Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି

ଭୁବନେଶ୍ୱର -ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି । ଯାହାକି ନିହାତି ଚିନ୍ତାଜନକ । ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି । ଏଥିମଧ୍ୟରୁ ସାଢ଼େ ତିନି ହଜାରରୁ ୪ ହଜାର ରୋଗୀ କେବଳ ମୁଣ୍ଡ ଏବଂ ଗଳା କର୍କଟ ଭାବେ ଚିହ୍ନଟ ହେଉଛନ୍ତି । ଏମାନଙ୍କର ଅସ୍ତ୍ରୋପଚାର କରାଯାଉଥିବା ବେଳେ ପ୍ରାୟ ୧୨ଶହରୁ ଅଧିକ ରୋଗୀ ରେଡିଓଥେରାପି ଏବଂ କେମୋଥେରାପି ଗ୍ରହଣ କରନ୍ତି । ମଦ୍ୟପାନ ଏବଂ ତମାଖୁ ସେବନ ହେତୁ ମୁଣ୍ଡ ଏବଂ ଗଳା କର୍କଟ ରୋଗର ଭୟାବହତା ବୃଦ୍ଧି ଘଟୁଥିବା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି । ତମାଖୁ ସେବନ, ଧୂମପାନ ଏବଂ ମଦ୍ୟପାନ ପରି କୁଅଭ୍ୟାସ କାରଣରୁ ଏହା କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି । ତେବେ ଉପରୋକ୍ତ ମାଦକ ଦ୍ରବ୍ୟକୁ ପରିତ୍ୟାଗ ଦ୍ୱାରା ଏହି ପ୍ରାଣଘାତୀ ରୋଗର ପ୍ରତିରୋଧକୁ ସେ ଗୁରୁତ୍ୱାରୋପ କରିଥିଲେ । ଥରେ ଚିହ୍ନଟ ହେବା ପରେ ଅସ୍ତ୍ରୋପଚାର, ରେଡିଓଥେରାପି ଏବଂ କେମୋଥେରାପି ଦ୍ୱାରା ଏହି କର୍କଟ ରୋଗର ଚିକିତ୍ସା କରାଯାଇ ଆରୋଗ୍ୟ କରାଯାଇପାରିବ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି । ଏମ୍‌ସ ଭୁବନେଶ୍ୱରରେ ସମସ୍ତ ଚିକିତ୍ସା ସୁବିଧା ମାଗଣାରେ ଯୋଗାଇ ଦିଆଯାଉଥିବା ପ୍ରକାଶ । ମୁଣ୍ଡ ଏବଂ ଗଳା କର୍କଟ, ବିଶେଷତଃ ମୁଖ ଗହ୍ୱରକୁ ପ୍ରଭାବିତ କରିଥାଏ । ଭାରତୀୟଙ୍କ ମଧ୍ୟରେ ଏହା ସର୍ବାଧିକ କର୍କଟ ଅଟେ । ମହିଳାଙ୍କ ତୁଳନାରେ ଏହି ରୋଗରେ ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ପାଟି ଖୋଲିବାରେ ଅସୁବିଧା ହେବା ସହିତ ପାଟି କ୍ରମଶଃ ସଙ୍କୁଚିତ ହୋଇଯିବା, ତୁଣ୍ଡ ଘା’, ଦାନ୍ତ ଓ ବେକ ଫୁଲିଯିବା ଭଳି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ଏମ୍‌ସ ଇଏନ୍‌ଟି , ମୁଣ୍ଡ ଏବଂ ଗଳା ସର୍ଜରୀ ବିଭାଗର ମୁଖ୍ୟ ଡ. ପ୍ରଦୀପ କୁମାର ପରିଡ଼ା ପରାମର୍ଶ ଦେଇଛନ୍ତି । ଏନେଇ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଏସନ୍ ଅଙ୍କୋଲୋଜି ବିଭାଗ ସହଯୋଗରେ ବିଶ୍ୱ ମୁଣ୍ଡ ଏବଂ ଗଳା କର୍କଟ ଦିବସ ଅବସରରେ ଶନିବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡିନ୍ ଡ. ପ୍ରଶାନ୍ତ ଆର୍‌.ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅଶୋକ କୁମାର ଜେନାଙ୍କ ସମେତ ଅଧ୍ୟାପକ/ଅଧ୍ୟାପିକ, ଛାତ୍ରଛାତ୍ରୀ ଏବଂ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ । ମଦ୍ୟାପାନ, ତମ୍ବାଖୁଜାତୀୟ ନିଶାଦ୍ରବ୍ୟ ସେବନ ପରିତ୍ୟାଗ ସହିତ କର୍କଟ ଚିହ୍ନଟ ଏବଂ ଚିକିତ୍ସା ସମ୍ପର୍କରେ ସଚେତନତା ପ୍ରସାର କରାଯାଇଥିଲା । ପ୍ରତି ସୋମବାର ଦିନ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏକ ମୁଣ୍ଡ ଏବଂ ଗଳା କର୍କଟ କ୍ଲିନିକ୍ କାର୍ଯ୍ୟକାରୀ ହେଉଥିବା ଇଏନ୍‌ଟି ବିଭାଗର ସହଯୋଗୀ ପ୍ରଫେସର ଡ. ଦିଲ୍ଲୀପ କୁମାର ସାମଲ ସୂଚନା ଦେଇଛନ୍ତି । ସଚେତନତା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ମୁଖ କର୍କଟ ଏବଂ ମୁଣ୍ଡ ଏବଂ ଗଳା କର୍କଟ ପାଇଁ ମାଗଣା ସ୍କ୍ରିନିଂ କରାଯାଇଥିଲା । ଏମ୍‌ସ ଭୁବନେଶ୍ୱରରେ ଗୋଟିଏ ଛାତତଳେ ଅସ୍ତ୍ରୋପଚାର, ରେଡିଓଥେରାପି ଏବଂ କେମୋଥେରାପି ଭଳି ସେବା ପ୍ରଦାନ କରାଯାଏ ।

Leave a Reply