Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା : ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି । ଫଳରେ ୨୫,୭୫୩ ଜଣ ଶିକ୍ଷକ ନିଯୁକ୍ତି ହରାଇବାକୁ ଯାଉଥିବାବେଳେ ସେମାନଙ୍କୁ ୧୨ ପ୍ରତିଶତ ସୁଧ ସହ ବେତନ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏଭଳି ରାୟ ମମତା ବାନାର୍ଜୀ ସରକାରଙ୍କ ପାଇଁ ଶକ୍ତ ଧକ୍କା ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମମତା ବେଆଇନ କହିବା ସହ ଏହାକୁ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି । ୨୦୧୬ରେ ରାଜ୍ୟସ୍ତରୀୟ ଚୟନ ପରୀକ୍ଷାର ନିଯୁକ୍ତି ପ୍ରକ୍ରିୟା ବେଆଇନ ହୋଇଥିବାରୁ ସମସ୍ତ ନିଯୁକ୍ତିକୁ ରଦ୍ଦ କରିବା ପାଇଁ ଜଷ୍ଟିସ ଦେବାଂଶୁ ବାସକ ଏବଂ ମହମ୍ମଦ ଶାବ୍ୱରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ । ସମ୍ପୃକ୍ତ ଶିକ୍ଷକମାନଙ୍କୁ ୪ ସପ୍ତାହ ମଧ୍ୟରେ ବେତନ ଅର୍ଥ ଫେରାଇବାକୁ ହେବ । ଅର୍ଥ ଫେରାଇ ଆଣିବା ଦାୟିତ୍ୱ ହାଇକୋର୍ଟ ଜିଲାପାଳମାନଙ୍କୁ ଦେଇଛନ୍ତି । ତେବେ କ୍ୟାନ୍‌ସରରେ ଆକ୍ରାନ୍ତ ଥାଇ ଚିକିତ୍ସିତ ହେଉଥିବା ସୋମା ଦାସ ନାମ୍ନୀ ଶିକ୍ଷକଙ୍କ ନିଯୁକ୍ତିକୁ ମାନବିକତା ଦୃଷ୍ଟିକୋଣରୁ କାଏମ ରଖିବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଖଣ୍ଡପୀଠ ନିଯୁକ୍ତି ପ୍ରକ୍ରିୟାର ଅଧିକ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେବା ସହ ୩ ମାସ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କହିଛନ୍ତି । ସାନି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ପଶ୍ଚିମବଙ୍ଗ ସ୍କୁଲ୍ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି)କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଡବ୍ଲ୍ୟୁବିଏସ୍‌ଏସ୍‌ସି ଅଧ୍ୟକ୍ଷ ସିଦ୍ଧାର୍ଥ ମଜୁମଦାର କହିଛନ୍ତି । ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୃକ୍ତ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ କେତେଜଣ ତୃଣମୂଳ କଂଗ୍ରେସ ନେତା, ପୂର୍ବତନ ଅଧିକାରୀ ଜେଲରେ ଅଛନ୍ତି । ୨୦୧୬ରେ ରାଜ୍ୟସ୍ତରୀୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ୨୪,୬୪୦ ଖାଲି ପଦବୀ ପାଇଁ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ଆଶାୟୀ ପରୀକ୍ଷା ଦେଇଥିଲେ । ୨୫,୭୫୩ ଜଣଙ୍କ ପାଖକୁ ନିଯୁକ୍ତିପତ୍ର ପଠାଯାଇଥିଲା । ଗତବର୍ଷ କାଲ୍‌କାଟା ହାଇକୋର୍ଟ ଡବ୍ଲ୍ୟୁବିଏସ୍‌ଏସ୍‌ସି ଦ୍ୱାରା ଗଠିତ ପ୍ୟାନେଲଗୁଡ଼ିକ ବାତିଲ କରିବା ସହ ୩୬,୦୦୦ ଅଣତାଲିମପ୍ରାପ୍ତ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରିଥିଲେ । ପରେ ଏହି ସଂଖ୍ୟାକୁ ସଂଶୋଧନ କରାଯାଇ ୩୨,୦୦୦ କରାଯାଇଥିଲା ।

Leave a Reply