Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଦେଶରେ ଅସୁରକ୍ଷିତ ଭାରତୀୟ ହତ୍ୟା ଓ ନିର୍ଯାତନାର ଅନ୍ତ କାହିଁ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଦେଶରେ ଅସୁରକ୍ଷିତ ଭାରତୀୟ ହତ୍ୟା ଓ ନିର୍ଯାତନାର ଅନ୍ତ କାହିଁ?

ବିଦେଶରେ ଭାରତୀୟ ନାଗରିକଙ୍କୁ ବିନା କାରଣରେ ହତ୍ୟା କରାଯିବାର ମାନସିକତା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି । ଯୁକ୍ତରାଷ୍ଟ୍ର ଆମେରିକାର ହେଉ କିମ୍ବା କାନାଡ଼ା ବା ବ୍ରିଟେନ୍‌ରେ ଭାରତୀୟଙ୍କୁ ହତ୍ୟା କରାଯିବାର ଖବର ପ୍ରତିଦିନ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ କାନାଡ଼ାରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ତାଙ୍କ କାର୍ ଭିତରେ କେହି ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଥିବାବେଳେ ଆମେରିକାରେ ଜଣେ ଭାରତୀୟ ନାଗରିକ ମଧ୍ୟ ହତ୍ୟାର ଶିକାର ହୋଇଛନ୍ତି । ଉଭୟ ଘଟଣାରେ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇପାରିନାହିଁ କିମ୍ବା ହତ୍ୟାର କାରଣ ମଧ୍ୟ ଜଣାପଡିନାହିଁ । ବିଶ୍ୱର ସଭ୍ୟ ଓ ଉନ୍ନତ ଦେଶର ମାନ୍ୟତା ପାଇଥିବା ଆମେରିକାରେ ଭାରତୀୟ ନାଗରିକ ବିଶେଷ କରି ଛାତ୍ର ଓ ଯୁବକଙ୍କୁ ହତ୍ୟା ତଥା ନିର୍ଯାତନା ଦିଆଯିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଗତ ଏକ ସପ୍ତାହ ମଧ୍ୟରେ ୮ଜଣ ଭାରତୀୟଙ୍କୁ ନୃଶଂସ ଭାବରେ ହତ୍ୟା କରାଯିବା ଘଟଣା ଉଦ୍‌ବେଗ ସୃଷ୍ଟି କରିଥିବା ବେଳେ ଜଣେ ୨୫ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ମୁଣ୍ଡ ଜାମିନ୍ କରି ରଖାଯିବା ଖବର ଚହଳ ସୃଷ୍ଟି କରିଥିଲା । ଏହି ଯୁବକ ଜଣକ ହାଇଦ୍ରାବାଦର ମୂଳ ବାସିନ୍ଦା ହୋଇଥିବା ବେଳେ ଦୁଇ ସପ୍ତାହ ଧରି ନିଖୋଜ ରହିଥିଲେ । ଆମେରିକାରେ ଆଇନତଃ କଳାଗୋରା ଭେଦଭାବର ବିଲୋପ ଘଟିଥିଲେ ମଧ୍ୟ ଏବେ ବି ଗୋରା ଲୋକଙ୍କର ଆଫ୍ରିକୀୟ ତଥା ପ୍ରବାସୀ ଭାରତୀୟଙ୍କ ପ୍ରତି ଘୃଣା ଏବଂ ଅସୂୟା ଭାବ ଭରି ରହିଛି । ବିଭିନ୍ନ ସ୍ଥାନରେ ଭାରତୀୟ ବଂଶୋଦ୍‌ଭବଙ୍କ ଉପରେ ଆକ୍ରମଣ ଘଟିଚାଲିଛି । ସବୁଠାରୁ ଦୁଃଖଦ ଘଟଣା ହେଉଛି, ବିଗତ କିଛିମାସ ଧରି ଆମେରିକାରେ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାର ଲକ୍ଷ୍ୟ କରାଯାଉଛି । ପ୍ରତିଦିନ ଯେପରି କୌଣସି ନା କୌଣସି ସ୍ଥାନରେ ଭାରତୀୟ ବଂଶୋଦ୍‌ଭବଙ୍କୁ ହତ୍ୟା କରାଯାଇଥିବାର ଖବର ହସ୍ତଗତ ହେଉଛି, ତାହା ଭାରତ ସରକାରଙ୍କୁ ଚିନ୍ତିତ କରିଛି । ଏଇ ନକଟରେ ଆମେରିକାରେ ଜଣେ ଭାରତୀୟଙ୍କୁ ହତ୍ୟାର ଶିକାର ହେବାକୁ ପଡିଥିଲା । ସେ ହେଉଛନ୍ତି ଭାରତୀୟ ପାରମ୍ପରିକ ନୃତ୍ୟଶିଳ୍ପୀ ଅମରନାଥ ଘୋଷ ଏବଂ ସେ କଲିକତାର ଜଣେ ଚର୍ଚ୍ଚିତ ଭାରତ ନାଟ୍ୟମ୍ ଓ କୁଚିପୁଡି ନୃତ୍ୟଶିଳ୍ପୀ । ସେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଅଫ୍ ଫାଇନଆର୍ଟ୍ସ ପଢ଼ୁଥିବାବେଳେ ତାଙ୍କୁ ସେଠାରେ ହତ୍ୟା କରାଯାଇଥିଲା । ତେବେ କେଉଁ କାରଣରୁ ଜଣେ ଭାରତୀୟ କଳାକାରଙ୍କୁ ହତ୍ୟା କରାଗଲା ତାହାର କାରଣ ସ୍ପଷ୍ପ ହୋଇନଥିଲା । ଭାରତୀୟ ନାଗରିକଙ୍କ ଉପରେ କେବଳ ଆକ୍ରମଣ ହେଉନାହିଁ, ସେମାନଙ୍କ ମଧ୍ୟରୁ କେତେକଙ୍କର ସନ୍ଦେହଜନକ ଅବସ୍ଥାରେ ମଧ୍ୟ ମୃତ୍ୟୁ ଘଟୁଛି । ଅଳ୍ପଦିନ ପୂର୍ବେ ଏକ ଦୁଃଖଦ ଘଟଣା ସମ୍ପର୍କରେ ଖବର ମିଳିବା ପରେ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । କାଲିଫର୍ଣ୍ଣିଆର ସାନ୍ ମାଟେଓ ଅଞ୍ଚଳରେ ଜଣେ ଭାରତୀୟ ବଂଶୋଦ୍‌ଭବ ଦମ୍ପତି ଏବଂ ସେମାନଙ୍କର ଚାରିବର୍ଷର ଜାଆଁଳା ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକମାନେ ହେଉଛନ୍ତି ଆନନ୍ଦ ସୁଜିତ୍ ଓ ତାଙ୍କର ପତ୍ନୀ ଆଲିସ୍ ପ୍ରିୟଙ୍କା ଏବଂ ସେମାନଙ୍କ ଜାଆଁଳା ପୁଅ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଥିଲା । ସେମାନେ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କେହି ସେମାନଙ୍କୁ ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇପାରିଲାନାହିଁ । ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ମାସାଚୁସେଟ୍‌ସ୍‌ରେ ରହୁଥିବା ଏକ ବିତ୍ତଶାଳୀ ଭାରତୀୟ ପରିବାରର ତିନିଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର କରାଯାଇଥିଲା । ସେହିପରି ୨୦୨୨ ମସିହାରେ ଗୋଟିଏ ଭାରତୀୟ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ଆମେରିକାକାନାଡ଼ା ସୀମାର ଦୁର୍ଗମ ଜଙ୍ଗଲ ଅଞ୍ଚଳରୁ ମିଳିଥିଲା । କିଛିଦିନ ତଳେ ଆମେରିକାର ଆଲାବାମାରେ ଜଣେ ଭାରତୀୟ ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ୭୬ ବର୍ଷିୟ ଏହି ଭାରତୀୟଙ୍କ ନାମ ପ୍ରବୀଣ ରାଓ ପଟେଲ । ହୋଟେଲରେ ରୁମ୍ (କୋଠରୀ) ପ୍ରଦାନ ନେଇ ଜଣେ ଆମେରିକୀୟ ଯୁବକଙ୍କ ସହ ଯୁକ୍ତିତର୍କ ହୋଇଥିଲା ଏବଂ ଗୋରା ଯୁବକ ଜଣକ ଉତ୍‌କ୍ଷିପ୍ତ ହୋଇ ଭାରତୀୟ ହୋଟେଲ ମାଲିକଙ୍କୁ ଗୁଳିକରି ମାରି ଦେଇଥିଲେ । ସେହିପରି ରାଜଧାନୀ ୱାଶିଂଟନ୍‌ରେ ୪୧ ବର୍ଷିୟ ଭାରତୀୟ ବଂଶୋଦ୍‌ଭବଙ୍କୁ ଆକ୍ରମଣ କରାଯିବାରୁ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଆମେରିକାରେ ଭାରତୀୟଙ୍କ ଉପରେ ବଢ଼ି ଚାଲିଥିବା ଆକ୍ରମଣ ଓ ହତ୍ୟାର ମୂଳ କାରଣ ଯାହା ଥାଉନା କାହିଁକି ଗୋଟିଏ ବିଷୟ ସ୍ପଷ୍ଟ ଯେ, ସେଠାରେ ଭାରତୀୟମାନେ ନିଜ ନିଜର ଜ୍ଞାନ, ବୁଦ୍ଧି ଏବଂ ଶିକ୍ଷାଗତ ଯୋଗ୍ୟତା ବଳରେ ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି । ତେଣୁ କିଛି ଉନ୍ମତ୍ତ ଆମେରିକୀୟ ଈର୍ଷା ପ୍ରଣୋଦିତ ହୋଇ ସେମାନଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି । ଏହା ଯେ ସେମାନଙ୍କ ନୀଚ୍ଚ ମାନସିକତାର ପରିଚାୟକ, ଏଥିରେ ସନ୍ଦେହ ନାହିଁ । ଆମେରିକା ଭଳି ଏକ ସଭ୍ୟ ଓ ଶିକ୍ଷିତ ରାଷ୍ଟ୍ରର ସୁନାମରେ ଏହା କଳାଦାଗ ଟାଣି ଦେଉଛି ।

Leave a Reply