Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟତିଳକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମଲଲାଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟତିଳକ

ଅଯୋଧ୍ୟା : ପବିତ୍ର ରାମନବମୀ । ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ । ଏହି ଅବସରରେ ରାମ ଲାଲାଙ୍କ ମସ୍ତକରେ ଲାଗି ହୋଇଛି ସୂର୍ଯ୍ୟ ତିଳକ । ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ । ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ ଦେଖିବାକୁ ମିଳିଛି ଭବ୍ୟ ଶ୍ରୀରାମ ମନ୍ଦିରରେ । ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟ ତିଳକରେ ଝଟକିଲା ରାମଲାଲାଙ୍କ ଲଲାଟ ପଟକ । ଗର୍ଭ ଗୃହରେ ଦିବ୍ୟ ରୂପରେ ଝଲସିଛନ୍ତି ପ୍ରଭୁ ଶ୍ରୀରାମ । ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ ସୂର୍ଯ୍ୟଙ୍କ କିରଣରେ ଉଦଭାସିତ ହେଉଛି । ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର କମ୍ପେ୍ଲକ୍ସ ଶ୍ରୀ ରାମଙ୍କ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା । ସୂର୍ଯ୍ୟ ତିଲକର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଦେଖିବାକୁ ରାମନବମୀ ଅବସରରେ ଅଯୋଧ୍ୟାରେ ହୋଇଛି ପ୍ରବଳ ଭକ୍ତଙ୍କ ଭିଡ଼ । ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ଦୃଶ୍ୟମାନ ହେଲା ପରେ ଭକ୍ତ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ଅପେକ୍ଷା ଥିଲା ଆଜିର ଦିନକୁ । ସାରା ଦେଶରେ ଆଜି ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଛି । ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପଙ୍କ ମଥାରେ ସୂର୍ଯ୍ୟ ତିଳକ ଲାଗିଛି । ସୂର୍ଯ୍ୟୋଭିଷେକ ପାଇଁ ଅନେକ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି ବିନା ବିଜୁଳି ଓ ବ୍ୟାଟେରୀରେ ଲାଗିଛି ସୂର୍ଯ୍ୟ ତିଳକ । ଏଥିପାଇଁ ରାମ ମନ୍ଦିରରେ ସୂର୍ଯ୍ୟ ତିଳକ ପ୍ରକ୍ରିୟାର ଟ୍ରାଏଲ୍ ବା ପୂର୍ବାଭ୍ୟାସ କରିଥିଲା ସେଣ୍ଟ୍ରାଲ୍ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଉଈଜଓ) ରୁରକିର ବୈଜ୍ଞାନିକ ଟିମ୍ । ବିଗ୍ରହକୁ ଚାଦର ଘୋଡ଼ାଇ ନିର୍ଭୁଲ୍ ମାପଚୁପ କରି ଯନ୍ତ୍ରପାତି ଖଞ୍ଜାଯାଇଥିଲା । ସୂଚନା ଅନୁସାରେ, ଏହି ଅପ୍ଟିମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି । ପ୍ରତି ସେକେଣ୍ଡରେ ପୃଥିବୀର ଚଳନ ଅନୁସାରେ ଦର୍ପଣ ଓ ଲେନ୍ସର ଦିଗ ବଦଳାଇବାକୁ ୧୯ଟି ଗିୟର ଲାଗିଛି । ଏହା ବିନା ବିଜୁଳିରେ କାମ କରିପାରିବ । ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ଅଥବା ଅଷ୍ଟଧାତୁ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ । ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ । ଏହି ଅଲୌକିକ ଦୃଶ୍ୟ ପୂରା ଅଯୋଧ୍ୟା ନଗରୀରେ ଶହେ ଏଲଇଡି ସ୍କ୍ରିନ ଦ୍ୱାରା ପ୍ରଦର୍ଶିତ ହୋଇଛି । ସୂର୍ଯ୍ୟ ତିଲକ ପରେ ରାମଲଲାଙ୍କ ଦର୍ଶନ ସମୟକୁ ୧୯ ଘଣ୍ଟାକୁ ବୃଦ୍ଧି କରାଯାଇଛି, ଯାହା ମଙ୍ଗଳ ଆରତୀରୁ ଆରମ୍ଭ ହୋଇ ରାତି ୧୧ ଟା ପର୍ଯ୍ୟନ୍ତ ଚାଲିବ । ୪ଥର ନୈବେଦ୍ୟ ପାଇଁ ପ୍ରତ୍ୟେକଟି କେବଳ ୫ମିନିଟ ପାଇଁ ବନ୍ଦ ରହିବ । ଅଯୋଧ୍ୟା ସହରରେ ପ୍ରାୟ ଶହେ ବଡ ଏଲଇଡି ସ୍କ୍ରିନ ମାଧ୍ୟମରେ ଶ୍ରୀ ରାମ ଜନମୋତ୍ସବ ପ୍ରସାରିତ ହେବ । ଟ୍ରଷ୍ଟର ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଲାଇଭ ଟେଲିକାଷ୍ଟ ମଧ୍ୟ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଏଥିପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପ୍ରତିବନ୍ଧକ ଲଗାଇ ଭକ୍ତମାନଙ୍କୁ ଦର୍ଶନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

Leave a Reply