ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ମନ୍ଦିର


ସମ୍ବଲପୁର: ବିଶ୍ବହିନ୍ଦୁ ପରିଷଦ (ଭିଏଚ୍‌ପି), ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ଆଜି ସମ୍ବଲପୁର ସହରରେ ଶୋଭାଯାତ୍ରା ସହ ମହିଳା ଥାନା ସମ୍ମୁଖରେ ବିଶାଳ ସଭା କରାଯାଇଛି । ସରକାରୀ ନିୟନ୍ତ୍ରଣରୁ ମନ୍ଦିରଗୁଡ଼ିକୁ ମୁକ୍ତ ରଖିବା ଲାଗି ଏଥିରେ ଦାବି କରାଯାଇଛି। ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଭାପତି ଡାକ୍ତର ରାଜକୁମାର ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳର ସଭ୍ୟ ସ୍ଵାମୀ ଜୀବନମୁକ୍ତାନନ୍ଦ ପୁରୀ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବିପିନ ବିହାରୀ ନନ୍ଦ, ଭାରତ ସେବାଶ୍ରମ, ଭୋଜପୁରର ସନ୍ଥ ଶିବାନନ୍ଦ ବାବା, ବିଶ୍ୱହିନ୍ଦୁ ପରିଷଦ ବିଧି ପ୍ରକୋଷ୍ଠର ପ୍ରଦୀପ ବହିଦାର, ସତ୍ୟନାରାୟଣ ପଣ୍ଡା, ସନାତନ ପୁଟେଲ, ଦୁର୍ଗାବାହିନୀର କଳ୍ପନା, ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ରାମଚନ୍ଦ୍ର ନାୟକ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ। ସେମାନେ କହିଥିଲେ, ହିନ୍ଦୁ ଭକ୍ତମାନେ ତିରୁପତି ବାଲାଜୀ ମନ୍ଦିରର ମହାପ୍ରସାଦର ପବିତ୍ରତା ପାଇଁ ବହୁତ ସମ୍ମାନ କରନ୍ତି । ଘୁଷୁରୀ ଚର୍ବି ଏବଂ ମାଛ ତେଲ ମିଶ୍ରିତ ମିଶ୍ରିତ ଘିଅ ଏହି ମହାପ୍ରସାଦ ତିଆରିରେ ବ୍ୟବହାର ହୋଇଥିବା ଭଳି ଦୁଃଖଦ ଖବର ଆସିଛି। ସେଠାରେ ସରକାରୀ କର୍ମଚାରୀ ତଥା ଦାନରାଶି ରାଜନେତାଙ୍କ ଦ୍ବାରା ଅପବ୍ୟବହାର ଖବର ମଧ୍ୟ ଆସୁଛି। ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ହିନ୍ଦୁମାନଙ୍କୁ ସେମାନଙ୍କ ମନ୍ଦିର ଚଳାଇବାକୁ ଅନୁମତି ଦିଆଯାଇନାହିଁ। ଅପରପକ୍ଷରେ ସଂଖ୍ୟାଲଘୁ ସଂପ୍ରଦାୟକୁ ସେମାନଙ୍କ ଧାର୍ମିକ ଅନୁଷ୍ଠାନ ଚଳାଇବାକୁ ଅନୁମତି ଦିଆଯାଇଛି । କିନ୍ତୁ, ହିନ୍ଦୁମାନଙ୍କୁ ଏହି ସାମ୍ବିଧାନିକ ଅଧିକାର କାହିଁକି ଦିଆଯାଉନାହିଁ ବୋଲି ବକ୍ତାମାନେ ପ୍ରଶ୍ନ କରିଥିଲେ। ସ୍ଵାଧୀନତାର ୭୭ ବର୍ଷ ପରେ ମଧ୍ୟ ମନ୍ଦିର ଉପରେ ସରକାରମାନେ ଔପନିବେଶୀ ମାନସିକତାରେ ଗ୍ରସ୍ତ ରହିଛନ୍ତି। ତିରୁପତି ବାଲାଜୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଅନିୟମିତତା ହେତୁ ହିନ୍ଦୁ ସଂପ୍ରଦାୟ ବର୍ତ୍ତମାନ ବିଶ୍ବାସ କରୁଛନ୍ତି ଯେ ସରକାରୀ ନିୟନ୍ତ୍ରଣରୁ ମନ୍ଦିରକୁ ମୁକ୍ତ ନକରିବା ପର୍ଯ୍ୟନ୍ତ ସେମାନଙ୍କ ମନ୍ଦିରର ପବିତ୍ରତା ପୁନଃ ସ୍ଥାପିତ ହୋଇପାରିବନାହିଁ। ହିନ୍ଦୁ ମନ୍ଦିରଗୁଡ଼ିକର ସଂପତ୍ତି ଓ ଆୟ କେବଳ ମନ୍ଦିରର ବିକାଶ ତଥା ହିନ୍ଦୁମାନଙ୍କର ଧାର୍ମିକ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବା ଉଠିବ।
ସରକାର ନିୟନ୍ତ୍ରିତ ସମସ୍ତ ହିନ୍ଦୁ ମନ୍ଦିରକୁ ଯଥାଶୀଘ୍ର ନିୟନ୍ତ୍ରଣମୁକ୍ତ କରିବା ଏବଂ ନିର୍ଦ୍ଦିଷ୍ଟ ବ୍ୟବସ୍ଥାରେ ହିନ୍ଦୁ ସାଧୁସନ୍ଥ ତଥା ଭକ୍ତମାନଙ୍କୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ବିଶ୍ବହିନ୍ଦୁ ପରିଷଦର ସଂପାଦକ ଭକ୍ତଚରଣ ସାହୁ ପ୍ରାରମ୍ଭିକ ସୂଚନା ଏବଂ ପ୍ରାନ୍ତ ସହ-ସଂପାଦକ ରାଜୀବ କୁମାର ଶତପଥୀ ମଂଚ ପରିଚାଳନା କରିଥିଲେ । ଭିଏଚ୍ ପି ସଦସ୍ୟମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ସମ୍ପୂର୍ଣ୍ଣାନନ୍ଦ ସାହୁ, କିଶୋର ପାଢ଼ୀ, ଚମ୍ପେଶ୍ବର ଅଗ୍ରୱାଲ, ପ୍ରମୋଦ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ରେଢ଼ାଖୋଲ ଅଂଚଳରୁ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *