ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗ୍ରାମର ନୂଆସାହି ଅଞ୍ଚଳରୁ ଏକ ବିରଳ ବୌଦ୍ଧମୂର୍ତ୍ତି ଶିଳା ଆବିଷ୍କୃତ


ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ମଣିନାଥପୁର ଗ୍ରାମର ନୂଆସାହି ଅଞ୍ଚଳରୁ ଏକ ବିରଳ ବୌଦ୍ଧମୂର୍ତ୍ତି ଶିଳା ଆବିଷ୍କୃତ ହୋଇଛି। ଏହି ଶିଳାରେ ତଥାଗତ ବୁଦ୍ଧ ବୌଦ୍ଧତ୍ବ ପ୍ରାପ୍ତି ପରେ ବୋଧଗୟା ଠାରେ ଅଶ୍ଵତ୍ଥ ବୃକ୍ଷ ମୂଳେ ଧ୍ୟାନମୁଦ୍ରାରେ ଉପବେଶନ କରିଛନ୍ତି। ଦୁଇ ପାର୍ଶ୍ଵରେ ପରିଚାରିକା ଭଗବାନ ବୁଦ୍ଧଙ୍କୁ ଚାମର ସେବା ଯୋଗାଉଛନ୍ତି। ବୁଦ୍ଧଦେବ ଶିଷ୍ୟମାନଙ୍କୁ ଜ୍ଞାନ(ଧର୍ମୋପଦେଶ) ଶିକ୍ଷା ଦେଉଛନ୍ତି । ଶିଳାର ମଧ୍ୟ ଭାଗରେ ଏକ ଅଶ୍ଵତ୍ଥ ବୃକ୍ଷ ଖୋଦେଇ ହୋଇଛି। ଶିଳାର ନିମ୍ନ ଭାଗ ଉଭୟ ପାର୍ଶ୍ଵରେ ବୌଦ୍ଧ ଭିକ୍ଷୁମାନେ ଧର୍ମୋପଦେଶ ଗ୍ରହଣ କରୁଛନ୍ତି। ଖାଣ୍ଡେଲାଇଟ ପ୍ରସ୍ତରରେ ଚିତ୍ରିତ ଏହି ଶିଳା ସପ୍ତମ କିମ୍ବା ଅଷ୍ଟମ ଶତାବ୍ଦୀର ବୋଲି ପ୍ରତ୍ନତତ୍ତ୍ୱବିତ ଡ. ସୁନୀଲ ପଟ୍ଟନାୟକ ଅନୁମାନ କରିଛନ୍ତି । ସମ୍ଭବତଃ ଏଭଳି ଶିଳା ଉପଲବ୍ଧ ହେବା ଭାରତରେ
ବିରଳ ବୋଲି ଡ. ପଟ୍ଟନାୟକ ମତ ପୋଷଣ କରିଛନ୍ତି। ବୌଦ୍ଧ ବିହାର ପ୍ରବେଶ ଦ୍ବାରରେ ଏଭଳି ଚିତ୍ରିତ ଶିଳାଖଣ୍ଡ ବ୍ୟବହୃତ ହୋଇଥାଏ। ଷୋଳମପୁର ରଘୁନାଥ ଜୀଉ ମନ୍ଦିର କାନ୍ଥରେ ଥ‌ିବା ବିରଳ ‘ଅଷ୍ଟମହାଶ୍ଚର୍ଯ୍ୟ ମୂର୍ତ୍ତି’ ଭଳି ଆଜିର ଆବିଷ୍କୃତ ଶିଳା ଅନ୍ୟନ୍ତ ବିରଳ ଓ ଏହି ଶିଳା ଷୋଳମପୁର ବୌଦ୍ଧ ବିହାରର ଗୁରୁତ୍ୱକୁ ପ୍ରତିପାଦନ କରୁଛି । ଏହି ଶିଳା ସଂପୃକ୍ତ ଗ୍ରାମର ଗୋଲକ ନାଥଙ୍କୁ ୪୦ ବର୍ଷ ପୂର୍ବେ କୂଅ ଖୋଳିଲା ବେଳେ ମିଳିଥିଲା । ଗୋଲକଙ୍କ ପରିବାର ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରିଆସୁଥିଲେ। ଗତ କିଛି ବର୍ଷ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ଗୋଲକଙ୍କ ସାନପୁଅ ପ୍ରତାପ ଏ ସମ୍ପର୍କରେ ଇନ୍‌କ ସଦସ୍ୟ ବିଶ୍ବମ୍ବର ରାଉତଙ୍କ ଦୃଷ୍ଟିକୁ ଆଣିଥଲେ। ଗୁରୁଜୀ ଶରତ ଚନ୍ଦ୍ର ବେହୁରିଆଙ୍କ ସହଯୋଗରେ ବିଶ୍ଵମ୍ବର ଶିଳା ସମ୍ପର୍କରେ ପ୍ରତ୍ନତତ୍ତ୍ୱବିତ ଡ. ପଟ୍ଟନାୟକଙ୍କୁ ଜଣାଇଥିଲେ । ଡ. ପଟ୍ଟନାୟକ ଅନୁଧ୍ୟାନ କରିବା ପରେ ଏହି ବିରଳ ମୂର୍ତ୍ତିକୁ ଷୋଳମପୁର ବୌଦ୍ଧବିହାର ସଂଗ୍ରହାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ବୌଦ୍ଧବିହାର ସମ୍ପର୍କରେ ଅଧିକ ଗବେଷଣା ପାଇଁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *