ୍କୁ ବ୍ୟକ୍ତିଗତ ତଥା ରାଷ୍ଟ୍ରୀୟ ଚରିତ୍ରର ଏହି ସାଧାନାରେ ସତର୍କତାର ସହିତ କ୍ରମାଗତ ଭାବରେ ଲାଗିବାକୁ ପଡିବ ।
‘ସ୍ୱ’ ଗୌରବ
ଏହିସବୁ ବିଷୟର ଆଚରଣ ନିୟମିତ ଚାଲି ରହୁ ଏଥିପାଇଁ ଯେଉଁ ପ୍ରେରଣା ଆବଶ୍ୟକ ତାହା ହେଲା ସ୍ୱ ଗୌରବର ପ୍ରେରଣା । ଆମେ କିଏ ? ଆମର ପରମ୍ପରା ଓ ଆମର ଲକ୍ଷ୍ୟ କଣ ? ଭାରତବାସୀ ଭାବରେ ଆମର ଅନେକ ବିବିଧତା ଥାଇ ମଧ୍ୟ ଆମକୁ ଯେଉଁ ଏକ ବୃହତ୍, ସର୍ବସମାବେଶକ, ପ୍ରାଚୀନ ମାନବୀୟ ପରିଚୟ ମିଳିଛି, ଏହାର ସ୍ପଷ୍ଟ ସ୍ୱରୂପ କଣ? ଏହିସବୁ ବିଷୟକୁ ସମସ୍ତେ ଜାଣିବା ଆବଶ୍ୟକ । ଏହି ପରିଚୟର ଆଭା ଧାରଣ କରିବା ଦ୍ୱାରା, ଏହାର ଗରିମା ମନ ଓ ବୁଦ୍ଧିରେ ସ୍ଥାପିତ ହେବା ଦ୍ୱାରା ସ୍ୱାଭିମାନ ପ୍ରାପ୍ତ ହୋଇଥାଏ । ସ୍ୱ ଗୌରବର ପ୍ରେରଣାଶକ୍ତି ପୃଥିବୀରେ ଆମର ଉନ୍ନତି ତଥା ସ୍ୱାବଲମ୍ବନର କାରଣଭୂତ ବ୍ୟବହାର ଉତ୍ପନ୍ନ କରିବ । ଏହାକୁ ଆମେ ସ୍ୱଦେଶୀର ଆଚରଣ ବୋଲି କହୁ । ରାଷ୍ଟ୍ରୀୟ ନୀତିରେ ଏହାର ଅଭିବ୍ୟକ୍ତି ଖୁବ ମାତ୍ରାରେ ଅଛି, ଏହା ସମାଜର ଦୈନନ୍ଦିନ ଜୀବନରେ ବ୍ୟକ୍ତିମାନଙ୍କ ଦ୍ୱାରା ହେଉଥିବା ସ୍ୱଦେଶୀ ବ୍ୟବହାର ଉପରେ ନିର୍ଭର କରେ । ଏହାକୁ ଆମେ ସ୍ୱଦେଶୀ ଆଚରଣ ବୋଲି କହିଥାଉ । ଯେଉଁ ଜିନିଷ ଘରେ ତିଆରି ହେଉଛି ତାହା ବାହାରୁ ଆଣିବା ନାହିଁ, ଦେଶର ରୋଜଗାର ହେଉ, ବଢୁ ସେତିକି ମାତ୍ର ବିଦେଶରୁ ସ୍ୱଗୃହକୁ ଆଣିବା । ଯାହା ଦେଶରେ ତିଆରି ହେଉଛି ତାକୁ ବାହାରୁ ଆଣିବା ନାହିଁ । ଯାହା ଦେଶରେ ତିଆରି ହେଉ ନାହିଁ ତା ବିନା କାମ ଚଳାଇ ନେବା । କିଛି ଅତ୍ୟାବଶ୍ୟକ ବସ୍ତୁ ଯାହା ବିନା କାମ ଚଳିବ ନାହିଁ ତାହା କେବଳ ବିଦେଶରୁ ଆଣିବା । ଘର ଭିତରେ ଭାଷା, ଭୂଷା, ଭଜନ, ଭବନ, ଭ୍ରମ୍ରଣ ଓ ଭୋଜନ ଏସବୁ ନିଜର ହେଉ, ନିଜ ପରମ୍ପରାକୁ ଧ୍ୟାନ ରଖିବା, ଏହା ହେଉଛଇ ସ୍ୱଦେଶୀ ବ୍ୟବହାରର ସାରମର୍ମ । ଦେଶ ସବୁ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଦ୍ୱାରା ସ୍ୱଦେଶୀ ବସ୍ତୁର ବ୍ୟବହାର ସହଜ ହୋଇଥାଏ । ତେଣୁ ଦେଶର ହିତ ସାଧନ ତଥା ସ୍ୱାବଲମ୍ବନ ଭଳି ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହେବା ଆବଶ୍ୟକ । ଏହା ସହିତ ସମାଜ ମଧ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଦେଶୀ ବ୍ୟବହାରକୁ ନିଜର ସ୍ୱଭାବ ଅନ୍ତର୍ଭୁକ୍ତ କରିବା ଉଚିତ ।
ମନ ବଚନ କର୍ମର ବିବେକ
ଯେକୌଣସି ପ୍ରକାରର ଅତିବାଦ ତଥା ବେଆଇନ କାର୍ଯ୍ୟକଳାପରୁ ନିଜକୁ ଦୁରେଇ ରଖିବା ମଧ୍ୟ ରାଷ୍ଟ୍ରୀୟ ଚରିତ୍ରକୁ ବ୍ୟବହାରରେ ପରିଣତ କରିବାର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ । ଆମ ଦେଶ ହେଉଛି ବିବିଧତାରେ ପରିପୂର୍ଣ୍ଣ ଦେଶ । ଏହାକୁ ଆମେ ଭେଦ ବୋଲି ମନେ କରୁନା, ମନେ କରିବା ଉଚିତ ମଧ୍ୟ ନୁହେଁ । ଆମର ବିବିଧତା ହେଉଛି ପ୍ରକୃତିର ସ୍ୱାଭାବିକ ବିବିଧତା ଭଳି । ଏତେ ପ୍ରାଚୀନ ଇତିହାସ ସମ୍ପନ୍ନ, ବିସ୍ତୁତ କ୍ଷେତ୍ରଫଳ ଏବଂ ବିଶାଳ ଜନସଂଖ୍ୟାରେ ପରିପୂର୍ଣ୍ଣ ଦେଶରେ ଏଭଳି ବିବିଧତା ରହିବା ସ୍ୱାଭାବିକ । ନିଜ ନିଜର ବିଶେଷତ୍ୱକୁ ନେଇ ଗୌରବ ଅନୁଭବ କରିବା ଏବଂ ଏହାପ୍ରତି ସମ୍ବେଦନଶୀଳ ହେବା ସ୍ୱାଭାବିକ ମନେହୁଏ । ଏହି ବିବିଧତା କାରଣରୁ ସାମାଜିକ ଜୀବନ ତଥା ଦେଶ ସଂଚାଳନ ସମୟରେ ସମସ୍ତ କଥା ସବୁ ବର୍ଗଙ୍କ ପାଇଁ ଅନୁକୂଳ ହେବା ଅଥବା ସମସ୍ତଙ୍କୁ ପ୍ରସନ୍ନ କରିବା ସମ୍ଭବ ନୁହେଁ । ଏ ସମସ୍ତ କଥା ଯେ କୌଣସି ଏକ ସମାଜ ବିଶେଷ ଦ୍ୱାରା ଘଟିଥାଏ ଏହା ମଧ୍ୟ ନୁହେଁ । ଏହାର ପ୍ରତିକ୍ରିୟା ସ୍ୱରୂପ ଆଇନ କାନୁନକୁ ଖାତିର ନକରି ବେଆଇନ ଅଥବା ହିଂସାର ମାର୍ଗ ଆପଣେଇ ଉପଦ୍ରବ ସୃଷ୍ଟି କରିବା, ଏଥିପାଇଁ ସମାଜର କୌଣସି ଏକ ବର୍ଗ ବିଶେଷକୁ ଉତ୍ତରଦାୟୀ କରିବା, ମନ-ବଚନ-କର୍ମରେ ମର୍ଯ୍ୟାଦା ବାହାରକୁ ଯାଇ କାମ କରିବା ଦେଶ ପାଇଁ ଆଦୌ ହିତକର ନୁହେଁ । ଭାରତର ପରମ୍ପରା ହେଉଛି ସହିଷ୍ଣୁତା ଓ ସଦ୍ଭାବନା । ଅସହିଷ୍ଣୁତା ଏବଂ ଦୁର୍ଭାବନା ହେଉଛି ଭାରତ ବିରୋଧୀ ତଥା ମାନବତା ବିରୋଧୀ ଦୁର୍ଗୁଣ । ତେଣୁ ଯେତେ କ୍ଷୋଭ ଉତ୍ପନ୍ନ ହେଉ ପଛକେ ଅସଂଯମତାରୁ ଦୁରେଇ ରହିବାକୁ ହେବ ଏବଂ ଲୋକଙ୍କୁ ଦୁରେଇ ରଖିବାକୁ ହେବ । କାୟମନୋବାକ୍ୟରେ କାହାରି ଶ୍ରଦ୍ଧା, ଶ୍ରଦ୍ଧାସ୍ପଦ ସ୍ଥାନ, ମହାପୁରଷ, ଗ୍ରନ୍ଥ, ଅବତାର, ସନ୍ଥ ଆଦିଙ୍କୁ ଅପମାନ ନ ହେଉ ଏହା ଧ୍ୟାନ ରଖି ଆଚାର ବ୍ୟବହାର କରିବାକୁ ହେବ । ଯଦି ଦୁର୍ଭାଗ୍ୟ ବଶତଃ ଏଭଳି କିଛି ହୁଏ ତେବେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିବାକୁ ହେବ । ସମାଜରେ ଏକାତ୍ମତା, ସଦ୍ଭାବ ଓ ସଦ୍ବ୍ୟବହାର ରହିଥାଉ ଏହାକୁ ସବୁଠାରୁ ଉପରେ ରଖିବାକୁ ହେବ । ଏହା ଯେକୌଣସି ସମୟ, ଯେକୌଣସି ରାଷ୍ଟ୍ରପାଇଁ ପରମସତ୍ୟ ତଥା ମାନବ ସମାଜର ସୁଖମୟ ଅସ୍ତିତ୍ୱ ଏବଂ ଏକତ୍ର ବସବାସର ଏକମାତ୍ର ଉପାୟ ।
ସହନ ଶକ୍ତି ତଥା ଶୁଦ୍ଧପୁତ ଜୀବନଯାପନ ହିଁ ଶାନ୍ତି ଓ ଉନ୍ନତିର ଆଧାର
ହେଲେ ଆଧୁନିକ ଜଗତର ରୀତିନୀତି ହେଲା ଏହି ସତ୍ୟକୁ ସତ୍ୟର ମୂଲ୍ୟ ଆଧାରରେ ସ୍ୱୀକାର କରାଯାଏ । ସମ୍ପୂର୍ଣ୍ଣ ଜଗତ ଶକ୍ତିକୁ ହିଁ ସ୍ୱୀକାର କରିଥାଏ । ବିଶ୍ୱର ସମସ୍ତ ରାଷ୍ଟ୍ର ଏକଥା ଜାଣନ୍ତି ଯେ, ଭାରତର ଅଭିବୃଦ୍ଧି ହେଲେ ଆର୍ନ୍ତଜାତିକ ସ୍ତରରେ ସଦ୍ଭାବନା ଓ ସନ୍ତୁଳନ ସ୍ଥାପିତ ହେବ ଏବଂ ସମଗ୍ର ବିଶ୍ୱ ଶାନ୍ତି ଓ ବନ୍ଧୁତ୍ୱ ଦିଗରେ ଅଗ୍ରସର ହେବ । ତଥାପି ନିଜର ସ୍ୱାର୍ଥ ଓ ଅହଂକାର ଅଥବା ଦ୍ୱେଷ କାରଣରୁ ଭାରତକୁ ଏକ ସୀମା ମଧ୍ୟରେ ବାନ୍ଧି ରଖିବା ପାଇଁ ଶକ୍ତିଶାଳୀ ରାଷ୍ଟ୍ରଗୁଡିକର ଚେଷ୍ଟା ଆମେ ସ୍ପଷ୍ଟ ଅନୁଭବ କରୁଛୁ । ତେଣୁ ଭାରତ ଯେତେ ଶକ୍ତିଶାଳୀ ହେବ ଭାରତ ବର୍ଷର ସ୍ୱୀକାର୍ଯ୍ୟତା ସେତିକି ବଢିବ ।
ବଳବାନ ବିଶ୍ୱ ପୂଜନ ଯୋଗ୍ୟ, ବଳହୀନ ଏକା ଉପେକ୍ଷା ଯୋଗ୍ୟ ।
ଏହା ହେଉଛି ଆଜିକାଲି ଦୁନିଆର ରୀତିନୀତି । ତେଣୁ ଉପରୋକ୍ତ ସଦ୍ଭାବ ଓ ସଂଯମତାପୂର୍ଣ୍ଣ ବାତାବରଣ ସ୍ଥାପନ କରିବା ନିମନ୍ତେ ସଜ୍ଜନଶକ୍ତିମାନଙ୍କୁ ଶକ୍ତିସମ୍ପନ୍ନ ହେବାକୁ ପଡିବ । ଶକ୍ତି ଯେତେବେଳେ ଚରିତ୍ର ଆଧାରରେ ବଢିଥାଏ ତେବେ ଏହା ଶାନ୍ତିର ଆଧାର ହୋଇଥାଏ । ସ୍ୱାର୍ଥ ପାଇଁ ଦୁର୍ଜ୍ଜନ ଶକ୍ତି ସଜାଗ ରହିଥାନ୍ତି ଏବଂ ଏକତ୍ର ରହନ୍ତି ତେଣୁ ଶକ୍ତିଶାଳୀ ହିଁ ସେମାନଙ୍କୁ ନିୟନ୍ତ୍ରଣ କରିପାରିଥାନ୍ତି । ସଜ୍ଜନଶକ୍ତି ସମସ୍ତଙ୍କ ପ୍ରତି ସଦ୍ଭାବନା ରଖନ୍ତି କିନ୍ତୁ ଏକାଠି ହେବା ଜାଣନ୍ତି ନାହିଁ । ତେଣୁ ଦୁର୍ବଳ ମନେ ହୁଅନ୍ତି । ସେମାନଙ୍କୁ ସଂଗଠିତ ସାମର୍ଥ୍ୟ ନିର୍ମାଣର କୌଶଳ ଶିଖାଇବାକୁ ହେବ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଉଛି ଏଭଳି ଚରିତ୍ର ଆଧାରିତ ଶକ୍ତି ସାଧନାର ନାମ । ପୂର୍ବରୁ ବର୍ଣ୍ଣିତ ସଦବ୍ୟବହାରର ପାଂଚଟି ବିନ୍ଦୁକୁ ନେଇ ସମାଜର ସଜ୍ଜନ ଶକ୍ତିଙ୍କୁ ଏକତ୍ର କରିବାର ବିଚାର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହାତକୁ ନେଇଛି । ଭାରତ ଆଗକୁ ନ ବଢୁ ଏଭଳି ବିଚାର ପାଞ୍ଚୁଥିବା, ନିଜର ନିହିତ ସ୍ୱାର୍ଥ ପାଇଁ ଭାରତ ବିରୋଧୀ ଗୋଷ୍ଠୀଙ୍କ ସହ ହାତ ମିଳାଉ ଥିବା, ଇର୍ଷ୍ୟା ଓ ଦ୍ୱେଷକୁ ନେଇ ଖୁସି ହେଉଥିବା ଶକ୍ତିଙ୍କ ଠାରୁ ସୁରକ୍ଷିତ ରହି ଦେଶକୁ ଆଗକୁ ବଢିବାକୁ ହେବ । ତେଣୁ ଚରିତ୍ର ଆଧାରିତ ଆଚାର ବ୍ୟବହାର ସହିତ ଶକ୍ତିସାଧନା ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଏଥିପାଇଁ ସଂଘର ପ୍ରାର୍ଥନାରେ କାହାଠାରୁ ପରାଜୟ ନ ମିଳୁ ଏଭଳି ଶକ୍ତିସମ୍ପନ୍ନ ହେବା ତଥା ଜଗତ ବିନମ୍ର ହେଉ ଏଭଳି ଚରିତ୍ରର କାମନା ଭଗବାନଙ୍କ ନିକଟରେ କରାଯାଇଛି । ଏହି ଦୁଇ ଗୁଣ ବିନା ଅନୁକୂଳ ପରିସ୍ଥିତିରେ ମଧ୍ୟ ବିଶ୍ୱର ମାନବ କଲ୍ୟାଣ ସାଧିତ ହୋଇ ପାରିବ ନାହିଁ । ନବଦିନ ବ୍ୟାପୀ ଅହୋରାତ୍ର ଜାଗରଣ ପୂର୍ବକ ସମସ୍ତ ଦେବତା ନିଜ ନିଜ ଶକ୍ତି ସଂଗଠିତ କଲେ, ତେବେ ଯାଇ ସେହି ଚରିତ୍ର ସମ୍ପନ୍ନ ଶକ୍ତି ବଳରେ ଚିନ୍ମୟୀ ମହାମାୟା ଜଗଦମ୍ବା ଜାଗ୍ରତ ହୋଇ ଦୁଷ୍ଟ ଦଳନ କରିପାରିଲେ, ସଜ୍ଜନ ଶକ୍ତିଙ୍କ ପରିତ୍ରାଣ ଓ ବିଶ୍ୱର କଲ୍ୟାଣ ସାଧିତ ହେଲା । ଏହି ବିଶ୍ୱମଙ୍ଗଳର କାମନା ନେଇ ମୌନ ସାଧକ ଭାବରେ ସଂଘ ଲାଗିରହିଛି । ଆମ ପବିତ୍ର ମାତୃଭୂମିକୁ ପରମବୈଭବ ସମ୍ପନ୍ନ କରିବା ପାଇଁ ଉଦ୍ଦିଷ୍ଟ ଏହି ସାଧନା ଆମକୁ ଶକ୍ତି ଓ ସଫଳତା ପ୍ରଦାନ କରିବ । ଏହି ସାଧନାବଳରେ ବିଶ୍ୱର ସମସ୍ତ ରାଷ୍ଟ୍ର ନିଜ ନିଜର ଉକ୍ରର୍ଷ ପ୍ରାପ୍ତ କରି ସୁଖଶାନ୍ତି ଓ ସଦ୍ଭାବନା ଯୁକ୍ତ ବିଶ୍ୱ ନିର୍ମାଣରେ ନିଜର ଯୋଗଦାନ କରିବେ । ଏହି ସାଧନା ପାଇଁ ଆପଣମାନେ ବି ସାଦର ଆମନ୍ତ୍ରିତ ।
ହିନ୍ଦୁଭୂମିର ଧୂଳିକଣୁଁ ଆଜି ଶକ୍ତିର ଅବତାର ଉଠୁ
ଜଳ ସ୍ଥଳ ନଭୁ ପୁଣି ଥରେ ଆଜି ହିନ୍ଦୁର ଜୟକାର ଉଠୁ
ଜଗଜନନୀର ଜୟକାର ଉଠୁ ।
ଭାରତ ମାତା କୀ ଜୟ