Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସାରା ରାଜ୍ୟରେ ୫ କୋଟି ଗଛ ଲଗାଇବାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସାରା ରାଜ୍ୟରେ ୫ କୋଟି ଗଛ ଲଗାଇବାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ‘ଏକ ପେଡ ମା କେ ନାମ’ ଅଭିଯାନ ଚାଲିଛି । ଏଥିରେ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ଆହ୍ୱାନ ଦିଆଯାଇଛି । ଏହି ଅଭିଯାନରେ ବର୍ତମାନ ସୁଦ୍ଧା ଓଡିଶାରେ ସର୍ବାଧିକ ୧ ଲକ୍ଷ ୪୮ ହଜାର ଫଟୋ ଅପଲୋଡ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଶୁକ୍ରବାର ସ୍ଥାନୀୟ ଡୁମୁଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫ତମ ବନ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜନତାଙ୍କ ସହଭାଗୀତା ଖୁବ ଉତ୍ସାହଜନକ । ଓଡିଶାରେ ଏହା ଖୁବ ସଫଲ ହେଉଛି । ସବୁ ରାଜ୍ୟ ମଧ୍ୟରେ ଓଡିଶା ସବୁଠାରୁ ଆଗରେ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ କୋଟି ଗଛ ଲାଗିବାର ଲକ୍ଷ୍ୟ ଅଛି । ଆମର ଲୋକସଂଖ୍ୟା ସାଢେ ଚାରି କୋଟି ହୋଇଥିବାରୁ, ଏହି ଅଭିଯାନରେ ଆମେ ଅତି କମରେ ସାଢେ ଚାରି କୋଟି ଗଛ ଲଗାଇବା ଦରକାର ବୋଲି ସେ କହିଥିଲେ । ସମସ୍ତେ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସାମିଲ ହୋଇ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ବନ ଅଧିକାରୀ ମିଳିତ ମନିଟରିଂ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଜ୍ରପାତଜନିତ ଦୁର୍ଘଟଣାରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ ବନ ବିଭାଗ ତରଫରୁ ଏ ବର୍ଷ ରାଜ୍ୟରେ ଜଙ୍ଗଲ ବ୍ଲକ ଚତୁପାର୍ଶ୍ୱରେ ୧୯ ଲକ୍ଷ ତାଳଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛି । ଏହା ଆମର ବଜ୍ର କବଚ ହେବ । ସେ ପୁଣି କହିଥିଲେ ଯେ ଦାରିଙ୍ଗବାଡିକୁ ବିଶ୍ୱ ଚେରି ବ୍ଲସମ ମାନଚିତ୍ରରେ ସ୍ଥାନିତ କରିବାକୁ ଦାରିଙ୍ଗବାଡିରେ ଚେରି ବ୍ଲସମ ଗଛ ଲଗାଯାଉଛି । ସେହିପରି ସାରା ରାଜ୍ୟରେ ପ୍ରାୟ ୫ କୋଟି ଗଛ ଲଗାଇବାର ଯୋଜନା ରହିଛି । କାର୍ଯ୍ୟକ୍ରମରେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଂଟିଆ କହିଲେ ଯେ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଆଧୁନିକ ଜୀବନଶୈଳୀରେ ପରିବର୍ତନ ଓ ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ବର୍ତମାନ ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ସେ କହିଥିଲେ । ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କୁ ପରିବେଶ ପ୍ରତି ସଚେତନ ହେବାକୁ ଓ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଉତ୍ସବର ଆଭିମୁଖ୍ୟ ତଥା ଉପ ।ଦେୟତା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଚଳିତ ବର୍ଷ ପଥପାର୍ଶ୍ୱ ବନୀକରଣ ଏବଂ ସହରାଂଚଳ ବନୀକରଣ ନିମନ୍ତେ ୩୦ ମାସିଆ ଚାରା ଉତ୍ପାଦାନ କରାଯିବ । ଏହି ମହୋତ୍ସବରେ ଜଙ୍ଗଲ ବିଭାଗର ବିଭାଗୀୟ ଅଧିକାରୀ, ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି, ନିମନ୍ତ୍ରିତ ଅତିଥି, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ସମାରୋହ ପାଳିତ ହୋଇଥିଲା । ପ୍ରାରମ୍ଭରେମୁଖ୍ୟମନ୍ତ୍ରୀଙ୍କ କର କମଳରେ ତଥା ଅନ୍ୟାନ୍ୟ ସମ୍ମାନିତ ଅତିଥିଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ “ଏକ୍ ପେଡ୍ ମା କେ ନାମ୍‌” ଅଭିଯାନର ଆହ୍ୱାନ କ୍ରମେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ବିଦ୍ୟାଳୟ ପ୍ରାଙ୍ଗଣରେ ଗଛ ଲଗାଇଥିଲେ । ବତାସର ବନସଂରକ୍ଷଣ ସମିତି, ନବରଙ୍ଗପୁର ଏବଂ ସାଗରପାଲି ବନସଂରକ୍ଷଣ ସମିତି, ସୁନ୍ଦରଗଡଙ୍କୁ ଉଲ୍ଲେଖନୀୟ ଜଙ୍ଗଲ ସୁରକ୍ଷା ଏବଂ ବନୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦୁଇଟି ଅନୁଷ୍ଠାନ ୧ ଲକ୍ଷ ଟଙ୍କା ଲେଖାଏ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଦେବୀଦତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ଜଙ୍ଗଲ ବାହିନୀ ପ୍ରମୁଖ, ସ୍ୱାଗତ ଭାଷଣ ଦେଇଥିଲେ । ୭୫ତମ ବନ ମହୋତ୍ସବ ୨୦୨୪ ନାମକ ଏକ ପୁସ୍ତିକା ଉନ୍ମୋଚନ କରଯାଇଥିଲା ଯେଉଁଥିରେ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମର ବିବରଣୀ ରହିଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନ ମହୋତ୍ସବ ବିଷୟରେ ସଚେତନତା ଆଣିବା ନିମନ୍ତେ ଭାଷଣ, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଗଲା । ଅଶ୍ୱିନୀ କର, ଆରସିସିଏଫ, ଭୁବନେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply